ରାୟଗଡ଼ା ୨୭।୮: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଖରଯୋଡ଼ା ଗାଁରେ ବଲାଙ୍ଗିର ପୋଲିସର ବଡ଼ ଚଢ଼ାଉ । ବିଭିନ୍ନ ଜିଲ୍ଲାରେ ଘଟିଥିବା ଚୋରି ଘଟଣାର ତଦନ୍ତ ବେଳେ ପୋଲିସ ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଛି । ଘଟଣାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅନେକ ସନ୍ଦିଗ୍ଧ ଫେରାର ଥିବା ସୂଚନା ମିଳିଛି ।

ବଲାଙ୍ଗିର ଜିଲ୍ଲାରେ ଗତ କିଛି ମାସ ଧରି ଘଟିଥିବା ଏକାଧିକ ଚୋରି ମାମଲାର ତଦନ୍ତ କରୁଥିବା ବଲାଙ୍ଗିର ପୋଲିସ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ପହଞ୍ଚି ଚଢ଼ାଉ କରିଛି । କାଶୀପୁର ବ୍ଲକ ଫଣସଗୁଡ଼ା ଗାଁ ସମେତ କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗାଁରେ ପୋଲିସର ଚଢ଼ାଉ । ଚଢ଼ାଉ ସମୟରେ ପୁଳା ପୁଳା ସୁନା ଓ ରୁପା ସାମଗ୍ରୀ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ପ୍ରାଥମିକ ସୂଚନା ଅନୁସାରେ ଜବତ ସାମଗ୍ରୀର ଓଜନ ୫ କିଲୋରୁ ଅଧିକ ହୋଇପାରେ । ତେବେ ସଠିକ୍ ଓଜନ ଓ ମୂଲ୍ୟ ନେଇ ପୋଲିସ ପକ୍ଷରୁ ଆନୁଷ୍ଠାନିକ ସୂଚନା ଆସିନାହିଁ । ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୋଲିସ ତଲାସି ଓ ତଦନ୍ତ ଜୋରଦାର କରିଛି ।

Also Read:- ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ

ଗତ ପ୍ରାୟ ଦୁଇ ମାସ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ସିନ୍ଦେକେଲା ଦ୍ୱାରଶନି ମନ୍ଦିର, ସୁନା ଦୋକାନ ତଥା କଳାହାଣ୍ଡି, ଲାଞ୍ଜିଗଡ଼, ରାୟଗଡ଼ା ଓ କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ମାମଲା ସହ ଉଦ୍ଧାର ହୋଇଥିବା ସୁନା ଓ ରୁପାର ସମ୍ପର୍କ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଚଲାଇଛି । ବଲାଙ୍ଗିର ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲେ । ଏନେଇ ବଲାଙ୍ଗିର ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Watch Video: