ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ଇସ୍ତଫା ଦାବିରେ ‘ଇଣ୍ଡି’ ମେଣ୍ଟ ନେତାଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ନିର୍ବାଚନ ଆୟୋଗ ସୋମବାର ଦିଲ୍ଲୀରେ ହୋଇଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତଥ୍ୟ ଜାରି କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ (ଇସିଓ) ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏସଆଇଆର ୨୦୨୬ ଅନୁସାରେ ଜାତୀୟ ରାଜଧାନୀ ଦିଲ୍ଲୀର ଭୋଟର ଲିଷ୍ଟରେ ପାଖାପାଖି ୩୩ ଲକ୍ଷ ଏଣ୍ଟ୍ରି ଏପରି ମିଳିଛି ଯେଉଁଥିରେ ତାର୍କିକ ତ୍ରୁଟି ରହିଛି ଅଥବା ପୂର୍ବରୁ ଥିବା ରେକର୍ଡରେ ମିଶୁ ନାହିଁ।

୨୦ ଲକ୍ଷ ମାମଲାର ହୋଇଛି ସମାଧାନ
ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବାର୍ତ୍ତାରେ କୁହାଯାଇଛି ଯେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ରେ ଦିଲ୍ଲୀ ଭୋଟର ଲିଷ୍ଟରେ ପାଖାପାଖି ୩୩ ଲକ୍ଷ ଏଣ୍ଟ୍ରି ତାର୍କିକ ବିସଙ୍ଗତି ଅଥବା ଅନମ୍ୟାପଡ୍ ଶ୍ରେଣୀରେ ଥିଲା। ଏଥିରେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଏକ ଅଭିଯାନ ଚଳାଯାଇଥିଲା। ଏପର୍ଯ୍ୟନ୍ତ ୩୩ଲକ୍ଷ ମାମଲାରୁ ପାଖାପାକି ୨୦ ଲକ୍ଷ ମାମଲାର ସମାଧାନ ହୋଇ ପାରିଛି। ଏଥିରେ ଯଦି କୌଣସି ଭୋଟରଙ୍କ କିଛି ଅଭିଯୋଗ ଥାଏ ତେବେ ନିର୍ଦ୍ଦ୍ୱନ୍ଦରେ ୧୪ ହଜାର ୯୪୭ ବିଏଲଓ, ୯୦୨ ଏଇଆରଓ, ୭୦ ଇଆରଓ, ୧୩ ଡିଇଓ ଏଥବା ସିଇଓଙ୍କ ମଧ୍ୟରୁ କାହାରିକୁ ବି ଯୋଗାଯୋଗ କରିପାରିବେ।

ନିର୍ବାଚନ ଆୟୋଗ ପୁଣି ଥରେ ଭୋଟରଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଯେ କୌଣସି ପାତ୍ର ଭୋଟରଙ୍କ ନାମ ତାଲିକାରୁ କଟିବ ନାହିଁ।