ପୁରୀ ୦୮।୦୪ : ବୁଧବାର ଠାରୁ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ଯାହା ତିନି ଦିନ ଧରି ଚାଲିବ । ପରେ ଆସନ୍ତା ୧୩ ତାରିଖ ଏବଂ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ମଧ୍ୟ ଗଣତିମଣତି ଚାଲିବ। ଏସ୍ଓପି ବା ମାର୍ଗଦର୍ଶିକା ମୁତାବକ ସୁପର୍ ଭାଇଜିଂ ଓ ହ୍ୟାଣ୍ଡଲିଂ ଟିମ୍ ସହଯୋଗରେ ଗଣତିମଣତି କରାଯିବ। ଟ୍ରେଜେରିରୁ ଚାବି ଅଣାଯାଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ ।

ବାହାର ଭଣ୍ଡାରରେ ରହିଛି ପ୍ରାୟ ୮୧୭୫ ଭରିର ୭୯ଟି ସୁନା ଅଳଙ୍କାର ଓ ଦ୍ରବ୍ୟ । ସେହିପରି ଏଠାରେ ପ୍ରାୟ ୪୬୭୧ ଭରିର ରହିଛି ୩୯ ପ୍ରକାରର ରୁପା ଅଳଙ୍କାର ଓ ଦ୍ରବ୍ୟ। ପୂର୍ବାହ୍ଣ ୧୦ଟା ପରେ ପ୍ରଶାସନିକ ନିର୍ଦ୍ଧାରିତ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ଗଣତିମଣତି କାମ କରିବେ। ଗଣତିମଣତି ଯୋଗୁଁ କେବଳ ବାହାର କାଠଠାରୁ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ଭିତର କାଠ ଠାରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁବିଧା ମିଳିବ ନାହିଁ। ଶ୍ରୀମନ୍ଦିର ଦ୍ୱାର ଫିଟା ଶୀଘ୍ର କରାଯାଇ ମହାପ୍ରଭୁଙ୍କ ନୀତିକ୍ରାନ୍ତି ସଅଳ ସାରିବାକୁ ସେବାୟତଙ୍କ ସହ ସମନ୍ୱୟ ରଖି ପ୍ରଶାସନ ଉଦ୍ୟମ କରିବ। ଗଣତିମଣତି ବେଳେ କେବଳ ଅଧିକୃତ ସେବାୟତମାନେ ଜଗମୋହନ ଓ ଗର୍ଭଗୃହକୁ ଯାଇପାରିବେ। ପୂର୍ବ ପ୍ରଶାସନିକ ନିଷ୍ପତ୍ତିରେ ସାମାନ୍ୟ ସୁଧାର କରାଯାଇ ଶନିବାର ଦିନମାନଙ୍କରେ ମଧ୍ୟ ଗଣତିମଣତି ହେବାକୁ ନୂଆ ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Also Read:-Ratna Bhandar News : ସମର୍ପଣ ଭାବରେ ଚାଲିଛି ଗଣତି ମଣତି, ଉଦ୍ଦେଶ୍ୟ ଖରାପ ହେଲେ ଦଣ୍ଡ ଦେବେ ଲୋକନାଥ

ତେବେ ବାହାର ରତ୍ନଭଣ୍ଡାରରେ ସୁନା ମଧ୍ୟରେ ୨୨୦୩ ଭରି ୪ ଅଣାର ୧୦ଟି ମଥାର ଅଳଙ୍କାର, ୧୩୦୯ ଭରି ୧ ଅଣାର ୫ଟି କାନର ଅଳଙ୍କାର, ୧୪.୩/୪ ଅଣାର ୩ଟି ନାକ ଅଳଙ୍କାର ରହିଛି । ୧୮୬୧ ଭରି ସାଢ଼େ ପାଞ୍ଚ ଅଣାର ୩୪ଟି ବେକ ଅଳଙ୍କାର, ୧୧୦୧ ଭରି ୧୨ ଅଣାର ୩ଟି ବାହୁର ଅଳଙ୍କାର, ସାଢ଼େ ୧୦ ଅଣାର ଗୋଟିଏ କଚଟିର ଅଳଙ୍କାର, ୩୯୨ ଭରି ଦେଢ଼ ଅଣାର ୮ଟି ଅଣ୍ଟାର ଅଳଙ୍କାର ରହିଛି । ଏଥିସହିତ ୭୫୫ ଭରି ସାଢ଼େ ୯ ଅଣାର ୨ଟି ପାଦ ବା ଗୋଡ଼ର ଅଳଙ୍କାର ରହିଛି । ୫୫୦ ଭରି ୬ ଅଣାର ୧୩ଟି ଅନ୍ୟ ଅଳଙ୍କାର ରହିଛି । ସେହିପରି ୨୩୩୩ ଭରି ୧୪ ଅଣାର ୧୫ଟି ପୂଜା ସାମଗ୍ରୀ ରୂପା ଅଳଙ୍କାର, ୨୦୮୭ ଭରି ୧୪ ଅଣାର ୧୭ ଟି ରୂପାର ବାସନକୁସନ, ୨୪୯ ଭରି ୬ ଅଣାର ୭ଟି ବିଭିନ୍ନ ପ୍ରକାର ରୁପା ସାମଗ୍ରୀ ରହିଛି । ବାହାରଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ହୋଇ ମେଳକ ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ଭଣ୍ଡାର ଗଣତି ହେବ । ସୂଚନାଥାଉକି, ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ଭଣ୍ଡାରର ଗଣତି ସରିଛି ।