ଭୁବନେଶ୍ଵର: ସଂପ୍ରତି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ନିର୍ବାଚନରେ ଅନିୟମିତତା ନେଇ ଶାସକ ବିଜେପି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହା ମଧରେ ବିଜେଡି ଆଉ ଏକ ଭିନ୍ନ ପ୍ରସଙ୍ଗକୁ ନେଇ ମୋହନ ମାଝୀ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି। ପ୍ରସଙ୍ଗଟି ହେଉଛି ହକି। ଯେଉଁ ହକି ଖେଳକୁ ନେଇ ବିଶ୍ଵ ହକି ଜଗତରେ ଓଡ଼ିଶାର ସ୍ଵତନ୍ତ୍ର ସ୍ଥାନ ରହିଛି ତାକୁ ନେଇ ବିଜେପି ସରକାରକୁ ପ୍ରଶ୍ନବାଣ ମାରିଛି ବିଜେଡି।

ଏହି ପ୍ରସଙ୍ଗ ସେହି ସମୟରେ ଲୋକଲୋଚନକୁ ଆସିଛି ଯେତେବେଳେ ହକି ଇଣ୍ଡିଆ ତରଫରୁ ହକି ଆସୋସିଏସନ ଅଫ ଓଡ଼ିଶାକୁ ନୋଟିସ ଜାରି କରିଛି। ଆଉ ନୋଟିସ୍ ଜାରି କରାଯିବାର କାରଣ ହେଉଛି କାହିଁକି ସ୍ଥାୟୀରୁ ଆସୋସିଏଟ ମେମ୍ବର କରାଯିବ ନାହିଁ। ଏହି ପ୍ରସଙ୍ଗକୁ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି।

Also Read: SIR ପ୍ରସଙ୍ଗରେ ନବୀନଙ୍କୁ ମନମୋହନଙ୍କ ଟାର୍ଗେଟ, ପ୍ରସନ୍ନ ଦେଲେ କଡ଼ା ଜବାବ

ଓଡ଼ିଶାକୁ ମିଳିଥିଲା ସ୍ଵତନ୍ତ୍ର ପରିଚୟ

ବିଜେଡି ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଓଡ଼ିଶାରେ ଦୁଇ ଦୁଇ ଥର ହକି ବିଶ୍ୱ ସଫଳତାର ସହ ଆୟୋଜନ ହୋଇଥିଲା। ହକି ଷ୍ଟାଡିୟମକୁ ଅତ୍ୟାଧୁନିକ ରୂପ ଦିଆଯାଇଥିଲା। ତା ସହ ଉଚ୍ଚକୋଟୀର ଟର୍ଫ ହୋଇଥିଲା। ବିଶ୍ୱରେ ଓଡ଼ିଶାକୁ ହକିରେ ସ୍ଵତନ୍ତ୍ର ପରିଚୟ ମିଳିଥିଲା।। ହେଲେ ଏବେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି।

ଡବଲ ଇଞ୍ଜିନ ସରକାର ଥାଇ ଲାଭ କଣ ?

ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ରହିଛି। ହେଲେ ଅକ୍ଟୋବର ୬ରେ ବସିଥିବା ହକି ଇଣ୍ଡିଆ ବୈଠକରେ ହକି ଆସୋସିଏସନ ଅଫ ଓଡ଼ିଶାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଯେ, କାହିଁକି ସ୍ଥାୟୀରୁ ଆସୋସିଏଟ ମେମ୍ବର କରାଯିବ ନାହିଁ। ଏହାର ଅର୍ଥ ହେଉଛି ଗୋଟିଏ ପ୍ରକାରର ପଦବୀ କିମ୍ବା ପାୱାର କମିବା ଭଳି। ଯେଉଁ ଓଡ଼ିଶା ଦିନେ ହକିରେ ଭାରତର ପ୍ରତିନିଧିତ୍ଵ କରୁଥିଲା ସେହି ଓଡ଼ିଶା ହକି ଆସୋସିଏନକୁ ସ୍ଥାୟୀରୁ ଆସୋସିଏଟ ମେମ୍ବର କରାଯିବା ଲଜ୍ଜାଜନକ ବୋଲି ସେ କହିଛନ୍ତି।

Also Read: ରାଜଧାନୀ ଛାଡ଼ି ଗାଁ ମୁହାଁ ନେତା, ପରଖୁଛନ୍ତି ‘ଜେନ ଜି’ଙ୍କ ମୁଡ଼; ପଞ୍ଚାୟତ ନିର୍ବାଚନ ପୂର୍ବରୁ ମିଳିବ ଆଭାସ

ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଦାୟୀ

ତୁଷାରକାନ୍ତି କହିଛନ୍ତି,ଜାତୀୟ, ରାଜ୍ୟ ଓ ଜିଲ୍ଲାରେ ହକି ସଂଘ ଥାଏ। ସମସ୍ତେ ସମନ୍ୱୟ ରଖି କାମ କରନ୍ତି। ନବୀନ ପଟ୍ଟନାୟକ ସରକାର ଏହା ମାନୁଥିଲେ ଏବଂ କାର୍ଯ୍ୟରେ ପରିଣତ କରୁଥିଲେ। ହେଲେ ଗତ ଅଢେଇ ବର୍ଷର ବିଜେପି ସରକାର ଏସବୁ ନିୟମକୁ ମାନି ନାହାନ୍ତି। ଜିଲ୍ଲା ହକି ସଂଘ କାମ କରୁନି। ଓଡ଼ିଶା ପାଇଁ ଗୌରବ ଆଣିଥିଲା ହକି। ହେବେ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅପାରଗତା ଏବଂ ଅବହେଳା ପାଇଁ ଓଡ଼ିଶା ହକି କାରଣ ଦର୍ଶାଅ ନୋଟିସ୍ ଧରାଇଛି କେନ୍ଦ୍ର ସରକାର। ସାମାନ୍ୟ ଧ୍ୟାନ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ଓ କ୍ରୀଡା ମନ୍ତ୍ରୀ। କାରଣ ଏହା କ୍ରୀଡା ପ୍ରେମୀଙ୍କୁ ଦୁଃଖ ଦେଇଛି ବୋଲି ସେ କହିଛନ୍ତି।

ଏହା କ'ଣ ଆପଣଙ୍କ ଅସ୍ମିତା ?

କେବଳ ଏତିକି ନୁହେଁ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଡବଲ ଇଂଜିନ କହି ମିଥ୍ୟା ପ୍ରତିଶୃତି ଦେଇ ସରକାରକୁ ଆସିଲା ବିଜେପି। ହେଲେ ସେମାନଙ୍କର ମାନସିକତା ଓଡ଼ିଆ ଅସ୍ମିତା ପାଇଁ ଆଦୌ ନାହିଁ। ଓଡ଼ିଶା ବିଶ୍ୱ ଦରବାରରେ ପରିଚୟ ଥିବା ହକି ପରିଚାଳନା ଏବେ ଆଉ ହେଉନି। କ୍ରୀଡା ମନ୍ତ୍ରୀ ଟ୍ରାକରେ ଗାଡି ଚଲାଉଛନ୍ତି। ଯେଉଁଥିପାଇଁ କ୍ରୀଡାରେ ଧ୍ୟାନ ଦେଉ ନାହାନ୍ତି। ସୁନ୍ଦରଗଡ଼ ହକିର ଏନ୍ତୁଡ଼ିଶାଳ ଥିବାରୁ ଟର୍ଫ ହୋଇଥିଲା। ହକି ଆହୁରି ବଢିବାକୁ ନବୀନ ପଟ୍ଟନାୟକ ସବୁ ବ୍ୟବସ୍ଥା କରିଥିଲେ। ଆଉ ଏବେ ହକି ଓଡ଼ିଶାରେ ଶ୍ରୀହିନ ହେବାକୁ ଯାଉଛି।