ଭୁବନେଶ୍ୱର: ଗଣ୍ଠିବାତ ସମସ୍ୟାରୁ ସୁସ୍ଥ ହେବା ସମ୍ଭବପର । ଏହା ଏକ ଜୀବନ ଶୈଳୀ ଜନିତ ବ୍ୟାଧି । ସଚେତନ ଓ ସତର୍କ ହେବା ସହ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଏହି ରୋଗରୁ ମଣିଷ ସୁସ୍ଥ ହୋଇପାରିବ ବୋଲି ବିଶ୍ୱ ଗଣ୍ଠିବାତ ଦିବସ ପରିପ୍ରେକ୍ଷୀରେ ବିଶେଷଜ୍ଞ ମତ ରଖିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ୍ ୧ର କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ରିଉମାଟୋଲୋଜି ବିଭାଗ ପକ୍ଷରୁ ସୋମବାର ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ଆୟୋଜିତ ଏକ ସଚେତନତା ରାଲିରେ ଏଭଳି ବାର୍ତ୍ତା ପ୍ରଦାନ କରାଯାଇଛି।

ଏହି ବ୍ୟାଧି ନେଇ ଜନସାଧାରଣଙ୍କ ମଧ୍ୟରେ ଗଣ୍ଠିବାତ ସମ୍ପର୍କିତ ସଚେତନତା ସୃଷ୍ଟି ଏବଂ ରୋଗକୁ ଶୀଘ୍ର ଚିହ୍ନଟ କରି ଶୀଘ୍ର ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟ ନେଇ ବିଶ୍ୱ ଗଣ୍ଠିବାତ ଦିବସ ପାଳନ ଉପଲକ୍ଷେ ସୋମବାର ମାଷ୍ଟରକ୍ୟାଂଟିନରୁ ରାମମନ୍ଦିର ପର୍ଯ୍ୟନ୍ତ ଏକ ୱାକାଥନ୍ ଆୟୋଜିତ ହୋଇଥିଲା । ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଗଣ୍ଠିବାତ ରୋଗର ସମସ୍ୟା, ଏହାର ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ବୁଝାଇଥିଲେ । ଏହି ବ୍ୟାଧିରୁ ମୁକ୍ତି ପାଇବା ନିମନ୍ତେ ଉପଯୁକ୍ତ ଜୀବନ ଶୈଳୀ ଏବଂ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ପରିପ୍ରେକ୍ଷୀରେ ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋ କହିଥିଲେ ଯେ ଏହି ସମସ୍ୟା କେବଳ ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖାଦିଏ ତାହା ନୁହେଁ ବରଂ ଶିଶୁ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ ଏହି ରୋଗ ଦେଖାଦେଇଥାଏ । ଏକ ଶହରୁ ଅଧିକ ପ୍ରକାରର ଗଣ୍ଠିବାତ ହୋଇଥାଏ । ତେବେ ଏହା ସଂକ୍ରାମକ ନୁହେଁ । ଏହାର ଚିକିତ୍ସା ସମ୍ଭବ । ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କରାଗଲେ ରୋଗୀଟି ଯନ୍ତ୍ରଣା ଓ ଅକର୍ମଣ୍ୟତାରୁ ମୁକ୍ତ ହୋଇଥାଏ ବୋଲି ସେ କହିଥିଲେ । ଏହି ସଚେତନତା ରାଲିରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ରଙ୍କ ସମେତ ଡାକ୍ତର, ନର୍ସ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।