ନୂଆଦିଲ୍ଲୀ : ଯଦି କୌଣସି ଲକ୍ଷ୍ୟ ହାସଲ କରିବାକୁ ଇଚ୍ଛା ଶକ୍ତି ଥାଏ। ଆଉ ଏଥିପାଇଁ କଠିନ ପରିଶ୍ରମ ଜାରି ରୁହେ, ତାହେଲେ ସଫଳତା ମିଳିବା ସୁନିଶ୍ଚିତ। କୌଣସି କଷ୍ଟକର ପରିସ୍ଥିତି ବି ତାଙ୍କୁ ଅଟକାଇ ପାରିବନି । ଏସବୁ ସତ ସାବ୍ୟସ୍ତ ହୋଇଛି, IAS ଅଧିକାରୀ ଅଂଶୁମାନ ରାଜଙ୍କ କ୍ଷେତ୍ରରେ। ଏକ ଛୋଟିଆ ଗାଁରୁ ଆସିଥିବା ଅଂଶୁମାନ ବିନା କୋଚିଂ କ୍ଲାସ୍ ରେ ଦେଶର ସବୁଠାରୁ କଠିନ ପରୀକ୍ଷା, UPSC କ୍ରାକ୍ କରି ହୋଇଛନ୍ତି IAS ।

କେମିତି ଥିଲା ସଂଘର୍ଷ :

ଅଂଶୁମାନ ରାଜ, ବିହାରର ବକ୍ସର ଜିଲ୍ଲାର ଏକ ଛୋଟ ଗାଁର ବାସୀନ୍ଦା। ଗାଁର ସ୍ଥାନୀୟ ନବୋଦୟ ବିଦ୍ୟାଳୟରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ। ଗାଁରେ ନଥିଲା ବିଦ୍ୟୁତ୍ ସୁବିଧା। ପରିସ୍ଥିତି ଏପରି ଥିଲା ଯେ, ରାତିରେ ପାଠପଢ଼ିବା ପାଇଁ ତାଙ୍କୁ ଦୀପ ଆଲୁଅରେ ଘଣ୍ଟା ଘଣ୍ଟା ଧରି ବସିବାକୁ ପଡୁଥିଲା। ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏମିତି ପରିସ୍ଥିତିର କରିଥିଲେ ସାମ୍ନା। କାହିଁକିନା ଅନ୍ୟ କୌଣସି ସୁବିଧା ଯୋଗାଇବାକୁ ତାଙ୍କ ପରିବାର ନଥିଲା ସକ୍ଷମ। କାହିଁକିନା ଘରର ଆର୍ଥିକ ପରିସ୍ଥିତି ବି ଭଲ ନଥିଲା। ବାପାଙ୍କର ଚାଉଳ ମିଲ୍ ବ୍ୟବସାୟ। ଯାହା କ୍ଷତିରେ ଚାଲିଥିଲା। ମା ସରକାରୀ ସ୍କୁଲ ଶିକ୍ଷୟତ୍ରୀ ଥିଲେ। କନ୍ତୁ ପୂରା ଘରର ଦାୟିତ୍ୱ ତାଙ୍କ ଉପରେ ଥିଲା ନ୍ୟସ୍ତ। ସେଥିପାଇଁ ପୁଅର ପାଠ ପାଇଁ ସବୁ ସୁବିଧା ଦେବା ନଥିଲା ସହଜ। ଏହିଭଳି କଷ୍ଟଦାୟକ ପରିସ୍ଥିତିରେ ସେ ଦ୍ୱାଦଶ ପାଠପଢ଼ା ଶେଷ କଲେ। ତାପରେ ଅଧିକ ପାଠପଢ଼ା ପାଇଁ ସେ JNV ରାଞ୍ଚି ଚାଲି ଯାଇଥିଲେ। ସେଠାରେ ଅଧିକ ଶିକ୍ଷା ସମାପ୍ତ କରିବା ସହ, ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରକୃତରେ, ଅଂଶୁମାନ ରାଜ ଏକ ସାଧାରଣ ପରିବାରରୁ ଆସିଛନ୍ତି। ତାଙ୍କ ପାଖରେ ପାଠପଢ଼ା ପାଇଁ ପ୍ରଚୁର ସମ୍ବଳ ନଥିଲା, ତଥାପି ସେ କେବେ ହାର ମାନିବାକୁ ନଥିଲେ ପ୍ରସ୍ତୁତ। UPSC ପାଇଁ ପ୍ରସ୍ତୁତି ଆରମ୍ଭ କରି ପ୍ରଥମ ପ୍ରୟାସରେ ସଫଳତା ପାଇଲେ। କିନ୍ତୁ ତାଙ୍କ ରାଙ୍କ୍ ଆଧାରରେ, ତାଙ୍କୁ IRS ବା ଭାରତୀୟ ରାଜସ୍ୱ ବିଭାଗରେ ନିଯୁକ୍ତି ଦିଆଯାଇଥିଲା। କାରଣ ତାଙ୍କର ସ୍ୱପ୍ନ ଥିଲା IAS ଅଧିକାରୀ ହେବା। ସେଥିପାଇଁ ସେ ଆଉ ଏକ ପ୍ରୟାସ କରିବାକୁ ନିଷ୍ପତ୍ତି ନେଇଥିଲେ। ଯଦିଓ ପରବର୍ତ୍ତୀ ଦୁଇଟି ପ୍ରୟାସରେ ତାଙ୍କୁ ମିଳିନଥିଲା ସଫଳତା। ତଥାପି ସେ ହାର ମାନି ନଥିଲେ। ଜାରି ରଖିଥିଲେ କଠିନ ପରିଶ୍ରମ। ଶେଷରେ, ୨୦୧୯ରେ ଚତୁର୍ଥ ପ୍ରୟାସରେ ୧୦୭ ନମ୍ବର ରଖି UPSC କରିଥିଲେ କ୍ରାକ୍। ଆଉ IAS ଅଧିକାରୀ ହେବାର ତାଙ୍କର ସ୍ୱପ୍ନ ହୋଇଥିଲା ପୂରଣ ।

ଅଂଶୁମାନ ରାଜଙ୍କ କାହାଣୀ ଆମକୁ ଶିକ୍ଷା ଦିଏ ଯେ ବଡ଼ କୋଚିଂ କ୍ଲାସ କିମ୍ବା ସବୁ ସୁବିଧା ସଫଳତା ପାଇଁ ଜରୁରୀ ନୁହେଁ। ଗୁରୁତ୍ୱପୂର୍ଣ୍ଣ ହେଉଛି ନିଷ୍ଠା, କଠିନ ପରିଶ୍ରମ, ଧୈର୍ଯ୍ୟ ଏବଂ ଦୃଢ଼ ସଂକଳ୍ପ। ଯଦି ଗାଁରେ ଦୀପ ଆଲୁଅରେ ପାଠ ପଢ଼ି ଜଣେ ଛାତ୍ର IAS ଅଧିକାରୀ ହୋଇପାରନ୍ତି, ତେବେ ଏହା ପ୍ରତ୍ୟେକ ଯୁବକଙ୍କ ପାଇଁ ନିହାତି ଭାବେ ଉଦାହରଣ। ଅଂଶୁମାନ ଏକଥା ପବି ଶିଖାଇଛନ୍ତି, ପରିସ୍ଥିତି ଯେକୌଣସି ହେଉ ନା କାହିଁକି, ଯଦି ଜଣଙ୍କର ସଂକଳ୍ପ ଦୃଢ଼, ତେବେ ଲକ୍ଷ୍ୟ ହାସଲ କରିବାରେ ଅଟକାଇ ପାରିବେନି କେହି ।

Also Read- Vijaypat Singhania : କୋଟିପତି ବ୍ୟବସାୟୀ ବିଜୟପଥ୍ ସିଂଘାନିଆ , ଶେଷ ସମୟରେ ବି ପାଖ ଛାଡ଼ି ନ ଥିଲା ଦୁଃଖ

​​​​​​​