ନୂଆଦିଲ୍ଲୀ : ଦେଶର ସବୁଠାରୁ ପ୍ରତିଷ୍ଠିତ ପରୀକ୍ଷା ମଧ୍ୟରୁ ଗୋଟିଏ ସିଭିଲ୍ ସର୍ଭିସ୍। ନିକଟରେ UPSC-2025ର ଫଳାଫଳ ପ୍ରକାଶ ପାଇଥିଲା। ତାମିଲନାଡୁର ରାଜେଶ୍ୱରୀ ସୁଭେ ଏମ ଅଲ୍ ଇଣ୍ଡିଆ ରାଙ୍କରେ ଥିଲେ ଟପ୍-2ରେ । ସାଧାରଣତଃ, ଏତେ ଭଲ ରାଙ୍କ୍ ରଖିଥିବା ପରୀକ୍ଷାର୍ଥୀଙ୍କ ପ୍ରଥମ ପସନ୍ଦ ଥାଏ IAS। କିନ୍ତୁ ରାଜେଶ୍ୱରୀଙ୍କ ସ୍ୱପ୍ନ ଟିକିଏ ଭିନ୍ନ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ଆଇଏଏସ୍ ହେବାକୁ ଚାହାନ୍ତିନି । ରାଜେଶ୍ୱରୀ ସୁଭେଙ୍କ IAS ଅଧିକାରୀ ନ ହେବାର ନିଷ୍ପତ୍ତି ପଛରେ ବି ରହିଛି ଏକ କାରଣ।

ରାଜେଶ୍ୱରୀ ସୁଭେ ଏମ୍ ତାମିଲନାଡୁର ମାଦୁରାଇର ବାସିନ୍ଦା। ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ, ରାଜେଶ୍ୱରୀ ଚେନ୍ନାଇରେ ପଢ଼ିଥିଲେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ। ସେ 2018ରେ ଗ୍ରାଜୁଏସନ୍ ଶେଷ କରିଥିଲେ। ତାପରେ ନିଜ ପାଠପଢ଼ା ଜାରି ରଖିବା ସହିତ ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ନିଜ ଚେଷ୍ଟାରେ ସେ ହୋଇଥିଲେ ଡେପୁଟି କଲେକ୍ଟର । ପ୍ରଶାସନିକ ଦାୟିତ୍ୱ ତୁଲାଇବା ସହିତ, ସେ UPSC ପାଇଁ ତାଙ୍କର ପ୍ରସ୍ତୁତି ଜାରି ରଖିଥିଲେ। ତାଙ୍କର କଠିନ ପରିଶ୍ରମ ଏବଂ ଶୃଙ୍ଖଳାର ହୋଇଛି ବିଜୟ। ପ୍ରତିବର୍ଷ, ଦେଶ ସାରା ଲକ୍ଷ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦିଅନ୍ତି। କିନ୍ତୁ ବହୁତ କମ୍ ଲୋକ ଶୀର୍ଷ ସ୍ଥାନରେ ପହଞ୍ଚିବାରେ ସଫଳ ହୁଅନ୍ତି। ଏହି ପରିପ୍ରେକ୍ଷୀରେ, ଏକାସହ ଚାକିରି କରିବା ସହିତ ପାଠପଢ଼ି AIR-2 ହାସଲ କରିବା ନିହାତି ଭାବେ ତାଙ୍କ ପରିଶ୍ରମ ଏବଂ ସମର୍ପଣର ପ୍ରମାଣ।

UPSC ପରୀକ୍ଷାରେ ଦ୍ୱିତୀୟ ସର୍ବାଧିକ ସ୍କୋର୍ ପାଇବା ସତ୍ତ୍ୱେ, ରାଜେଶ୍ୱରୀ ସୁଭେ IAS ଅଧିକାରୀ ହେବାକୁ ଚାହାଁନ୍ତି ନାହିଁ । ଏକ ସାକ୍ଷାତକାରରେ ରାଜେସ୍ୱରୀ କହିଛନ୍ତି ଯେ, "ୟୁନିଫର୍ମ ଚାକିରି"ର ସ୍ୱପ୍ନ ସେ ଦେଖିଛନ୍ତି କଲେଜ ଦିନରୁ। ସେହି ସମୟରେ, ସେ ଜଣେ NCC କ୍ୟାଡେଟ୍ ଥିଲେ। ସେଠାରୁ ସେ ଶୃଙ୍ଖଳା, ନେତୃତ୍ୱ ଏବଂ ସାର୍ବଜନୀନ ସେବାରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଥିଲେ। NCC ସହିତ ଜଡ଼ିତ ହେବା ପରେ ସେ ପୋଲିସ ଏବଂ ସୁରକ୍ଷା ସେବା ସହିତ ଜଡିତ କାର୍ଯ୍ୟ ବିଷୟରେ ଜ୍ଞାନ ହାସଲ କଲେ।

ଏହି ଅଭିଜ୍ଞତା ହିଁ IPS ହେବାକୁ ତାଙ୍କ ଆଗ୍ରହ ବଢ଼ାଇଥିଲା। ସେ ବିଶ୍ୱାସ କରନ୍ତି ଯେ ପୋଲିସ ବାହିନୀରେ ସେବା କରିବା ଦ୍ୱାରା ସମାଜ ମଧ୍ୟରେ ସିଧାସଳଖ କାମ କରିବା ଏବଂ ପରିବର୍ତ୍ତନ ଆଣିବାର ସୁଯୋଗ ମିଳିଥାଏ। ଏହି କାରଣରୁ, ଟପ୍ ରାଙ୍କ୍ ହାସଲ କରିବା ସତ୍ତ୍ୱେ, ସେ IAS ବଦଳରେ IPSକୁ ତାଙ୍କର ପ୍ରଥମ ପସନ୍ଦ ଭାବରେ ବାଛିଛନ୍ତି।

Also Read- IAS Success Story : କରେଣ୍ଟ ନାହିଁ, କୋଚିଂ ନାହିଁ... ଦୀପ ଆଲୁଅରେ ପାଠ ପଢ଼ି ଗାଁ ପୁଅ ଏବେ ଆଇଏଏସ୍ ଅଧିକାରୀ