ମୁମ୍ବାଇ-; ମହାରାଷ୍ଟ୍ରର ରାୟଗଡ଼ରେ ଘଟିଛି ଏକ ବଡ଼ ଅଘଟଣ। ସମୁଦ୍ରରେ ଗାଧୋଇବା ବେଳେ ଲହଡ଼ିରେ ଭାସିଯାଇ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ପୁଣେର ଆଲନ୍ଦିରୁ ଏକ ଘରୋଇ କୋଚିଂ ସଂସ୍ଥାର ଛାତ୍ରଛାତ୍ରୀମାନେ ପିକନିକ୍ ପାଇଁ ରାୟଗଡ଼ର ଦିବେଆଗର ବେଳାଭୂମିକୁ ଆସିଥିଲେ। ହେଲେ ସମୁଦ୍ରରେ ଗାଧୋଇବା ବେଳେ ଘଟିଗଲା ଏହି ଅଘଟଣ।

ALSO READ-  କ୍ୟାପ୍ଟେନ ସ୍ମିତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଲେ UAEର ଭାରତୀୟ ଦୂତାବାସ, କହିଲେ-ସ୍ୱାସ୍ଥ୍ୟରେ ହେଉଛି ଦ୍ରୁତ ଉନ୍ନତି

ସୂଚନା ଅନୁସାରେ, ପୁଣେର ଆଲନ୍ଦିସ୍ଥିତ ‘ୱିନର୍ସ ଏକାଡେମୀର ୧୧ଥ୍ ଆଣ୍ଡ ୧୨ଥ୍’ର ୪୮ ଜଣ ଛାତ୍ର ଛାତ୍ରୀ ଦିବେଆଗରର ଦିଘି ସାଗରୀ ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ଏହି ଦଳରେ ୨୫ ଜଣ ପୁଅ, ୧୭ ଜଣ ଝିଅ ଏବଂ ୬ ଜଣ ଶିକ୍ଷକ ଥିଲେ। ଛାତ୍ରମାନେ ସମୁଦ୍ରରେ ଗାଧୋଉଥିବା ବେଳେ ହଠାତ୍ ବଡ଼ ଲହଡ଼ି ଆସିବା ସହ ପାଣିର ସ୍ରୋତ ବଢ଼ିଯାଇଥିଲା। ଏହାରି ମଧ୍ୟରେ ୮ ଜଣ ଛାତ୍ର ଗଭୀର ପାଣିକୁ ଭାସିଯାଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଛାତ୍ରମାନେ ପାଣିର ଗଭୀରତା ଓ ଲହଡ଼ିର ତୀବ୍ରତା ଠିକ୍ ଭାବେ ଅନୁମାନ କରିପାରିନଥିଲେ। ଗାଧୋଇବା ସମୟରେ ହଠାତ୍ ସେମାନେ ପାଣିର ସ୍ରୋତରେ ଭାସିଯାଇଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକ, ପୁଲିସ ଏବଂ ପ୍ରଶାସନ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଦିବେଆଗରର ‘ଭାଉ ମାରୁତି ସାଲୁଙ୍ଖେ ମହାକାଳୀ ୱାଟର ସ୍ପୋର୍ଟ୍ସ’ର ମାଲିକ ଭାଉ ମାରୁତି ସାଲୁଙ୍ଖେ ଏବଂ ତାଙ୍କ ଦଳ ମଧ୍ୟ ଖୋଜାଖୋଜିରେ ସାମିଲ ହୋଇଥିଲେ।

ଘଟଣା ପରେ ଦିବେଆଗର ବେଳାଭୂମିରେ ଶୋକର ଛାୟା ଖେଳିଯାଇଛି। ରାୟଗଡ଼ ଜିଲ୍ଲାରେ ଦିବେଆଗର ସମେତ ଅନେକ ପ୍ରସିଦ୍ଧ ସମୁଦ୍ରକୂଳ ରହିଛି। ବିଶେଷକରି ବର୍ଷା ଋତୁ ଏବଂ ଉଚ୍ଚ ଜୁଆର ସମୟରେ ସମୁଦ୍ରରେ ଲହଡ଼ି ଓ ପାଣିର ସ୍ରୋତ ଅଧିକ ବିପଜ୍ଜନକ ହୋଇପାରେ। ଏଭଳି ସମୟରେ ପର୍ଯ୍ୟଟକ ଓ ଛାତ୍ରଛାତ୍ରୀମାନେ ସମୁଦ୍ରକୁ ଓହ୍ଲାଇବା ପୂର୍ବରୁ ସ୍ଥାନୀୟ ପ୍ରଶାସନର ସତର୍କତା ଓ ନିର୍ଦ୍ଦେଶକୁ ମାନିବା ଅତ୍ୟନ୍ତ ଜରୁରୀ।