ନୂଆଦିଲ୍ଲୀ: ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ନିର୍ମମ ହତ୍ୟାକାଣ୍ଡକୁ ନେଇ ଏବେ ବି ଲାଗି ରହିଛି ଚର୍ଚ୍ଚା । ସକାଳ ୭ରୁ ସୁଟିଂ ପାଇଁ ବାହାରିଥିଲେ ମଧ୍ୟ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିନଥିଲେ । ୨୪ ଘଣ୍ଟା ପରେ ବୁଦା ମୂଳରୁ ତାଙ୍କର ଖଣ୍ଡ ବିଖଣ୍ଡିତ ଶରୀର ଉଦ୍ଧାର ହୋଇଥିଲା।  ଏକ ବସ୍ତାରେ ଭର୍ତ୍ତି ହୋଇଥିଲା ଅଭିନେତ୍ରୀଙ୍କ ଶରୀର । ଆଉ ତାଙ୍କ ମୃତଦେହ ୨ ଖଣ୍ଡ ହୋଇଥିଲା ।  ୨୦୨୨ ମସିହା ଜାନୁଆରୀ ୧୬ ତାରିଖ । ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ୍ ସିମୁ ସକାଳ ୭ଟାରେ ସୁଟିଂ ପାଇଁ ଘରୁ ବାହାରି ନିଖୋଜ ହୋଇଯାଇଥିବା ନେଇ ଖବର ଆସିଥିଲା। ଫୋନ୍ ଉଠାଇନଥିଲେ କି ସୁଟିଂ ସେଟ୍‌ରେ ପହଞ୍ଚି ନଥିଲେ। ପରଦିନ ସକାଳେ ଏକ ନିଖୋଜ ମାମଲା ଦାୟର କରାଯାଇଥିଲା।

ନିଖୋଜ ହେବାର ୨୪ ଘଣ୍ଟା ପରେ ଢାକା ବାହାରେ ଥିବା ହଜରତପୁର ବ୍ରିଜ୍ ନିକଟ ବୁଦା ଭିତରୁ ପୁଲିସ୍ ଏକ ବସ୍ତା ଉଦ୍ଧାର କରିଥିଲା ।  ସେଥିରେ ସିମୁଙ୍କ ମୃତଦେହ ଦୁଇ ଖଣ୍ଡ ହୋଇ ରହିଥିଲା। ପ୍ରଥମେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକଙ୍କୁ ସନ୍ଦେହ କରାଯାଇ ଅଭିନେତା ଜାୟେଦ୍ ଖାନ୍‌ଙ୍କୁ ପଚରାଉଚରା କରାଯାଇଥିଲା, ମାତ୍ର ପ୍ରକୃତ ସୁରାକ୍ ମିଳିଥିଲା ସିମୁଙ୍କ ନିଜ ଗାଡ଼ି ଭିତରୁ।

ମଞ୍ଚରୁ ବଡ଼ ପରଦା
୧୯୯୮ ମସିହାରେ କାଜି ହାୟାତଙ୍କ ଫିଲ୍ମ 'ବର୍ତ୍ତମାନ' ଜରିଆରେ ସିମୁ ଫିଲ୍ମ ଜଗତରେ ପାଦ ଥାପିଥିଲେ। ୨୦୦୨ ମସିହା ପର୍ଯ୍ୟନ୍ତ ସେ ପ୍ରାୟ ୨୫ଟି ସିନେମା, ୫୦ଟି ନାଟକ ଏବଂ ଅନେକ ଟେଲିଭିଜନ ଶୋ’ରେ କାମ କରି ଚର୍ଚ୍ଚିତ ଚେହେରା ପାଲଟିଥିଲେ। ତାଙ୍କର ଶେଷ ଫିଲ୍ମ ଥିଲା 'ଜମାଇ ଶାଶୁର'। ୨୦୦୪ ମସିହାରେ ଢାକାର ବ୍ୟବସାୟୀ ଶାଖାୱତ ଅଲି ନୋବେଲଙ୍କୁ ପ୍ରେମ ବିବାହ କରିବା ପରେ ସେ ଫିଲ୍ମରୁ ଦୂରେଇ ପ୍ରଯୋଜନା ଏବଂ ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ।

ହତ୍ୟାକାଣ୍ଡର ପର୍ଦାଫାଶ

ଘଟଣା ଦିନ ସକାଳେ ସିମୁ ସୁଟିଂ ପାଇଁ ଯାଇଥିବା ନେଇ ତାଙ୍କ ସ୍ୱାମୀ ଶାଖାୱତ ଦାବି କରିଥିଲେ। ମାତ୍ର ପୁଲିସ୍ ସିମୁଙ୍କ ପରିବାର କାରକୁ ଯାଞ୍ଚ କରିବା ପରେ ସେଥିରୁ ବ୍ଲିଚିଂ ପାଉଡରର କଡ଼ା ଗନ୍ଧ ବାହାରିଥିଲା। ଗାଡ଼ି ଭିତରୁ ଏକ ନାଇଲନ୍ ଦଉଡ଼ି ମଧ୍ୟ ମିଳିଥିଲା, ଯାହା ମୃତଦେହ ବନ୍ଧାଯାଇଥିବା ବସ୍ତାର ଦଉଡ଼ି ସହ ସମାନ ଥିଲା।

ପଚରାଉଚରା ପରେ ସ୍ୱାମୀ ଶାଖାୱତ ନିଜର ଦୋଷ ସ୍ୱୀକାର କରିଥିଲେ। ସକାଳ ୭ଟାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଶାଖାୱତ ସିମୁଙ୍କ ଗଳା ଚିପି ହତ୍ୟା କରିଥିଲେ। ଏହାପରେ ସେ ନିଜ ବନ୍ଧୁ ଫରହାଦଙ୍କୁ ଡାକିଥିଲେ। ଘରର ଚାକରକୁ ଜଳଖିଆ ଆଣିବାକୁ ବାହାରକୁ ପଠାଇବା ପରେ, ଦୁହେଁ ମିଶି ମୃତଦେହକୁ ଦୁଇ ଖଣ୍ଡ କରି ବସ୍ତାରେ ପୂରାଇ କାର୍‌ ସାହାଯ୍ୟରେ ନେଇ ହଜରତପୁର ବ୍ରିଜ୍ ନିକଟରେ ଫିଙ୍ଗି ଦେଇଥିଲେ।

ପାରିବାରିକ ବିବାଦ
ତଦନ୍ତରୁ ଜଣାପଡ଼ିଥିଲା ଯେ, ଶାଖାୱତ ମାନସିକ ଅବସାଦରେ ଥିଲେ ଏବଂ ସିମୁଙ୍କୁ ସନ୍ଦେହ କରୁଥିଲେ। କରୋନା ମହାମାରୀ ସମୟରେ ବ୍ୟବସାୟରେ କ୍ଷତି ହେବା ଏବଂ ସିମୁ ରୋଜଗାରର ମୁଖ୍ୟ ମାଧ୍ୟମ ହେବା ପରେ ଉଭୟଙ୍କ ମଧ୍ୟରେ କଳହ ବୃଦ୍ଧି ପାଇଥିଲା। ସିମୁ ପୂର୍ବରୁ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ମଧ୍ୟ ଆଣିଥିଲେ। ହତ୍ୟା କରିବା ପରେ ଶାଖାୱତ ପୁଲିସ ହାଜତରୁ ନିଜ ଝିଅକୁ ଫୋନ୍ କରି ମା’କୁ ହତ୍ୟା କରିଥିବାରୁ କ୍ଷମା ମାଗିଥିଲେ।