ଭୁବନେଶ୍ୱର, ୨୪।୦୭ : ବାହୁଡ଼ା ଅବସରରେ ଶୁକ୍ରବାର ପୁରୀରେ ପାଗ ଭଲ ରହିପାରେ। ଗୁଳୁଗୁଳି କମ୍ ରହିବା ସହ ଥଣ୍ଡା ପବନ ସମ୍ଭାବନା ଅଛି । ହେଲେ ମଝିରେ ଅସରାଏ କିମ୍ବା ଦୁଇ ଅସରା ବର୍ଷା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏଭଳି ପୂର୍ବାନୁମାନ କରିଛନ୍ତି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

Also Read :- ବାହୁଡ଼ିବେ ମହାବାହୁ : ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

ତାଙ୍କ ପୂର୍ବାନୁମାନ ଅନୁସାରେ ଏକ ଘୂର୍ଣ୍ଣିବଳୟ ୨୫ ତାରିଖବେଳକୁ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ଓଡ଼ିଶାରେ ୨୮ ଯାଏଁ ବର୍ଷା ଲାଗି ରହିବ। ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ୨୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ । ୨୪ରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ହେବ। ଦକ୍ଷିଣ ଉପକୂଳରେ ବର୍ଷା ପରିମାଣ ଅଧିକ ରହିପାରେ। ୩୧ ଜୁଲାଇରୁ ଅଗଷ୍ଟ ୬ ତାରିଖ ଭିତରେ ରାଜ୍ୟରେ ସ୍ବାଭାବିକ ବର୍ଷା ହେବ। କିନ୍ତୁ, ଉତ୍ତର ଉପକୂଳରେ ବର୍ଷା କମ୍ ରହିବା ସମ୍ଭାବନା ଅଛି।

ଶୁକ୍ରବାର (ବାହୁଡ଼ା ଯାତ୍ରା ଦିନ) ରାଜ୍ୟର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ପୁରୀ ସମେତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ରହିଛି। ୨୯ ଯାଏଁ ରାଜ୍ୟରେ ଏଭଳି ପାଗ ରହିବ ।