ଛତ୍ରପୁର: ବନ୍ୟା ଯୋଗୁ ଗଞ୍ଜାମ ଜିଲ୍ଲାରେ ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ପାଣି ଛାଡ଼ିଥିଲେ ବି, ଲୋକେ ଏବେବି ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଏମିତିରେ ଏହି ଦୁର୍ଦ୍ଦିନରେ ବନ୍ୟା ବିପନ୍ନଙ୍କ ପାଖରେ ଠିଆ ହେବା ସହ ସେମାନଙ୍କ ଜୀବନକୁ ସ୍ୱାଭାବିକ କରିବା ଲାଗି ଜିଲ୍ଲା ପ୍ରଶାସନ ନିରନ୍ତର ଉଦ୍ୟମ ଜାରି ରଖିଛି।

ଆଉ ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ, ସରକାରୀ ଉଦ୍ୟୋଗ, ପଞ୍ଚାୟତିରାଜ ସଂସ୍ଥା, ପୌରସଂସ୍ଥା, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ନିଜର ଗୋଟିଏ ଦିନର ଦରମା ସ୍ୱେଚ୍ଛାକୃତ ଭାବେ ଦାନ କରିବାକୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଆହ୍ୱାନ ଦେଇଛନ୍ତି। ଏହି ପାଣ୍ଠିରୁ ସଂଗୃହୀତ ଅର୍ଥ ବନ୍ୟା ବିପନ୍ନ ପରିବାରଙ୍କ ସହାୟତା ପାଇଁ ଗଠିତ ‘ଅର୍ଣ୍ଣବ ସହାୟତା ପାଣ୍ଠି, ଗଞ୍ଜାମ’ରେ ଜମା କରାଯିବ।

Also Read: ଶନିବାର ଗଞ୍ଜାମ ଗସ୍ତରେ ଯିବେ ନବୀନ ପଟ୍ଟନାୟକ, ବନ୍ୟା ବିପନ୍ନଙ୍କୁ ଭେଟିବା ସହ କରିବେ ସ୍ଥିତି ଅନୁଧ୍ୟାନ

କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ବରଂ ଜଣ ସାଧାରଣମାନେ ମଧ୍ୟ ଏହି ବିପଦ ସମୟରେ ସାହାଯ୍ୟର ହାତ ବଢ଼ାଇପାରିବେ। ବିପଦ ସମୟରେ ମାନବିକତା ଓ ସହଯୋଗର ହାତ ବଢ଼ାଇ ଗଞ୍ଜାମବାସୀ ଏହି ମହତ୍ ଅଭିଯାନକୁ ସଫଳ କରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି। ଏହାସହ ଏଥର ଦୀପାବଳି ମଧ୍ୟ ଜିଲ୍ଲା ପ୍ରଶାସନ ପ୍ରଭାବିତ ଅଞ୍ଚଳର ଲୋକଙ୍କ ନିକଟରେ ରହି ପାଳନ କରିବ ବୋଲି ଜଣାପଡ଼ିଛି।