ଭୁବନେଶ୍ୱର ୦୯।୦୪ : ଚାକିରୀ ସରକାରୀ, କାମ ବେସରକାରୀ । କଳାଧନରେ କଳାସାମ୍ରାଜ୍ୟ ଗଢିଥିଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି । ଦୀର୍ଘ ସମୟରେ ଧରି ବିଭିନ୍ନ ସ୍ଥାନରେ ଚଢାଉ ପରେ ଭିଜିଲାନ୍ସ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କୁ ଗିରଫ କରିଛି । ଏହାସହିତ ଜବତ ହୋଇଥିବା ବିଭିନ୍ନ ସଂପତ୍ତିକୁ ସିଜ୍ କରିଛି ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ଠିକଣା ଚଢାଉ କରିଥିଲା ଭିଜିଲାନ୍ସ । ଯେତେ ପ୍ରୋଜେକ୍ଟ, ସେତେ ଲାଞ୍ଚ । ହଳଦିଆ, ମାଟିଆ, ଧଳା ବିଭିନ୍ନ ରଙ୍ଗର ଏନଭଲପ ଦେଖିବାକୁ ମିଳୁଛି । ଏହି ଏନଭଲପ ଭିତରେ ଥିଲା ଲାଞ୍ଚ ଟଙ୍କା । ଏନଭଲପ ଉପରେ ଲେଖା ହୋଇଛି ବିଭିନ୍ନ ପ୍ରୋଜେକ୍ଟର ନାଁ । ମାନେ ପ୍ରତିଟି ପ୍ରୋଜେକ୍ଟ ଏବଂ ଏଗ୍ରିମେଣ୍ଟ ପାଇଁ ଲାଞ୍ଚ ଟଙ୍କା ଫିକ୍ସ କରିଥିଲେ ବାବୁ। କେନ୍ଦ୍ରୀୟ ଜଳସେଚନ ସର୍କଲ ବା ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ବାହାରିଛି ଏସବୁ ଏନଭଲପ । ଏଥିରୁ ଜଣାପଡ଼ୁଛି ବାବୁ ଜଣେ ଅଭ୍ୟାସଗତ ଲାଞ୍ଚୁଆ ଥିଲେ। ପ୍ରତିଟି ପ୍ରୋଜେକ୍ଟ  ଏବଂ ଏଗ୍ରିମେଣ୍ଟ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିଲେ ଯନ୍ତ୍ରୀ ମହାଶୟ । ଆଗ ଲାଞ୍ଚ ଟଙ୍କାର ଏନଭଲପ୍ ଗ୍ରହଣ କରିବା ପରେ ଫାଇଲରେ କରୁଥିଲେ ଦସ୍ତଖତ। ଆଉ ଏହି ଲାଞ୍ଚ ଟଙ୍କାରେ ବାବୁ କେତେ କ’ଣ ସମ୍ପତ୍ତି କରିଛନ୍ତି ତା’ର ବି ଖୋଳତାଡ଼ ଚଳାଇଛି ଭିଜିଲାନ୍ସ ଟିମ୍ ।

Also Read:-IPL, DC vs GT: ଜିତି ବି ଅଡୁଆ ଛାଡିଲାନି, ବିସିସିଆଇ ଲଗାଇଲା କ୍ୟାପଟେନଙ୍କ ଉପରେ ଫାଇନ୍

ଭିଜିଲାନ୍ସ ଦେଇଥିବା ତଥ୍ୟ ଅନୁସାରେ ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର ଭୁବନେଶ୍ବର ବରମୁଣ୍ଡା ହାଉସିଂ ବୋର୍ଡ଼ କଲୋନୀର ୮ ନମ୍ବର ଲେନରେ ରହିଛି ଏକ ତିନି ମହଲା କୋଠା । ପ୍ରାୟ ୩ ହଜାର ସ୍କୋୟାର ଫୁଟ୍ ଜାଗା ଉପରେ ତିଆରି ହୋଇଛି ଏହି ଆଲିଶାନ୍ ଘର । ଏଥିସହ ଢ଼େଙ୍କାନାଳ ଭାପୁର ବିମ୍ବୋଳରେ ରହିଛି ଏକ ଆଲିଶାନ୍ ଫାର୍ମ ହାଉସ । ଯାହା ୧ ଏକର ୭୧ ଡିସିମିଲ୍ ଜାଗାରେ ରହିଛି। ଖାଲି ସେତିକି ନୁହେଁ ଏହି ଫାର୍ମ ହାଉସରେ କେମିତି ଏକ ରାଜ ଉଆସ ନିର୍ମାଣ ହୋଇଛି। ପ୍ରାୟ ୪ହଜାର ସ୍କୋୟାରଫୁଟ୍ ଜାଗାରେ ନିର୍ମାଣ ହୋଇଛି ଏହି ୨ ମହଲା କୋଠା । ଖାଲି କ’ଣ ଏତିକି ?  ବାବୁଙ୍କର ରହିଛି ଆହୁରି ୫ଟି ଦାମୀ ପ୍ଲଟ୍ । ଏଥିରୁ ଗୋଟିଏ ଭୁବନେଶ୍ବରରେ ଥିବା ବେଳେ ବାକିଗୁଡ଼ିକ ବିମ୍ବୋଳରେ ଅଛି । 

ସେହିପରି ବାବୁଙ୍କ ଘର ମିଳିଛି ନଗତ ୬ଲକ୍ଷ ୨୩ ହଜାର ଟଙ୍କା। ଏଥିସହ ବିଭିନ୍ନ ଜମା ବାବଦକୁ ସେ ୬୦ଲକ୍ଷ ୯ ହଜାର ଟଙ୍କା ମିଳିଛି। ବାବୁଙ୍କ ଘରୁ ସୁନାଗହଣା ଜବତ ହୋଇଥିଲେ ବି ତା’ର ପରିମାଣ ଓ ମୂଲ୍ୟ ନେଇ ସୂଚନା ମିଳିନି। ବାବୁଙ୍କ ଘରୁ ମିଳିଛି ୧୩ ଲକ୍ଷ ୪୭ହଜାର ଟଙ୍କାର ବିମାନ ଟିକେଟ୍ । ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇ ସେ ଏହି ଖର୍ଚ୍ଚ କରିଥିବା ଜଣାପଡ଼ିଛି । ସେହିଭଳି ବାବୁଙ୍କ ଘରୁ ୨୦ରୁ ଅଧିକ ଦାମୀ ହାତଘଣ୍ଟା, ୨ଟି ଦାମୀ କାର୍, ଦୁଇଟି ବାଇକ୍ ଜବତ ହୋଇଛି ।