ନବରଙ୍ଗପୁର: ମସାଣି ଭିତରେ କୁକୁଡ଼ା ବଳି, ପୂଜାପାଠ ଏବଂ ତା'ପରେ ସମାଧି ଖୋଳି ଶବର ମୁଣ୍ଡ କାଟିନେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକର ନରସିଂହଗୁଡ଼ା ଗାଁରେ। ଘଟଣାକୁ ନେଇ ନରସିଂହଗୁଡ଼ା ଗାଁରେ ଆତଙ୍କ ଖେଳିଯାଇଥିବା ବେଳେ, ସମସ୍ତଙ୍କ ମନରେ ପ୍ରଶ୍ନ ଏହା ତନ୍ତ୍ରବିଦ୍ୟା ନା କୁଆଁରୀ ବିଦ୍ୟା ? କେଉଁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ ?

ମିଳିଥିବା ସୂଚନା ଅନୁସାରେ, ନରସିଂହଗୁଡ଼ା ଗାଁର ଜଣେ ୨୭ ବର୍ଷୀୟା ଯୁବତୀ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ । ତେବେ ଦେହରେ ହାଡ଼ଫୁଟି ବା ଭଗବାନ ଆସିଥିବା ବିଶ୍ୱାସ କରି ଶବକୁ ଦାହ ନକରି ଗତ ସେପ୍ଟେମ୍ବର ୨୬ ତାରିଖରେ ଗାଁ ମସାଣିରେ ପୋତି ଦେଇଥିଲେ ପରିବାର ଲୋକେ । ଖାଲି ସେତିକି ନୁହେଁ, ସ୍ଥାନୀୟ ବିଶ୍ୱାସ ଅନୁଯାୟୀ ଶବ ପୋତିବାର ୨୧ ଦିନ ପର୍ଯ୍ୟନ୍ତ ତାନ୍ତ୍ରିକମାନେ କିଛି କରିପାରନ୍ତି ବୋଲି ଆଶଙ୍କା କରି ମସାଣିକୁ ଜଗି ରହିଥିଲେ ପରିବାର ଲୋକେ । ଆଉ ୨୧ ଦିନ ପରେ ଜଗିବା ବନ୍ଦ କରିଦେଇଥିଲେ।

କିନ୍ତୁ ଶବ ପୋତିବାର ୪୨ ଦିନ ପରେ ଘଟିଲା ଅଭାବନୀୟ ଘଟଣା । ଗୁରୁବାର ସକାଳେ ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ସମାଧି ଖୋଳାଯାଇଥିବା ଦେଖିଥିଲେ । ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ପହଞ୍ଚି ସମାଧି ଭିତରେ ଦୁଇଟି କୁକୁଡ଼ା ବଳି ଦିଆଯାଇଥିବା ଚିହ୍ନ, ଚାରିପଟେ ପୂଜାପାଠର ସାମଗ୍ରୀ ଆଦି ଦେଖିବାକୁ ପାଇଥିଲେ । ସବୁଠୁ ଅଧିକ ଚକିତ କରିଥିଲା ଗଳିତ ଶବର ମୁଣ୍ଡ ନମିଳିବା । କେହି ଦୁର୍ବୃତ୍ତ ସମାଧି ଖୋଳି ଶବରୁ ମୁଣ୍ଡ କାଟି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

Also Read: ଗିଡ଼ିପାବାଲି ଭୂସ୍ଖଳନରେ ଶେଷ ହେଲା ପୂରା ପରିବାର, ଆହୁରି ୬ ଏବେ ବି ନିଖୋଜ

ସେପଟେ ଏହା ପଛରେ ତନ୍ତ୍ରବିଦ୍ୟା, କୁଆଁରୀ ବିଦ୍ୟା କିମ୍ବା କୌଣସି ଗୁପ୍ତ ପୂଜାପାଠର ଉଦ୍ଦେଶ୍ୟ ଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ । ଘଟଣା ପରେ ପରିବାର ଲୋକେ ପୁଣି ଶବକୁ ପୋତି ଦେଇ ନ୍ୟାୟ ପାଇଁ ଦାବି କରିଛନ୍ତି । ତେବେ ପ୍ରକୃତ ସତ କ’ଣ ? ତାହା ଜାଣିବାକୁ ତଦନ୍ତ ଆରମ୍ଭ କରିଛି ପୋଲିସ ।