ନୂଆଦିଲ୍ଲୀ: ଫ୍ଲାଏ ଦୁବାଇ ଫ୍ଲାଇଟ୍ ରେ ୧୭୪ ଜଣ ଯାତ୍ରୀ ଓ ଚାଳକ ଦଳଙ୍କ ଜୀବନ ରକ୍ଷା କରିଥିବା କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ୟୁଏଇ ସ୍ଥିତ ଭାରତୀୟ ଦୂତାବାସ ସୂଚନା ଦେଇଛନ୍ତି। ଦୂତାବାସ କହିଛନ୍ତି ଯେ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁବାର ଭଲ ଅଛି ଓ ସେ ଦ୍ରୁତ ଉନ୍ନତି କରୁଛନ୍ତି। ୟୁଏଇରେ ଭାରତର ରାଜଦୂତ ଦୀପକ ମିତ୍ତଲ ହସ୍ପିଟାଲକୁ ଯାଇ କ୍ୟାପ୍ଟେନ ମଚ୍ଛାର ଓ ତାଙ୍କ ପରିବାରଙ୍କୁ ଭେଟିଛନ୍ତି।

ଦୂତାବାସ କହିଛନ୍ତି ଯେ କ୍ୟାପ୍ଟେନଙ୍କ ଚିକିତ୍ସା ଓ ତାଙ୍କ ସୁସ୍ଥ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହ ଲଗାତାର ସମ୍ପର୍କରେ ଅଛନ୍ତି। ଗୁରୁତର ଆହତ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କୁ ପ୍ରଥମେ ସାଉଦୀ ଆରବର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁବାର ତାଙ୍କୁ ଏୟାରଲିଫ୍ଟ କରି ୟୁଏଇ ଅଣାଯାଇଛି। ଏଠାରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେ ଏବେ ସୁସ୍ଥ ହେଉଥିବା ଭାରତୀୟ ଦୂତାବାସ କହିଛନ୍ତି। ଫ୍ଲାଏ ଦୁବାଇର ଦୁବାଇ-ତେଲଆଭିଭ ଉଡାଣରେ ଭାରତୀୟ କ୍ୟାପ୍ଟେନ ସ୍ମିତ ସେତେବେଳେ ଏକ ବଡ଼ ବିପର୍ଯ୍ୟୟକୁ ଟାଳି ପାରିଥିଲେ ଯେତେବେଳେ ବିମାନକୁ ଆକାଶରୁ ଖସାଇବା ପାଇଁ କୋ-ପାଇଲଟ ଉଦ୍ୟମ କରୁଥିଲେ।

ଏହି ଘଟଣା ଯୋଗୁ ବିମାନକୁ ସାଉଦୀ ଆରବରେ ଜରୁରି ଅବତରଣ କରାଯାଇଥିଲା। ଏହି ଘଟଣାର କିଛି ଘଣ୍ଟା ପରେ ଯାତ୍ରୀ ଫ୍ଲାଏ ଦୁବାଇର ଅନ୍ୟ ବିମାନରେ ତେଲଆଭିଭ ଫେରିଥିଲେ। ରକ୍ତ ଜୁଡୁବୁଡୁ କ୍ୟାପ୍ଟେନ ସ୍ମିତ କକପିଟ୍ ରେ କୋ-ପାଇଲଟକୁ କାବୁ କରିବାକୁ ଉଦ୍ୟମ କରିବା ସହିତ ଦ୍ୱାର ଖୋଲି ଦେଇଥିଲେ। ଏଣୁ ଯାତ୍ରୀ କୋ ପାଇଲଟକୁ କାବୁ କରି ରଖିବା ପରେ ବିମାନକୁ ଅବତରଣ କରାଯାଇଥିଲା। ଏହି ବିମାନରେ ୧୭୪ ଜଣ ଯାତ୍ରୀ ଥିଲେ।