ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ରାଜ୍ୟଙ୍କ ରାଜ୍ୟପାଳ ବଦଳାଇଛନ୍ତି। ଏମାନଙ୍କ ମଧ୍ୟରୁ ସିକ୍କିମ ରାଜ୍ୟପାଳ ଓମ ପ୍ରକାଶ ମାଥୁରଙ୍କୁ କେରଳ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ସେହିପରି କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର ତାମିଲନାଡୁ ରାଜ୍ୟପାଳ ହୋଇଛନ୍ତି। ବ୍ରଜମୋହନ ରାମ ଓଡିଶା ରାଜ୍ୟପାଳ ନିଯୁକ୍ତ ହୋଇଥିବା ବେଳେ ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡ. ଢାଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଓ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସେତେବେଳେ ପ୍ରଭାବୀ ହେବ ଯେତେବେଳେ ନିଯୁକ୍ତ ବ୍ୟକ୍ତି ନିଜନିଜ କାର୍ଯ୍ୟାଳୟର କାର୍ଯ୍ୟଭାର ଗ୍ରହଣ କରିବେ।

ଆର.ଏନ.ରବିଙ୍କୁ ପଶ୍ଚିମବଙ୍ଗ ବଦଳି କରାଯିବା ପରେ ଅର୍ଲେକର ଗତ ମାର୍ଚ୍ଚ ମାସରୁ ତାମିଲନାଡୁର ରାଜ୍ୟପାଳ ଦାୟିତ୍ୱ ତୁଲାଇ ଆସୁଥିଲେ। ଏଥିରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ତାଜା ଘୋଷଣା ତାଙ୍କ ନିଯୁକ୍ତିକୁ ଔପଚାରିକ ରୂପ ଦେଇଛି। ଗୋଆ ବିଧାନସଭାର ପୂର୍ବତନ ବାଚସ୍ପତି ଆର୍ଲେକର ହିମାଚଳ ପ୍ରଦେଶ ଓ ବିହାର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଓମ ପ୍ରକାଶ ମାଥୁର କେରଳରେ ଆର୍ଲେକରଙ୍କ ସ୍ଥାନ ନେବେ। ରାଜସ୍ଥାନର ବରିଷ୍ଠ ବିଜେପି ନେତା ଓ ପୂର୍ବତନ ରାଜ୍ୟସଭା ସଦସ୍ୟଙ୍କୁ ଜୁଲାଇ ୨୦୨୪ରେ ସିକ୍କିମ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା।