କୋଲକାତା: ବିଜେପି ନେତା ରାକେଶ ସିଂହ ଜେଲରୁ ମୁକୁଳିଛନ୍ତି। କୋଲକାତା ହାଇକୋର୍ଟରୁ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଅନ୍ତରୀଣ ଜାମିନ ମିଳିଯାଇଥିଲା। ଜେଲ ଫାଟକରେ ସିଂହଙ୍କୁ ସମର୍ଥକମାନେ ଭବ୍ୟ ସ୍ୱାଗତ କରିଛନ୍ତି, ତେବେ ତାଙ୍କ ନାମ ଏ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ତାଲିକାରେ ନାହିଁ। ହେଲେ ପାର୍ଟି ହାଇକୋର୍ଟଙ୍କୁ ସିଂହ ପ୍ରାର୍ଥୀ ହେବେ ବୋଲି ଜଣାଇବା ପରେ ତାଙ୍କୁ ଜାମିନ ମିଳିଛି। କୋଲକାତା ପୋର୍ଟ ପାଇଁ ପ୍ରସ୍ତାବିତ ବିଜେପି ପ୍ରାର୍ଥୀ ସିଂହ ଏପ୍ରିଲ ୯ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ।

ତେବେ କୋଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ୍ କୌସିକ ଚନ୍ଦା ତାଙ୍କ ଜାମିନ ଆଦେଶରେ ଏହା ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଆବେଦନକାରୀ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ନପାରନ୍ତି ତେବେ ତାଙ୍କ ଜାମିନ ନିବେଦନ ରଦ୍ଦ କରିବା ପାଇଁ ରାଜ୍ୟସରକାର ସ୍ୱାଧୀନ। ତେବେ ବିଜେପିର ଜନୈକ ବରିଷ୍ଠ ନେତା କହିଛନ୍ତି ଯେ ପାର୍ଟି ବୁଧବାର ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିପାରେ ଓ ସିଂହ ଏପ୍ରିଲ ୯ ତାରିଖ ଦିନ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ।

ତେବେ ସିଂହଙ୍କ ଅପରାଧିକ ରେକର୍ଡକୁ ନଜରରେ ରଖି ରାଜ୍ୟ ସରକାର ତାଙ୍କ ଜାମିନକୁ କୋର୍ଟରେ ବିରୋଧ କରିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଅନୁସାରେ ସିଂହଙ୍କୁ ନିର୍ବାଚନ ଆୟୋଗଙ୍କ ପୋର୍ଟାଲରେ ଅପରାଧିକ ରେକର୍ଡ ରଖୁଥିବା ‘ଉପଦ୍ରବୀ’ ଭାବେ ସୂଚୀବଦ୍ଧ କରାଯାଇଛି। ସିଂହ ହାଇକୋର୍ଟରେ ଦାବି କରିଛନ୍ତି ଯେ ସବୁ ପିଛିଲା ମାମଲାରେ କୋର୍ଟ ତାଙ୍କୁ ହୁଏତ ଜାମିନ ନଚେତ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି।

ତେବେ ସିଂହ ଜେଲରୁ ମୁକୁଳିବା ଘଟଣାରେ ଜନୈକ ଅପ୍ରତ୍ୟାସୀତ ବ୍ୟକ୍ତି ସୋନା ପପୁ ତାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି। ବିଶ୍ୱଜିତ ପୋଦ୍ଦାର ଓରଫ ପପୁ ଯିଏ ଏବେ ଫେରାର ଅଛି ସୋସିଆଲ ମିଡିଆରେ ସିଂହଙ୍କୁ ପ୍ରାର୍ଥୀ କରାଯିବା ତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସୀ ଓ ପୋଲିସ ମୁତୟନ କରିବା ନେଇ ବିଜେପିର ଦୋହରା ମାନଦଣ୍ଡ ଉପରେ ପ୍ରଶ୍ନ କରିଛନ୍ତି। ସୋସିଆଲ ମିଡିଆରେ ପପୁର ଏହି ପୋଷ୍ଟ ଇଡି ଦ୍ୱାରା ୮ ଏପ୍ରିଲକୁ ପଚରା ଉଚରା ପାଇଁ ଡକା ଯିବାର ଦିନକ ପୂର୍ବରୁ ଆସିଛି। ତେବେ ପ୍ରସଙ୍ଗରେ ସିଂହ କୌଣସି ମତମନ୍ତବ୍ୟ ଦେଇ ନାହାନ୍ତି।

Also Read..ବେଙ୍ଗଲରେ SIR ପ୍ରକ୍ରିୟାର ନ୍ୟାୟିକ ନିଷ୍ପତ୍ତି ଶେଷ, ବାଦ ପଡ଼ିବେ ୯୧ ଲକ୍ଷ ଭୋଟର୍ !