ପୁରୀ ୨୩।୦୪ : ରଥ ନିର୍ମାଣ ପାଇଁ ଆବଶ୍ୟକ ହୁଏ ପ୍ରାୟ ୭୫ ପ୍ରକାର ଲୌହ ସାମଗ୍ରୀ । ୪ ଟନ୍ ଭଳି ଓଜନର ଲୁହାରେ ରଥତ୍ରୟ ପାଇଁ ପ୍ରସ୍ତୁତ ହୁଏ କଣ୍ଟା, ବଳା ଓ ପନ୍ଦାରି। ବୁଧବାର ଦୋଳବେଦୀରେ ଶାଳ ଅନୁକୂଳ କରି କମାର ତଥା ଓଝା ସେବକମାନେ ଅର କଣ୍ଟା ତିଆରି ଆରମ୍ଭ କରିଛନ୍ତି। ଚକରେ ଲାଗିବ ଅର କଣ୍ଟା । ବିଶ୍ୱକର୍ମାଙ୍କ ବରାଦ ଅନୁସାରେ ଓଝା ସେବକମାନେ ଲୌହ ଜିନିଷ ଯୋଗାଇବେ। ଏପଟେ ରଥ ଖଳାରେ ତୁମ୍ବ ତିଆରିରେ ଲାଗିଛନ୍ତି ନିର୍ମାଣକାରୀ। ମର୍ଦ୍ଦଳାକୃତିର ତୁମ୍ବ ପ୍ରସ୍ତୁତ ହେଉଛି। ରଥଖଳା ଓ ଶାଳ ମଧ୍ୟରେ ସମନ୍ୱୟ ରହି ରଥ ନିର୍ମାଣ କାର୍ଯ୍ୟ ଚାଲିବ।

ଦୋଳବେଦୀରେ ମାଟି ଓ ଇଟା ସାହାଯ୍ୟରେ ୪ଟି ଅସ୍ଥାୟୀ ଶାଳ ନିର୍ମାଣ ହୋଇଛି। ଠାକୁରଙ୍କ ଅନବସର ନୀତି ପାଇଁ ଗୋଟିଏ ଶାଳ ସମେତ ୩ ରଥ ପାଇଁ ତିନି ସ୍ୱତନ୍ତ୍ର ଶାଳ। ମହାପ୍ରସାଦ, ଶ୍ରୀଫଳ ଆଦି ଦେଇ ମହାପ୍ରଭୁଙ୍କୁ ସ୍ମରଣ କରି ଶାଳରେ ଅଗ୍ନି ସଂଯୋଗ କରାଯାଇଥିଲା। ପରମ୍ପରା ଅନୁସାରେ ଆଗେ ବଡ଼ବାଡ଼ ପରେ ମହାପ୍ରଭୁଙ୍କ ଓ ଦେବୀ ସୁଭଦ୍ରାଙ୍କ ଶାଳରେ ଅନୁକୂଳ ହୋଇଥିଲା। ଶାଳରେ ଆଗେ ପଡ଼ିଲା ଅର କଣ୍ଟା । ଗୋଟିଏ ଚକରେ ୩୨ଟି ଅର କଣ୍ଟା ଲାଗିବ । ରଥ ପାଇଁ ଆବଶ୍ୟକ ସବୁଠାରୁ ଛୋଟ ଗୋଡ଼ିଛାଲ କଣ୍ଟାର ଉଚ୍ଚତା ୨ରୁ ଅଢ଼େଇ ଇଞ୍ଚ। ସବୁଠାରୁ ବଡ଼ ହେଉଛି ଜଙ୍ଘା କଣ୍ଟା ଯାହାର ଉଚ୍ଚତା ସାଢ଼େ ୪ଫୁଟ । ଏହା ରଥର ପୋଟଳ ପ୍ରସ୍ତୁତିରେ ଲାଗେ। ପୋଟଳ ହେଉଛି ରଥର ଉପରଭାଗ।

ବଡ଼ବାଡ଼ର ଶାଢ଼ିବନ୍ଧା କମାର ସେବକ ଅର୍ଜୁନ ମହାରଣା କୁହନ୍ତି, ଏତେ ସବୁ କଣ୍ଟାର ନାମ ଅନ୍ୟ ଦିନରେ ମନେ ପଡ଼େନି। ରଥ ଆସିଗଲେ ପ୍ରଭୁ ସବୁ ସ୍ମରଣ କରାଇ ଦିଅନ୍ତି। ଅକ୍ଷୟତୃତୀୟାରେ ଠାକୁରଙ୍କ ଆଗମନ ପ୍ରସ୍ତୁତି ଠାରୁ ନୀଳାଦ୍ରି ବିଜେରେ ଦିଅଁ ବଡ଼ଦେଉଳକୁ ଫେରିବା ପର୍ଯ୍ୟନ୍ତ ହବିଷ୍ୟ ପାଳି ନିର୍ମାଣକାରୀ ନିହାତି ଶୁଦ୍ଧପୂତରେ ରହିଥାନ୍ତି। ଏହି ସମୟରେ ସେ ଖାଲି ପାଦରେ ରହିଥାନ୍ତି। ବୈଶାଖ କି ଜ୍ୟେଷ୍ଠ ଖରା କିମ୍ବା ନିଆଁର ତାତି ବାଧେନି। ଏସବୁ ମହାପ୍ରଭୁଙ୍କ କୃପା ବିନା ସମ୍ଭବ ନୁହେଁ। ତାଙ୍କ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କୁ ସେ ନିଜେ ହିଁ ବାହୁ ଛାୟାରେ ଆଶ୍ରୟ ଦେଇଥାନ୍ତି।

ଏପଟେ ଶ୍ରୀନହର ସମ୍ମୁଖ ରଥଖଳାରେ ତୁମ୍ବ ତିଆରିରେ ଲାଗିଛନ୍ତି ନିର୍ମାଣକାରୀ । ମର୍ଦଳ ଆକାରରେ ତିଆରି ହେଉଛି ତୁମ୍ବ । ଗୋଳାକୃତି ତୁମ୍ବ ମଝିରୁ ଶେଷ ପଟକୁ କ୍ରମଶଃ ଅପେକ୍ଷାକୃତ ସରୁ । ସନ୍ଧ୍ୟା ସୁଦ୍ଧା ରଥ ତ୍ରୟର ୬ଟି ତୁମ୍ବ ତିଆରି ହୋଇଥିବା ସୂଚନା ରହିଛି । ବିଶ୍ୱକର୍ମାଙ୍କ ଦାଗ ଅନୁସାରେ କରତି ସେବକମାନେ ଫାସୀ କାଠ କାଟୁଛନ୍ତି । ଉକ୍ତ କାଠକୁ ଭୋଇ ସେବକମାନେ ବୋହି ନେଇ ବିଶ୍ୱକର୍ମାଙ୍କୁ ଯୋଗାଉଛନ୍ତି । ନିପୁଣ ବିଶ୍ୱକର୍ମାମାନେ ବାରିସି ଚଳାଇ ତୁମ୍ବ ସାଇଜ୍ କରୁଛନ୍ତି । ଏହାପରେ ଚକର ମଝି ଅଂଶ ତୁମ୍ବରେ ସୂତା ବାଡ଼ିଆ ହେବ । ଅର୍ଥାତ୍ ଦାଗ ଦିଆଯିବ । ପରେ ମାପ ଚୁପ ହୋଇ ବିନ୍ଧ ଅନୁକୂଳ ହେବ । ବିନ୍ଧରେ ଅର ଖଞ୍ଜାଯିବ । ସେଥିରେ ପହି ଯୋଡ଼ାଯାଇ ଚକ ତିଆରି ହେବ ।

Watch Video :-