ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ନେତା ସୋମବାର ସୁପ୍ରିମକୋର୍ଟ ମାର୍ଚ୍ଚ ଆୟୋଜନ କରିଛନ୍ତି। ତେବେ ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ଓ ବିଦେଶ ମନ୍ତ୍ରାଳୟ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ସରକାର ଭିତରର ସୂଚନା ଆମକୁ ଦେଉଛନ୍ତି। ସେ କହିଛନ୍ତି ଯେ ମୋଦି ଜୀ ସରକାର ଭିତରର ସବୁ ସୂଚନା ଆମକୁ ମିଳୁଛି।

ରାହୁଲ ଗାନ୍ଧି ଏହା ବି ଦାବି କରିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବାର୍ତ୍ତା ମଧ୍ୟ ଆମକୁ ମିଳୁଥିଲା। ତେବେ ସେ ନିର୍ବାଚନ ମୁଖ୍ୟଙ୍କୁ ମାମଲାରେ ‘ସାକ୍ଷୀ’ ହୋଇଯିବାକୁ ପରାମର୍ଶ ଦେଇଥିବା କହିଛନ୍ତି। କାରଣ ସେ ଅପରାଧ କରିଛନ୍ତି। ରାହୁଲ କହିଛନ୍ତି ଯେ ଘଟଣାକ୍ରମରେ ସେ ଅପରାଧୀ ନୁହନ୍ତି, ଅପରାଧୀ ଅନ୍ୟ କେହି, ହେଲେ ତାଙ୍କ ଦ୍ୱାରା ଅପରାଧ ହୋଇଛି। ରାହୁଲ ଗାନ୍ଧିଙ୍କ ଏହି ଟିପ୍ପଣୀ ଇଣ୍ଡିଆ ବ୍ଲକ ଦ୍ୱାରା ନିର୍ବାଚନ ଆୟୋଗଙ୍କ ବିରୋଧରେ ଆରୋପକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ପାଇଁ ଅଭିଯାନ ଆରମ୍ଭ ପୂର୍ବରୁ କହିଛନ୍ତି।

ରାହୁଲ ଗାନ୍ଧି ନିର୍ବାଚନ ଆୟୋଗଙ୍କ ବିରୋଧରେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରିବାର ଅଭିଯୋଗ କରିଛନ୍ତି ଓ କୁମାରଙ୍କୁ ହଟାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟ ନିର୍ବାଚ କମିଶନରଙ୍କୁ ହଟାଯିବା, ନିର୍ବାଚନ ପ୍ରଣାଳୀରେ ସୁଧାର କରିବା ଓ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଦେଶରେ ବିରୋଧୀ ଦଳଙ୍କ ପ୍ରତିବାଦ ଜାରି ରହିବ।