ନୂଆଦିଲ୍ଲୀ,୨୬/୦୪ : ଆମ୍ ଆଦମୀ ପାର୍ଟିର ୭ ସାଂସଦ ବିଜେପି ବିଜେପିରେ ସାମିଲ ହେବା ପରେ ରାଜ୍ୟସଭାରେ ଏନଡିଏ ମ୍ୟାଜିକ ଅଙ୍କ ଅତିକ୍ରମ କରିଛି। ଅର୍ଥାତ ଏନଡିଏ ବର୍ତ୍ତମାନ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସକ୍ଷମ । ରାଜ୍ୟସଭାରେ ଆପର ୧୦ ସାଂସଦ ଥିବାବେଳେ ସେଥିରୁ ୭ ଜଣ ଅର୍ଥାତ ଦୁଇ-ତୃତୀୟାଂଶ ଦଳ ଛାଡି ବିଜେପିରେ ସାମିଲ ହୋଇଥିବାରୁ ସେମାନଙ୍କ ବିରୋଧରେ ଦଳବଦଳ ନିରୋଧ ଆଇନ ଲାଗୁ ହୋଇପାରିବ ନାହିଁ । ଫଳରେ ରାଜ୍ୟସଭାରେ ଶାସକ ଏନଡିଏ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଯେଉଁ ସଂଖ୍ୟାର ଆଶା କରିଆସୁଥିଲା ତାହା ଏବେ ହାସଲ କରିପାରିଛି।

Also Read :- BJPରେ ଯୋଗ ଦେବା ପରେ ମୁହଁ ଖୋଲିଲେ ଶ୍ୱାତୀ ମାଲିୱାଲ, କହିଲେ- କେଜରିୱାଲ ‘ମହିଳା ବିରୋଧୀ’

ପୂର୍ବରୁ ରାଜ୍ୟସଭାରେ ବିଜେପିର ସଂଖ୍ୟା ଥିଲା ୧୦୬ । ଏଥିରେ ଅନ୍ୟ ସହଯୋଗୀ ଦଳ ମାନଙ୍କର ୧୫ ସଦସ୍ୟ ମିଶିବା ପରେ ଏନଡିଏର ସଂଖ୍ୟା ୧୨୧ ଥିଲା । ଆପର ୭ ସାଂସଦ ବିଜେପିରେ ମିଶିବା ପରେ ଏହାର ସଦସ୍ୟ ସଂଖ୍ୟା ୧୧୩ କୁ ବୃଦ୍ଧି ପାଇଥିଲା ବେଳେ ଏନଡିଏର ସଂଖ୍ୟା ୧୨୮ରେ ପହଞ୍ଚିଛି। ୨୪୩ ଆସନ ବିଶିଷ୍ଟ ରାଜ୍ୟସଭାରେ ମ୍ୟାଜିକ ସଂଖ୍ୟା ହେଉଛି ୧୨୨। ତେଣୁ ୧୨୮ ସଦସ୍ୟ ସହ ଏନଡିଏ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏହା ଐତିହାସିକ ଘଟଣା। ଫଳରେ ଏଣିକି ରାଜ୍ୟସଭା ସଭାରେ ସାଧାରଣ ବିଧେୟକ ଗୃହୀତ କରାଇବା ଲାଗି ବିଜେପି କିମ୍ବା ଏନଡିଏକୁ ଆଉ ଛୋଟ ଦଳମାନଙ୍କ ସହାୟତା ନେବାକୁ ପଡିବ ନାହିଁ ।

ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପି କିମ୍ବା ଏନଡିଏ ପାଇଁ ବର୍ତ୍ତମାନ ସାଧାରଣ ବିଲ୍ ପାସ୍ କରାଇବାରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । କିନ୍ତୁ ସମ୍ବିଧାନ ସଂଶୋଧନ ପାଇଁ ରାଜ୍ୟସଭାରେ ଏନଡିଏକୁ ଦୁଇ ତୃତୀୟାଂଶ ଅର୍ଥାତ ୧୬୪ ସଦସ୍ୟଙ୍କ ସମର୍ଥନ ଦରକାର। ସେହି ଦୃଷ୍ଟିରୁ ଦେଖିଲେ ଏହି ସଂଖ୍ୟା ପାଇବା ଲାଗି ଏନଡିଏ ନିକଟରେ ଆହୁରି ୩୬ ସଦସ୍ୟ ଦରକାର । ତେଣୁ ଏକ ଦେଶ-ଏକ ନିର୍ବାଚନ ଏବଂ ସୀମା ପୁନଃ ନିର୍ଧାରଣ ଭଳି ସମ୍ବିଧାନ ସଂଶୋଧନ ବିଧେୟକ ଗୃହୀତ କରାଇବାକୁ ହେଲେ ବିଜେପିକୁ ଅନ୍ୟ ଦଳମାନଙ୍କ ଉପରେ ନିର୍ଭର କରିବାକୁ ପଡିବ। ନଚେତ ଆଗକୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଫଳ ଉପରେ ବିଜେପିକୁ ଅପେକ୍ଷା କରିବାକୁ ହେବ। .