ନୂଆଦିଲ୍ଲୀ: ଭାରତୀୟ ପେଣ୍ଟିଂ ଜଗତରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ପ୍ରସିଦ୍ଧ ଚିତ୍ରଶିଳ୍ପୀ ତୈୟବ ମେହେଟ୍ଟାଙ୍କ ୨୦୦୨ ମସିହାର ଏକ ପେଣ୍ଟିଂ ନିଲାମୀରେ ରେକର୍ଡ ୬୯.୧ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାପୂର୍ବରୁ ଏପ୍ରିଲ୍ ୨୦୨୫ରେ ମୁମ୍ବାଇଠାରେ ସାଫ୍ରୋନ୍‌ଆର୍ଟ ନିଲାମୀରେ ତାଙ୍କର ‘ଟ୍ରସଡ୍ ବୁଲ୍’ ପେଣ୍ଟିଂ ୬୧.୮୦ କୋଟି ଟଙ୍କାରେ ବିକ୍ରି ହୋଇଥିଲା । 

ନିଲାମକାରୀ ତୁଷାର ଜୀଓ୍ବାରଜିକା କହିଛନ୍ତି ଯେ, ‘୬୯.୧ କୋଟି ଟଙ୍କାରେ ତୈୟବ ମେହେଟ୍ଟାଙ୍କ ଚିତ୍ରକଳା ବିକ୍ରି ହେବା ତାଙ୍କ ପାଇଁ ଏକ ବିଶ୍ୱ ରେକର୍ଡ ।  ନିଲାମୀରେ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଭାରତୀୟ କଳାକୃତିଗୁଡ଼ିକ ମଧ୍ୟରୁ ଅନ୍ୟତମ। ମ୍ୟୁଜିୟମ୍-ଗ୍ରେଡ୍‌ର ନିଖୁଣ କଳାକୃତି ଗମ୍ଭୀର କ୍ରେତାଙ୍କ ସାମ୍ନାକୁ ଆସିଲେ, ଭାରତୀୟ ମଡର୍ନିଜିମ୍‌ର ପ୍ରକୃତ ମୂଲ୍ୟ କ’ଣ ସ୍ପଷ୍ଟ ହୋଇଯାଏ। ଭାରତର ସମୃଦ୍ଧଶାଳୀ ବ୍ୟକ୍ତିମାନେ ବୁଝିପାରୁଛନ୍ତି ଯେ, କଳାକୃତି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆସେଟ୍ ଏବଂ ମୂଲ୍ୟର ସୁରକ୍ଷିତ ଭଣ୍ଡାର।’

ଜୀଓ୍ବାରଜିକା ନିଲାମୀ  ସଂସ୍ଥା ‘ଭୋଲ୍ଟେ ଉନା’ ନିଲାମୀ ପାଇଁ କେବଳ ଗୋଟିଏ ମାତ୍ର କଳାକୃତି ପ୍ରଦର୍ଶିତ କରିଥାଏ । ଏହା ଦ୍ବାରା ସେହି କଳାକୃତି ଉପରେ କ୍ରେତା ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ । ଅକ୍ଟୋବର ୧୧ ରେ ୧୨ ଘଣ୍ଟାର ନିଲାମୀ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଜୀଓ୍ବାରଜିକା ମୁମ୍ବାଇ, ନୂଆଦିଲ୍ଲୀ, ନ୍ୟୁୟର୍କ, ଦୁବାଇ ଏବଂ ଲଣ୍ଡନର ପ୍ରମୁଖ ସଂଗ୍ରାହକମାନଙ୍କୁ ଏହି ଆର୍ଟୱର୍କ ଦେଖାଇଥିଲେ। ଏହି ନିଲାମୀ ୩୩ କୋଟି ଟଙ୍କାରୁ ଆରମ୍ଭ ହୋଇଥିଲା ।  

ତୈୟବ ମେହେଟ୍ଟା ନିଜ କ୍ୟାରିଅର୍‌ର ପ୍ରଥମ ରିକ୍ସାବାଲା ପେଣ୍ଟିଂ ୧୯୬୧ ମସିହାରେ ବନାଇଥିଲେ। ତାହା ଏକ ଏକରଙ୍ଗୀ କୃତି ଥିଲା ଏବଂ ୨୦୦୪ ମସିହାରେ କ୍ରିଷ୍ଟିଜ୍ ନିଲାମୀରେ ବିକ୍ରି ହୋଇଥିଲା। ସେହି ଏକାକୀ ଚରିତ୍ରଟି ଶ୍ରମ ଓ ସମାଜରୁ ବିଚ୍ଛିନ୍ନତାର ପ୍ରତୀକ ଥିଲା। ଆମେ ଯାହା ଦେଖୁଛୁ ତାହା ପରାଧୀନତା ବା ବନ୍ଧନର ପ୍ରତୀକ ବୋଲି ତୈୟବ ଆମକୁ କେବେ ହେଲେ ଭୁଲିବାକୁ ଦେଇନଥିଲେ।