ରାଜକୋଟ୍: ରାଜକୋଟ୍‌ରେ ଗର୍ଜିଲା କେଏଲ ରାହୁଲଙ୍କ ବ୍ୟାଟ୍। ଦଳର ଏହି ନିର୍ଭରଶୀଳ ବ୍ୟାଟରଙ୍କ ଶତକ ଓ ଅଧିନାୟକ ଶୁଭମନ ଗିଲ୍‌ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୮୪ ରନ କରି ପାରିଛି। ସିରିଜରେ ପ୍ରତ୍ୟାବର୍ତ୍ତନ ପାଇଁ କିଓ୍ଵି ଦଳ ଆଗରେ ୨୮୫ ରନର ବିଜୟ ଲକ୍ଷ୍ୟ ରହିଛି। ବିଶେଷ କରି କେଏଲ ରାହୁଲଙ୍କ ୧୧୨ ରନର ଅପରାଜିତ ଇନିଂସ ଯୋଗୁଁ ଭାରତ ଏହି ସ୍କୋରରେ ପହଞ୍ଚି ପାରିଛି। । ଗିଲ୍ ୫୩ ଉପଯୋଗୀ ରନ କରିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ କ୍ରିଷ୍ଟିୟାନ କ୍ଲାର୍କ ୩ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ୫ ଓଭର କିଓ୍ଵି ବୋଲର ଶାଣିତ ବୋଲିଂ କରିଥିଲେ। ଏହା ପରେ ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ ପାଇଁ ୭୦ ରନ ଯୋଡ଼ିଥିଲେ। ଏହି ସ୍କୋରରେ ରୋହିତ ୨୪ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଶୁଭମନ ଗିଲ୍ ଦମଦାର ବ୍ୟାଟିଂ କରି ୫୩ ବଲରୁ ୯ ଚୌକା ଓ ୧ ଛକା ସହ ୫୬ ରନ କରିଥିଲେ। ଶ୍ରେୟସ ଆୟର(୮ ରନ) ବିଫଳ ହୋଇଥିଲେ। ଫର୍ମରେ ଥିବା ବିରାଟ କୋହଲି ୨୩ ରନ କରି ପାଭିଲିୟନ ଫେରିଥିଲେ। ଏକଦା ୭୦ ରନରେ କୌଣସି ଓ୍ଵିକେଟ୍ ହରାଇ ନ ଥିବା ଭାରତ ୧୧୮ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିଲା।

ଏହା ପରେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡ଼େଜା ଇନିଂସ ସମ୍ଭାଳିଥିଲେ। ଦୁହେଁ ସତର୍କତାର ସହ ବ୍ୟାଟିଂ କରି ଭାରତକୁ ମୁସ୍କିଲ ସ୍ଥିତିରୁ ବାହାର କରିଥିଲେ। ଦୁହେଁ ପଞ୍ଚମ ଓ୍ଵିକେଟ୍ ପାଇଁ ୭୩ ରନ ଯୋଡ଼ିଥିଲେ। ୧୯୧ ସ୍କୋରରେ ଜାଡ଼େଜା ବ୍ୟକ୍ତିଗତ ୨୭ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ କେଏଲ ରାହୁଲ ନିଜର କଳାତ୍ମକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ପୁଣି କେଏଲ ଓ ନୀତିଶ କୁମାର ରେଡ୍ଡୀ ଷଷ୍ଠ ଓ୍ଵିକେଟ ୫୭ ରନ ଯୋଡ଼ି ଦଳର ସ୍କୋରକୁ ୨୪୮ ରନରେ ପହଞ୍ଚାଇଥିଲେ। ନୀତିଶ ୨୦ ରନ କରି ଆଉଟ୍ ହୋଇଥିଲେ। କେଏଲ ରାହୁଲ ଛକା ମାରି ଦିନିକିଆରେ ଅଷ୍ଟମ ଶତକ ହାସଲ କରିଛନ୍ତି। ଶେଷରେ ଭାରତ ୭ ଓ୍ଵିକେଟ୍ ହରାଇ ୨୮୪ ରନ କରିଛି। କେଏଲ ରାହୁଲ ୯୨ ବଲରୁ ୧୧ ଚୌକା ଓ ୧ ଛକା ସହ ୧୧୨ ରନର ଅପରାଜିତ ଇନିଂସ ଖେଳିଛନ୍ତି।