ଭୁବନେଶ୍ୱର, ୦୩/୦୯: ଏବେ ଯାଏ ବନ୍ୟାରୁ ଆଶ୍ବସ୍ତି ମିଳିନଥିଲା । ଅନେକ ଲୋକେ ପାଣି ଘେରରେ ଥିଲେ । ବୋଝ ଉପରେ ନଳିତା ବିଡ଼ା ଭଳି ଉତ୍ତର ଓଡ଼ିଶାରେ ପୁଣି ଥରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖା ନଦୀ ଉଛୁଳିବାରୁ ବାଲେଶ୍ଵରର ଅନେକ ସ୍ଥାନ ପୁଣି ଥରେ ଜଳବନ୍ଦୀ ହୋଇଛି।

ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଙ୍କେତ ପାର୍ କରିଛି। ସନ୍ଧ୍ୟା ସୁଦ୍ଧା ଜାମଶୋଳାଘାଟରେ ସୁବର୍ଣ୍ଣ ରେଖାର ଜଳସ୍ତର ୫୧.୩୬ ମିଟର ରହିଥିଲା। ରାଜଘାଟରେ ଜଳସ୍ତର ୧୧.୬ ମିଟର ରହିବା ସହ ବିପଦ ସଙ୍କେତ ଉପରେ ଚାଲିଥିଲା। ସୁବର୍ଣ୍ଣରେଖାରେ ବନ୍ୟା ଆସିବାରୁ ଜଳେଶ୍ଵର, ବାଲିଆପାଳ, ଭୋଗରାଇ ବ୍ଳକର ନଦୀ ଉପକୂଳ ଅଞ୍ଚଳରେ ବନ୍ୟା ଜଳ ପଶିଛି। ଭୋଗରାଇ, ବାଲିଆପାଳ ବ୍ଳକରେ ୫୦ରୁ ଊର୍ଦ୍ଧ୍ବ ପଞ୍ଚାୟତର ଲୋକେ ଜଳବନ୍ଦୀ ଅଛନ୍ତି । ଭୋଗରାଇର ୨୦ ପଞ୍ଚାୟତର ୭୦ ହଜାରରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି। ୧୯ଟି ସ୍ଥାନରେ ୧୨ ହଜାରରୁ ଅଧିକ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଜୁଲାଇ ୨୮ ତାରିଖରେ ସୁବର୍ଣ୍ଣରେଖାରେ ପ୍ରଥମ ଓ ଅଗଷ୍ଟ ୧୩ରେ ଦ୍ବିତୀୟ ବନ୍ୟା ଆସିଥିଲା।

Also Read :- ଓଡ଼ିଶାରେ ଆସିବ ଭୂସ୍ଖଳନ, ୧୨ ଜିଲ୍ଲାରେ ହେବ ଭୟଙ୍କର କ୍ଷତି ! ନେପାଳ ବନ୍ୟା ପରେ ମଡେଲ୍ ବଢାଇଲା ଡର

ବୁଧବାର ଲଗାତର ତୃତୀୟଥର ପାଇଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନର ପ୍ରାଥମିକ ଆକଳନ ଅନୁସାରେ ବୁଧବାର ସୁଦ୍ଧା ଭୋଗରାଇ, ବସ୍ତା, ଜଳେଶ୍ଵର, ବାଲିଆପାଳ, ରେମୁଣା ବ୍ଳକର ୪୧ ପଞ୍ଚାୟତର ୨୧୪ ଗାଁ, ପୌରାଞ୍ଚଳର ଗୋଟିଏ ୱାର୍ଡର ମୋଟ ୧ ଲକ୍ଷ ୫୭ ହଜାର ୭୪୭ ଜଣ ପ୍ରଭାବିତ ହୋଇଛନ୍ତି। ବୁଢ଼ାବବଳଙ୍ଗ ବନ୍ଯା ପାଇଁ ବାଲେଶ୍ଵର ପୌରପାଳିକା ପ୍ରଭାବିତ ହୋଇଛି। ସହର ଉପକଣ୍ଠର ବିଭିନ୍ନ ସ୍ଥାନରେ ପାଣି ପଶିଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବି ଡରାଇଛି। ଏନଏଚ-୫ ଗୋବିନ୍ଦପୁରଠାରେ ଜଳସ୍ତର ୭.୬୨ ମିଟର ରହିଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୮.୧୩ ମିଟର। ଏବେସୁଦ୍ଧା ଏଠାରେ ଜଳସ୍ତର ବିପଦ ସଙ୍କେତ ସ୍ତରଠୁ ତଳେ ଚାଲିଛି। ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ରହିଛି ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସତର୍କ କରାଇଛନ୍ତି। ଗୁରୁବାର ସନ୍ଧ୍ୟା ଯାଏ ଜଳସ୍ତର ବିପଦ ସଙ୍କେତ ଉପରେ ରହିବ। ଏଥିରେ ଜଳେଶ୍ଵର, ଭୋଗରାଇ, ବସ୍ତା, ବାଳି ବାଲିଆପାଳ ପ୍ରଭାବିତ ହେବ।

ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ବୁଢ଼ାବଳଙ୍ଗରେ ଜଳସ୍ତର ବଢ଼ିଥିଲା, କିନ୍ତୁ ଏବେ ଖସିଲାଣି। ମହାନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ସେ କହିଛନ୍ତି। ବୈତରଣୀର ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ତଳେ ଚାଲିଛି। ବାରମ୍ବାର ବନ୍ୟା ଯୋଗୁ ଘାଇ ମରାମତି ହୋଇପାରୁନି ରୁନି। ଭଦ୍ରକର ୧୦ରୁ ଅଧିକ ପଞ୍ଚାୟତରେ ପାଣି ପଶି ପଶିଛି। ଚାନ୍ଦବାଲି ବ୍ଳକର ୪ ପଞ୍ଚାୟତ ସ୍ଥିତି ଘାତକ ହୋଇଛି । ଯାଜପୁର-ଆରଡ଼ି ରାସ୍ତାରେ ଜଳ ପ୍ରବାହିତ ହେଉଛି। ଧାମନଗରର ତଳି ଅଞ୍ଚଳରେ ପାଣି ପଶିଛି। ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବ ଥିବା ବନ୍ୟାରେ ମୟୂରଭଞ୍ଜ ଜିଲ୍ଲାର ୨୧ଟି ବ୍ଳକ ସମେତ ବାରିପଦା ପୌରାଞ୍ଚଳ ପ୍ରଭାବିତ ହୋଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାରଠାରୁ ରାଜ୍ୟରେ ବର୍ଷା କମିବ। ୫ ତାରିଖ ଯାଏ ଉତ୍ତର ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ। ରାଜ୍ୟରେ ଧୀରେ ଧୀରେ ବର୍ଷା କମିବ । ୮ ତାରିଖ ଯାଏ ବଡ଼ ବର୍ଷା ଆଶଙ୍କା ନାହିଁ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।