ଭୁବନେଶ୍ୱର, ୧୫|୦୭: ରଥଯାତ୍ରାରେ ପୂରା ରାଜ୍ୟକୁ ଭିଜାଇବ ବର୍ଷା। ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।

ବୁଧବାର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଜଗତସିଂହପୁରରେ ଅତି ଭୀଷଣ ବର୍ଷା ଆଶଙ୍କା ଅଛି। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଥିବା ଘୂର୍ଣ୍ଣିବଳୟ ବୁଧବାର ସୁଦ୍ଧା ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ବୁଧବାର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏ ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଗୁରୁବାର ବା ରଥଯାତ୍ରା ଦିନ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ।

୧୭ ତାରିଖରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଗତ ୨୪ ଘଣ୍ଟାରେ ବାଲେଶ୍ଵରରେ ସର୍ବାଧିକ ୧୦୦ ମିମି ବର୍ଷା ହୋଇଛି ।