ନୂଆଦିଲ୍ଲୀ: ଗଲ୍ଫ ଅଫ୍ ଓମାନ (Gulf of Oman) ସମୁଦ୍ରରେ ଏକ ତୈଳବାହୀ ଜାହାଜ ଉପରେ ଆମେରିକା ସେନା ପକ୍ଷରୁ ହୋଇଥିବା ମିସାଇଲ୍ ଆକ୍ରମଣରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ୨୩ ବର୍ଷୀୟ ଭାରତୀୟ ଡେକ୍ କ୍ୟାଡେଟ୍ ଆଦିତ୍ୟ ଶର୍ମାଙ୍କ ପିତା ରାଜେଶ ଶର୍ମା ଗଭୀର ଦୁଃଖ ପ୍ରକାଶ କରିବା ସହ ଆମେରିକାର ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନକୁ କଡ଼ା ସମାଲୋଚନା କରିଛନ୍ତି।

ପାଲାଉ (Palau) ପତାକା ଥିବା ଜାହାଜ 'ଏମଟି ସେଟେବେଲୋ' (MT Settebello) ଉପରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଆମେରିକା ସେନା ପକ୍ଷରୁ ଗାଇଡେଡ୍ ମିସାଇଲରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ୩ ଜଣ ଭାରତୀୟ ନାବିକ - ଆଦିତ୍ୟ ଶର୍ମା, ଶିବାନନ୍ଦ ଚୌରାସିଆ ଏବଂ ପାଟନାଲା ସୁରେଶଙ୍କ ମୃତ୍ୟୁ ହୋଇଛି। ଜାହାଜରେ ଥିବା ଅନ୍ୟ ୨୧ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ୍ ଅନୁଯାୟୀ, ଏହି ଜାହାଜଟି ସାମୁଦ୍ରିକ କଟକଣାକୁ ଅମାନ୍ୟ କରି ଇରାନରୁ ତେଲ ପରିବହନ କରୁଥିଲା ଏବଂ ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ଜାହାଜର କ୍ରୁ ସଦସ୍ୟ ଏହାକୁ ମାନି ନଥିଲେ।ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟଙ୍କ ପିତା ରାଜେଶ ଶର୍ମା ଆମେରିକାର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି ଦର୍ଶାଇଛନ୍ତି।

ସେ କହିଛନ୍ତି, ଏକ ବ୍ୟବସାୟିକ ଜାହାଜକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ସେନା ଯେଉଁ ପନ୍ଥା ଆପଣାଇଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ସେମାନଙ୍କୁ ସାମୁଦ୍ରିକ ଆଇନ ଏବଂ ଅନ୍ତର୍ଜାତୀୟ ନିୟମ ପାଳନ କରିବା ଉଚିତ ଥିଲା। ସିଧାସଳଖ ମିସାଇଲ୍ ମାଡ଼ କରିବା ଏକ ବିକଳ୍ପ ନୁହେଁ। ଅନ୍ୟ ଉପାୟ କାହିଁକି ଆପଣାଗଲା ନାହିଁ ? ଜାହାଜକୁ ଜବତ କରାଯାଇପାରିଥାନ୍ତା କିମ୍ବା କ୍ରୁ ସଦସ୍ୟମାନଙ୍କୁ ଗିରଫ କରାଯାଇପାରିଥାନ୍ତା, କିନ୍ତୁ ମିସାଇଲ୍ ବ୍ୟବହାର କରି ନିରୀହ ଲୋକଙ୍କ ଜୀବନ କାହିଁକି ବିପଦରେ ପକାଗଲା ବୋଲି ରାଜେଶ ଶର୍ମା ପ୍ରଶ୍ନ କରିଛନ୍ତି ।

ସାମୁଦ୍ରିକ କଟକଣା ଏବଂ ଚେତାବନୀ ସତ୍ତ୍ୱେ ଜାହାଜର କ୍ୟାପଟେନ କାହିଁକି ଜାହାଜ ଚଳାଇବା ଜାରି ରଖିଥିଲେ ? ସେ କୌଣସି ଚାପରେ ଥିଲେ କି ? ଏହାର ତଦନ୍ତ ହେବା ଦରକାର ବୋଲି ସେ ଦାବି କରିଛନ୍ତି। ସେପଟେ ଏହି ସାଧାରଣ ବ୍ୟବସାୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ ସରକାର ଦୃଢ଼ ନିନ୍ଦା କରିଛନ୍ତି। ଭାରତ ସରକାର ନୂଆଦିଲ୍ଲୀରେ ଥିବା ଆମେରିକାର ଦୂତାବାସର ଚାର୍ଜ ଡି' ଆଫେୟାର୍ସ (Chargé d'affaires) ଙ୍କୁ ସମନ କରି ଏହି ଘଟଣା ଉପରେ ଆପତ୍ତି ଜଣାଇଛନ୍ତି। ଓମାନ ସରକାରଙ୍କ ସହ ମିଶି ଭାରତୀୟ ପ୍ରଶାସନ ଉଦ୍ଧାର ଏବଂ ସର୍ଚ୍ଚ ଅପରେସନର ସମୀକ୍ଷା କରୁଛି।

ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ନିବେଦନ

ମୃତ ଆଦିତ୍ୟଙ୍କ ପିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଗୁହାରି କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପୁଅକୁ ରକ୍ଷା କରିବା ପାଇଁ ସଠିକ୍ ସମୟରେ ପଦକ୍ଷେପ ନିଆଯାଇଥିଲା କି ନାହିଁ ତାହା ସ୍ପଷ୍ଟ ହେବା ଦରକାର ଏବଂ ଯଥାଶୀଘ୍ର ତାଙ୍କ ପୁଅର ମୃତଦେହକୁ ଭାରତ ଫେରାଇ ଆଣିବାକୁ ସେ ଅନୁରୋଧ କରିଛନ୍ତି। ସେହିଭଳି ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଶୋକସନ୍ତପ୍ତ ପରିବାର ସହ ଆଲୋଚନା କରିଛନ୍ତି। ବର୍ତ୍ତମାନ ପରିବାର ପକ୍ଷରୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଛି ଏବଂ ସେମାନେ ଆଦିତ୍ୟଙ୍କ ପାର୍ଥିବ ଶରୀରକୁ ଅପେକ୍ଷା କରିଛନ୍ତି।