ଚଣ୍ଡିଗଡ଼: ପଞ୍ଜାବରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପରେ ଚୂଡ଼ାନ୍ତ ଭୋଟର ଲିଷ୍ଟ ଜାରି ହୋଇଛି। ଏଥିରେ ୧୧୭ ବିଧାନସଭା ନିର୍ବାଚନମଣ୍ଡଳିର ଚୁଡ଼ାନ୍ତ ତାଲିକା ପ୍ରକାଶିତ ହୋଇଛି। ରାଜ୍ୟସ୍ତରରେ ଜାରି ଚୂଡ଼ାନ୍ତ ଭୋଟର ଲିଷ୍ଟରେ ମୋଟ ୭,୯୭,୨୬୩ ନୂଆ ଭୋଟର ଯୋଡି ହୋଇଛନ୍ତି। ତେବେ ୧୩ଲକ୍ଷ ୬୦ ହଜାର ୩୧୬ ଭୋଟ କଟିଛି। ଜୁନ ମାସରେ ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବା ବେଳେ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୨,୧୪,୬୧,୦୪୩ ଥିଲା। ଏବେ ଚୂଡ଼ାନ୍ତ ତାଲିକାରେ ଭୋଟରଙ୍କ ସଂଖ୍ୟା ୨,୦୧,୦୦,୭୨୭ ରହିଛି।

ଏ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଯେଉଁ ଯୋଗ୍ୟ ମତଦାତା ଏବେବି ଭୋଟର ଲିଷ୍ଟରେ ସେମାନଙ୍କ ନାମ ଉଠାଇ ପାରିନାହାନ୍ତି ସେମାନେ ଇସିଆଇନେଟ୍ ଆପ୍ ଅଥବା ବିଏଲଓଙ୍କ ନିକଟକୁ ଯାଇ ଅନଲାଇନ ଫର୍ମ-୬ ପୂରଣ କରି ନିଜ ନାମ ଭୋଟର ଲିଷ୍ଟରେ ସାମିଲ କରାଇ ପାରିବେ। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୧୪ ମେ ୨୦୨୬ର ଅଧିସୂଚନା ଅନୁସାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପ୍ରକ୍ରିୟା ପଞ୍ଜାବରେ ଜୁନ ୨୫ ତାରିଖରେ ଆରମ୍ଭ ହୋଇଥିଲା। ପଞ୍ଜାବକୁ ଏସଆଇଆରର ତୃତୀୟ ପର୍ଯ୍ୟାୟରେ ଶାମିଲ କରାଯାଇଥିଲା।

ଏସଆଇଆର ପରେ ପଞ୍ଜାବରେ ମତଦାନ କେନ୍ଦ୍ର ସଂଖ୍ୟା ୨୪,୪୫୩ରୁ ବଢି ୨୫,୩୩୨ ହୋଇଯାଇଛି। କାରଣ ଭୋଟରଙ୍କ ପହଞ୍ଚ ସୁଗମ କରିବା ଲାଗି ସବୁ ଜିଲ୍ଲାରେ ପୋଲିଂ ଷ୍ଟେସନଙ୍କୁ ରେସନାଲାଇଜେସନ କରାଯାଇଥିଲା। ଏଣୁ ରାଜ୍ୟରେ ୮୭୯ଟି ନୂଆ ପୋଲିଂ ବୁଥ ଯୋଡା ଯାଇଛି। ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଅନିନ୍ଦିତା ମିତ୍ରଙ୍କ ଅନୁସାରେ ପ୍ରତି ପୋଲିଂ ବୁଥରେ ଭୋଟରଙ୍କ ସଂଖ୍ୟା ସନ୍ତୁଳିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏସଆଇଆର କାଳରେ ଘରକୁ ଘର ବୁଲି ସର୍ଭେ କରାଯିବା ସହିତ ପ୍ରତ୍ୟେକ ପୋଲିଂ ବୁଥର ଫିଜିକାଲ ଭେରିଫିକେସନ କରାଯାଇଥିଲା।