ନ୍ୟୁୟର୍କ: ଆମେରିକାର ପ୍ରତିଷ୍ଠିତ କଲମ୍ବିଆ ବିଶ୍ୱବିଦ୍ୟାଳୟରେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଆଲୋଚନା କାର୍ଯ୍ୟକ୍ରମ ମଙ୍ଗଳବାର ରୋଚକ ମୋଡ଼ ନେଇଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ ଜଣେ ଭାରତୀୟ ଛାତ୍ରୀ ରାହୁଲ ଗାନ୍ଧୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ ଦେବା ପରେ ସଭାଗୃହ ହସରେ ଫାଟି ପଡ଼ିଥିଲା। ଛାତ୍ରୀଙ୍କ ଏହି ନିଆରା ଅନ୍ଦାଜ ଏବଂ ରାହୁଲଙ୍କ ଉତ୍ତର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ବେଳେ ଛାତ୍ରୀ ଜଣକ ପ୍ରଥମେ କହିଥିଲେ ଯେ, ସେ ତାଙ୍କୁ ନିଜ ଭାଷଣ ମାଧ୍ୟମରେ ଯେପରି ଆହ୍ୱାନ କରିଥିଲେ, ତାହା ସତ ହୋଇଛି। ଏହାପରେ ସେ ଭାରତରେ ଚାଲିଥିବା ସାମ୍ପ୍ରତିକ ଆନ୍ଦୋଳନ, ଛାତ୍ର ଆନ୍ଦୋଳନ ଏବଂ ନାଗରିକ ସମାଜର ଭୂମିକାକୁ ନେଇ ଏକ ଲମ୍ବା ପ୍ରଶ୍ନ ରଖିଥିଲେ। ଶେଷରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ନେଇ ତାଙ୍କ ପାଖରେ ଏକ ପ୍ରସ୍ତାବ ଥିବା କହି ଚା’ ପିଇବାକୁ ନିମନ୍ତ୍ରଣ ଦେଇଥିଲେ।

ଛାତ୍ରୀ ରିଧି କପୁର ନିଜକୁ ନୂଆଦିଲ୍ଲୀର ବାସିନ୍ଦା ବୋଲି ପରିଚୟ ଦେଇଥିଲେ। ସେ କହିଥିଲେ ଯେ, ଭାରତରେ ବିରୋଧ ପ୍ରଦର୍ଶନ ସମୟରେ ରାହୁଲ ଗାନ୍ଧୀଙ୍କୁ ଅଟକ ରଖାଯାଇଥିବା ବେଳେ ସେ ନିଜ କ୍ଲାସ୍ରେ ରାହୁଲଙ୍କ ପକ୍ଷରୁ ଏକ ଭାଷଣ ଦେଇଥିଲେ। ଏହା ଶୁଣି ରାହୁଲ ମଜାଳିଆ ଢଙ୍ଗରେ ପଚାରିଥିଲେ, “ତା’ପରେ ଆପଣଙ୍କୁ ମଧ୍ୟ ଅଟକ ରଖାଯାଇଥିଲା କି?” ଏହାର ଉତ୍ତରରେ ରିଧି ହସି ହସି କହିଥିଲେ, “ନା, ମୋତେ ଅଟକ ରଖାଯାଇନଥିଲା।” ତାଙ୍କ ଉତ୍ତର ଶୁଣି ସଭାଗୃହରେ ହସର ମାହୋଲ ସୃଷ୍ଟି ହୋଇଥିଲା।

କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଲୋକ ପ୍ରଶାସନ ବିଷୟରେ ସ୍ନାତକୋତ୍ତର ଅଧ୍ୟୟନ କରୁଥିବା ରିଧି ଏହାପରେ ଭାରତରେ ଚାଲିଥିବା ବିଭିନ୍ନ ଆନ୍ଦୋଳନ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଛାତ୍ର ନେତ୍ରୀ ନେହା ବୋରାଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଭଳି ସମାନ୍ତରାଳ ଆନ୍ଦୋଳନଗୁଡ଼ିକୁ ରାହୁଲ ଗାନ୍ଧୀ କିପରି ସମର୍ଥନ କରିଛନ୍ତି, ତାହା ମଧ୍ୟ ସେ ଉଲ୍ଲେଖ କରିଥିଲେ।

ଆଲୋଚନା ମଧ୍ୟରେ ରିଧି କହିଥିଲେ ଯେ, ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ସେ ଏକ ପ୍ରସ୍ତାବ ବା ସମାଧାନ ପ୍ରସ୍ତୁତ କରିଛନ୍ତି।ଏହା ଶୁଣି ରାହୁଲ ଗାନ୍ଧୀ ଆଗ୍ରହ ପ୍ରକାଶ କରି ପଚାରିଥିଲେ, “ଦିଲ୍ଲୀର ପ୍ରଦୂଷଣ ସମସ୍ୟାର ସମାଧାନ କ’ଣ?”ଏହାର ଉତ୍ତରରେ ରିଧି କହିଥିଲେ, “ଆପଣ ଚାହିଁଲେ ମୁଁ ଏ ବିଷୟରେ ଆପଣଙ୍କ ସହ ଚା’ ପିଇବା ସମୟରେ ଆଲୋଚନା କରିପାରିବି।”ଏହି କଥା ଶୁଣି ସଭାଗୃହରେ ଉପସ୍ଥିତ ଦର୍ଶକମାନେ ହସି ଉଠିଥିଲେ। ରାହୁଲ ମଧ୍ୟ ହସି ହସି କହିଥିଲେ, “ଠିକ୍ ଅଛି, ଠିକ୍ ଅଛି, ଆମେ ତାହା କରିପାରିବା। ନିଶ୍ଚିତ ଭାବେ କରିପାରିବା।”ଏହି ମଜାଦାର କଥାବାର୍ତ୍ତାର ଏକ ଭିଡିଓ ରିଧି ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି।

କେବଳ ହାସ୍ୟରସ ନୁହେଁ, ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଭାରତରେ ଚାଲିଥିବା ଆନ୍ଦୋଳନ ଓ ରାଜନୈତିକ ପରିସ୍ଥିତିକୁ ନେଇ ମଧ୍ୟ ନିଜ ମତ ରଖିଥିଲେ।ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଭାରତରେ ବିରୋଧ ପ୍ରଦର୍ଶନ ଓ ଆନ୍ଦୋଳନଗୁଡ଼ିକ କେଉଁ ଦିଗକୁ ଗତି କରୁଛି ବୋଲି ରିଧି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାହୁଲ କହିଥିଲେ ଯେ, ଭାରତରେ ଦୀର୍ଘ ସମୟ ଧରି ଭୟର ପରିବେଶ ଯୋଗୁଁ ଅନେକ ଲୋକ ନିଜ ମତ ପ୍ରକାଶ କରିବାକୁ ସାହସ କରୁନଥିଲେ। କିନ୍ତୁ ଛାତ୍ରଛାତ୍ରୀମାନେ ଏହି ଭୟର ପରିବେଶକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି।ସେ କହିଥିଲେ, “ଅନେକ ଲୋକ ନିଜ ମତ ପ୍ରକାଶ କରିବାକୁ ଭୟ କରୁଥିଲେ। ଏହି ଭୟ ହିଁ ସବୁକିଛିକୁ ଚାପି ରଖିଥିଲା। କିନ୍ତୁ ଏବେ ଲୋକମାନେ ଆଉ ସେତେଟା ଭୟଭୀତ ନୁହନ୍ତି। ଏହା ହିଁ ସବୁଠାରୁ ବଡ଼ ପରିବର୍ତ୍ତନ।”

ସେ ଆହୁରି କହିଥିଲେ ଯେ, ଯେଉଁ କାମ କରିବାକୁ ଛାତ୍ରଛାତ୍ରୀମାନେ ସାହସ ଦେଖାଇଛନ୍ତି, ସେହି ସାହସ ସେମାନଙ୍କ ଅଭିଭାବକମାନେ ମଧ୍ୟ ଦେଖାଇପାରିନଥିଲେ। ଅଭିଭାବକମାନେ ଘରେ ଚୁପ୍ ରହିଥିବା ବେଳେ ସେମାନଙ୍କ ଭବିଷ୍ୟତ ପାଇଁ ପିଲାମାନେ ସ୍ୱର ଉତ୍ତୋଳନ କରୁଛନ୍ତି ବୋଲି ରାହୁଲ କହିଥିଲେ।

ରାହୁଲ ଗାନ୍ଧୀ କହିଥିଲେ ଯେ, ଦେଶର ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ପୁନଃସ୍ଥାପନ କରିବା ତାଙ୍କର ଏକ ପ୍ରମୁଖ ଲକ୍ଷ୍ୟ। ତାଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନୀ ବ୍ୟବସ୍ଥାର କିଛି ଦୁର୍ବଳତାର ଫାଇଦା ବିଜେପି ପାଉଛି। ସେ ଏହା ମଧ୍ୟ ଦାବି କରିଥିଲେ ଯେ, ନିର୍ବାଚନ ଆୟୋଗ ସମେତ ବିଭିନ୍ନ ସରକାରୀ ସଂସ୍ଥାର କିଛି ଅଧିକାରୀ ଅନିୟମିତତା ସମ୍ପର୍କିତ ତଥ୍ୟ ସେୟାର କରିବା ଆରମ୍ଭ କରିଛନ୍ତି।

 ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ନେଇ ମୋଦୀଙ୍କୁ କଟାକ୍ଷ

କଲମ୍ବିଆ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଆଣ୍ଡ ପବ୍ଲିକ୍ ଆଫେୟାର୍ସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାହୁଲ ନିଜର ଶିକ୍ଷା ଓ ରାଜନୈତିକ ଅନୁଭୂତି ସମ୍ପର୍କରେ ମଧ୍ୟ କହିଥିଲେ l ସେ କହିଥିଲେ ଯେ, ହାର୍ଭାର୍ଡ ଓ କେମ୍ବ୍ରିଜ୍ରେ ତାଙ୍କୁ ଯାହା ଶିକ୍ଷା ଦିଆଯାଇଥିଲା, ତାହା ତାଙ୍କ ରାଜନୈତିକ ଜୀବନରେ ସେତେଟା କାମରେ ଆସିନାହିଁ। ଏହା ସହିତ ଭାରତ କେବେ ବିକଶିତ ରାଷ୍ଟ୍ର ହେବ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ବର୍ଷ ଘୋଷଣା କରିବାକୁ ମଧ୍ୟ ସେ ପସନ୍ଦ କରୁନଥିବା କହିଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ '୨୦୪୭ ସୁଦ୍ଧା ବିକଶିତ ଭାରତ' ଲକ୍ଷ୍ୟକୁ ପରୋକ୍ଷରେ କଟାକ୍ଷ କରିଥିଲେ। ରାହୁଲ କହିଥିଲେ, “ମୁଁ ୨୦୪୭ ଭଳି ବର୍ଷକୁ ମନଇଚ୍ଛା ବାଛି ଘୋଷଣା କରିବାକୁ ପସନ୍ଦ କରେ ନାହିଁ।”

 also read- ‘ଦେଶର ଯୁବପିଢ଼ିଙ୍କୁ ରକ୍ଷା କରିବାକୁ ପଡ଼ିବ’, ନିଶା ସମସ୍ୟା ଉପରେ କ୍ୟାବିନେଟ୍ ବୈଠକରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

'ଭାରତ ଆର୍ଥିକ ବିପର୍ଯ୍ୟୟ ଆଡ଼କୁ ଗତି କରୁଛି' ମନ୍ତବ୍ୟକୁ ନେଇ ବିଜେପିର ପ୍ରତିକ୍ରିୟା

ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ଆଉ ଏକ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ସେ କହିଥିଲେ ଯେ, “ଭାରତ ଏକ ଆର୍ଥିକ ବିପର୍ଯ୍ୟୟ ଉପରେ ବସିଛି।” ଏହି ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଆସିଥିଲା। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ରାହୁଲ ଗାନ୍ଧୀ ଏବେ ଭାରତ ବିରୋଧୀ ପ୍ରଚାରର ନେତା ପାଲଟିଛନ୍ତି।କଲମ୍ବିଆ ବିଶ୍ୱବିଦ୍ୟାଳୟର ଏହି ଆଲୋଚନା କାର୍ଯ୍ୟକ୍ରମ ଏକପଟେ ରାହୁଲ ଓ ଭାରତୀୟ ଛାତ୍ରୀଙ୍କ ହାସ୍ୟରସପୂର୍ଣ୍ଣ କଥାବାର୍ତ୍ତା ପାଇଁ ଚର୍ଚ୍ଚାରେ ଥିବା ବେଳେ ଅନ୍ୟପଟେ ଭାରତର ରାଜନୈତିକ ଓ ଆର୍ଥିକ ପରିସ୍ଥିତିକୁ ନେଇ ତାଙ୍କ ମନ୍ତବ୍ୟ ନୂଆ ବିବାଦ ସୃଷ୍ଟି କରିଛି।