ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି। କଂଗ୍ରେସ ନେତାଦ୍ୱୟ ଏହି ମାମଲାରେ ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି। କଂଗ୍ରେସ ନେତାମାନେ ଲେଖିଛନ୍ତି ଯେ ଯେଉଁ ଲକ୍ଷଲକ୍ଷ ଭକ୍ତ ଆସ୍ଥାର ସହ ଦାନ କରିଥିଲେ ଏହି ଚୋରି ଯୋଗୁ ସେମାନେ ଏବେ ଧୋକା ଅନୁଭବ କରୁଛନ୍ତି। ଲୋକସଭା ଓ ରାଜ୍ୟସଭାରେ ବିରୋଧୀଦଳ ନେତା ଦ୍ୱୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଆଦୌ ସ୍ୱୀକାର୍ଯ୍ୟ ନୁହେଁ।

ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ର ସୋସିଆଲ ମିଡିଆ ଏକ୍ସ ରେ ସେୟାର କରିଛନ୍ତି। ସେ ଲେଖିଛନ୍ତି ‘ପ୍ରଧାମନ୍ତ୍ରୀ ଜୀ କୋଟିକୋଟି ଭକ୍ତ ଶ୍ରୀରାମ ମନ୍ଦିରରେ ଆସ୍ଥାର ସହିତ ନିଜ କଷ୍ଟାର୍ଜିତ ଆୟ ଦାନ କରିଛନ୍ତି-ସେଠାରେ ଦାନ ଚୋରି ଏବେ କାହାରିକୁ ଅଛପା ନାହିଁ। ଟ୍ରଷ୍ଟର ସବୁ ସଦସ୍ୟଙ୍କୁ ଆପଣଙ୍କ ସରକାର ବାଛିଥିଲେ। ଏହି ଦାନ ଚୋରିକୁ ନେଇ ଆପଣଙ୍କ ନୀରବତା ଆଦୌ ସ୍ୱୀକାର୍ଯ୍ୟ ନୁହେଁ’। କଂଗ୍ରେସ ନେତା ଲେଖିଛନ୍ତି ଯେ ତୁରନ୍ତ ନିରପେକ୍ଷ ଯାଞ୍ଚ କରାନ୍ତୁ ଓ ପୁରା ହିସାବ କିତାବ ସାର୍ବଜନିକ କରନ୍ତୁ। ଆପଣଙ୍କ ସରକାରର ବିଶ୍ୱସନୀୟତା ଏବେ ଆପଣଙ୍କ କାମ ଉପରେ ନିର୍ଭର କରୁଛି।

ସେହିପରି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ରବିବାର ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆର୍ଥିକ ବ୍ୟାପାରର ନିରପେକ୍ଷ ଓ ବ୍ୟାପକ ଯାଞ୍ଚ ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମର ମିଳିତ ପତ୍ର’। ଖଡଗେ ଜୁଲାଇ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ର ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ ମନ୍ଦିର ଦାନ ରାଶି ଚୋରି ଯୋଗୁ ଲକ୍ଷ୍ୟଲକ୍ଷ୍ୟ ଭକ୍ତ ଏବେ ସେମାନେ ଠକି ଯାଇଥିବାର ଅନୁଭବ କରୁଛନ୍ତି।

ରାମମନ୍ଦିରରେ ଲୋକେ କରୁଥିବା ଦାନର ଚୋରି ମାମଲା ଜୁନ ପ୍ରଥମ ସପ୍ତାହରେ ଦେଶ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଦାନ ଗଣନା ସହ ସମ୍ପୃକ୍ତ ମାତ୍ର ୮ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଟ୍ରଷ୍ଟର ଦୁଇଜଣ ପଦାଧିକାରୀ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ମାମଲାରେ ଟ୍ରଷ୍ଟର ଅଭିଯୋଗ ଆଧାରରେ ପୋଲିସ ଜୁନ ୨୫ ତାରିଖରେ ଏଫଆଇଆର ରୁଜୁ କରିଥିଲା।