ପୁରୀ ୨୭।୮: ନେପାଳ-ତିବ୍ଦତ ସୀମାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଏବେ ସୁଦ୍ଧା ୧୭୫ ଜଣଙ୍କର ମୃତ୍ୟୁ ହୋଇଛି । ୩୦୦ ଭାରତୀୟଙ୍କ ସମେତ ହଜାରେରୁ ଅଧିକ ଏବେ ବି ନିଖୋଜ ଅଛନ୍ତି । ୮୫ରୁ ଅଧିକ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଆଜି ୨୧ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବ ସୂଚନା ରହିଛି ।

ତେବେ ଏହି ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ପୁରୀ ଜମି ଖୁଣ୍ଟିଆ ଜାଗା ଅଞ୍ଚଳର ରାକେଶ ରଞ୍ଜନ ପଣ୍ଡା ଏବଂ ତାଙ୍କର ଦୁଇ ଜଣ ସାଥୀ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରଳୟଙ୍କରୀ ବନ୍ୟା ଆସିବା ସମୟରେ ରାକେଶ ଏବଂ ତାଙ୍କର ଦୁଇ ଜଣ ସାଥୀ ପାହାଡ ଉପରେ ରହିଯାଇଥିବାରୁ ନିଜ ଜୀବନ ବଞ୍ଚାଇ ପାରିଛନ୍ତି । ପରବର୍ତ୍ତୀ ସମୟରେ ହେଲିକପ୍ଟର ଯୋଗେ ତାଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ପରେ ସେମାନେ ଭାରତରେ ଆସି ପହଞ୍ଚିଛନ୍ତି । ଏହି ଘଟଣାକୁ ନେଇ ରାକେଶଙ୍କ ପରିବାର ଲୋକେ ଚିନ୍ତାରେ ରହିଥିଲେ । ତାଙ୍କ ବାପା ପ୍ରଭାତ ପଣ୍ଡା କହିଛନ୍ତି, ମୋ ପୁଅକୁ ବଞ୍ଚେଇ ଦେଲେ ମା’ ଖମ୍ବେଶ୍ଵରୀ । ମୋ ପୁଅ ସହିତ ତା'ର ଦୁଇ ଜଣ ସାଙ୍ଗଙ୍କୁ ମଧ୍ୟ ବଞ୍ଚେଇ ଦେଇଛନ୍ତି ମା’ ଖମ୍ବେଶ୍ଵରୀ ।

ସେହିଭଳି ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଓଡ଼ିଆ ସନ୍ଦୀପ ମହାପାତ୍ର ଓ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ ମଧ୍ୟ ନିଖୋଜ ଅଛନ୍ତି । ସେମାନଙ୍କ ସହ ଯୋଗାଯୋଗ ହୋଇପାରୁ ନାହିଁ । ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ୨୨ ଅଗଷ୍ଟ ୨୦୨୬ରେ ନେପାଳରେ ପହଞ୍ଚିଥିଲେ । ସେମାନେ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା । କିନ୍ତୁ ୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ରହୁଛନ୍ତି । ବର୍ତ୍ତମାନ ସେମାନଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି । ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ତାଙ୍କ ଭଉଣୀଙ୍କ ଠାରୁ ସମସ୍ତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଇ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA)କୁ ପ୍ରଦାନ କରାଯାଇଛି । ସେମାନେ ଏପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡିଛି ।

ଭୁବନେଶ୍ୱରରୁ ୬ ଜଣ ଫୁଟବଲ ଖେଳିବାକୁ ନେପାଳ ପୋଖରା ଯାଇଥିଲେ । ତେବେ ସେମାନେ ସୁରକ୍ଷିତ ଥିବା ନୋଡାଲ ଅଫିସର ପ୍ରୀତିଶ ପଣ୍ଡା ସୂଚନା ଦେଇଛନ୍ତି । ଓଡ଼ିଶାର ୬ ଜଣ ଫୁଟବଲ୍ ଖେଳାଳି, କୋଚ୍ ହଲିମ୍‌ଙ୍କ ସହ ନେପାଳର ପୋଖରା ଠାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳିବା ପାଇଁ ଯାଇଥିଲେ । କୋଚ୍‌ଙ୍କ ସୂଚନା ଅନୁଯାୟୀ, ସମସ୍ତେ ସୁରକ୍ଷିତ ଅଛନ୍ତି ।

Also Read:- ଚୋରି ମାମଲାରେ ରାୟଗଡ଼ାରେ ବଲାଙ୍ଗିର ପୋଲିସର ବଡ଼ ଚଢ଼ାଉ, ୫ କିଲୋରୁ ଅଧିକ ସୁନା-ରୁପା ଜବତ

ସେପଟେ ନେପାଳରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ଓଡି଼ଶା ସରକାର ନେପାଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଖୁବ୍‌ଶୀଘ୍ର ସେମାନଙ୍କୁ ଫେରାଇ ଅଣାଯିବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

ଏହି ସଙ୍କଟଜନକ ପରିସ୍ଥିତିରେ ବିପଦରେ ଥିବା ଓଡ଼ିଶାର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ଭବନରେ ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଯେକୌଣସି ବ୍ୟକ୍ତି ସହାୟତା ପାଇଁ ଦିଆଯାଇଥିବା ନମ୍ବର ଗୁଡ଼ିକରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଓଡ଼ିଶା ନିବାସ କଣ୍ଟ୍ରୋଲ ରୁମ୍ ନମ୍ବର ହେଲା 7428135044 ଓ 8527580245 । ସେହିପରି ଲ୍ୟାଣ୍ଡଲାଇନ୍ ନମ୍ବର ହେଲା 011-23012807 । ଏହା ବ୍ୟତୀତ, ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ହେଲ୍ପଲାଇନ୍ ନମ୍ବର ହେଲା +977 9851316807 ଓ +977 9709107500 ।

Watch Video: