ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେବାର ଦିନକ ପରେ ମୁହଁ ଖୋଲିଛନ୍ତି ଶ୍ୱାତୀ ମାଲିୱାଲ। ରାଜ୍ୟସଭା ସାଂସଦ ମାଲିୱାଲ ଶନିବାର ତାଙ୍କ ପୂର୍ବତନ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଉପରେ ବର୍ଷିଥିବା ବେଳେ ତାଙ୍କୁ ‘ମହିଳା ବିରୋଧୀ’ କହିବା ସହ ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦିରେ ଲିପ୍ତ ଥିବା ବ୍ୟକ୍ତି ବୋଲି କହିଛନ୍ତି। ବିଜପିରେ ଔପଚାରିକ ରୂପେ ଯୋଗଦେବା ପରେ ସେ ଗଣମାଧ୍ୟମ ସହ ସାକ୍ଷାତକାରରେ କହିଛନ୍ତି ଯେ ବିଜେପିରେ ଯୋଗଦେବାର ନିଷ୍ପତ୍ତି ସେ ସ୍ୱଚ୍ଛାରେ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ରଚନାତ୍ମକ ରାଜନୀତିରେ ବିଶ୍ୱାସ ରଖନ୍ତି ସେମାନେ ବିଜେପିରେ ସାମିଲ ହେବା ଦରକାର।

ଆମ ଆଦମୀ ପାର୍ଟିରୁ ପୃଥକ ହୋଇଥିବା ଘୋଷଣା କରି ମାଲିୱାଲ କହିଛନ୍ତି ଯେ ସେ ୨୦୦୬ ମସିହାରୁ କେଜରିୱାଲଙ୍କ ସହ ଜଡିତ ଓ କେଜରିୱାଲଙ୍କ ଆରଟିଆଇ ଏବଂ ଆନ୍ନା ଆନ୍ଦୋଳନକୁ ସମର୍ଥନ କରିଥିଲେ। ତେବେ ସେ ଅଭିଯୋଗ କରି କହିଛନ୍ତି ଯେ ଆପ ଯେଉଁ ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିଲା ସେ ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇଛି ଓ ପରେ ତାଙ୍କୁ ସଙ୍ଗଠନରେ ନିର୍ଯାତନା ଓ ଚାପର ସମ୍ମୁଖୀନ ହେବାକୁ ପଡିଥିଲା। ସେ କହିଛନ୍ତି ଯେ ସେକେଜରିୱାଲଙ୍କ ସହ କାମ କରୁଥିଲେ ଓ ତାଙ୍କର ସବୁ ଆନ୍ଦୋଳନରେ ସମର୍ଥନ କରୁଥିଲେ। ହେଲେ କେଜରିୱାଲ ମୋତେ ମୋ ଘରେ ଗୁଣ୍ଡାଙ୍କ ଦ୍ୱାରା ମାଡ଼ ମାରିଥିଲେ। ଏହା ବିରୋଧରେ ମୁଁ ସ୍ୱର ଉତ୍ତୋଳନ କରିବାରୁ ମୋତେ ଧମକ ଦିଆଗଲା ଓ ଘଟଣା ନେଇ ମୋ ଏତଲା ପ୍ରତ୍ୟାହାର କରିବାକୁ ଚାପ ପକାଗଲା।

ମାଲିୱାଲ ପଞ୍ଜାବ ଆମ ଆଦମୀ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି। କହିଛନ୍ତି ରାଜ୍ୟ ସରକାରଙ୍କୁ ଦୂରରୁ ନିୟନ୍ତ୍ରଣ କରାଯାଉଛି। ସେ ପଞ୍ଜାବ ପାର୍ଟି ନେତୃତ୍ୱକୁ ‘ପ୍ରାଇଭେଟ ଏଟିଏମ’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପଞ୍ଜାବରେ ବାଲି ଖନନ ଓ ନିଶା ସେବନ ଏବେ ଚରମ ସୀମାରେ ପହଞ୍ଚିଛି। ଏଥିରେ ଯେଉଁମାନେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କ ବିରୋଧରେ ଏତଲା ରୁଜୁ ହେଉଛି। ମାଲିୱାଲଙ୍କ ଏହି ଟିପ୍ପଣୀ ଆପରେ ଜାରି ବ୍ୟାପକ ଛକାପଞ୍ଜା ମଧ୍ୟରେ ଆସିଛି। ଯେଉଁଥିରେ ରାଘବ ଚଡ୍ଡା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲଙ୍କ ସମେତ ଅନେକ ରାଜ୍ୟସଭା ସାଂସଦ ପାର୍ଟି ଛାଡିବାର ଘୋଷଣା କରିଛନ୍ତି।