ନୂଆଦିଲ୍ଲୀ, ୧୮।୧୧ : ଆଗାମୀ ଆଇପିଏଲର ମିନି ନିଲାମ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ରିଟେନସନ ତାଲିକା ଘୋଷଣା କରିଛନ୍ତି। ମିଚେଲ ଷ୍ଟାର୍କ, ଟ୍ରାଭିସ ହେଡ୍, ଟ୍ରେଣ୍ଟ ବୋଲ୍ଡ, ସିମରନ ହେତମାୟରଙ୍କ ଭଳି ବଡ଼ ତାରକାଙ୍କୁ ଫ୍ରାଞ୍ଚାଇଜମାନେ ରିଲିଜ କରିଛନ୍ତି। ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟି ଟଙ୍କାରେ କିଣିଥିଲା। ସେହିପରି ହେଡଙ୍କୁ ସନରାଇଜର୍ସ ୨୦୨୫ ସିଜନ ପୂର୍ବରୁ ୧୪କୋଟି ଟଙ୍କାରେ ରିଟେନ କରିଥିଲା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଇଂଲଣ୍ଡର ଯୁବ ଖେଳାଳି ଜାକବ ବେଥେଲଙ୍କୁ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବାଦ ଦେଇଛି। ସେ ସମ୍ପ୍ରତି ଆହତ ଅଛନ୍ତି ଓ ଗୋଡ଼ରେ ଅସ୍ତ୍ରୋପଚାର କରାଇଛନ୍ତି। ଏହା ବ୍ୟତୀତ ଆସନ୍ତା ବର୍ଷ ଦିନିକିଆ ବିଶ୍ଵକପ, ଆସେସ ସମେତ ଇଂଲଣ୍ଡର ବ୍ୟସ୍ତପୂର୍ଣ କ୍ରୀଡ଼ାସୂଚୀ ରହିଛି। ତେଣୁ ବେଥେଲଙ୍କ କାର୍ଯ୍ୟଭାର ନିୟନ୍ତ୍ରଣ କରିବାକୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ନିଷ୍ପତ୍ତି ନେଇଛି। ବେଥେଲଙ୍କ ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ରିଚାର୍ଡ ଗ୍ନିସନ, ମଙ୍ଗେଶ ଯାଦବ, ସାତ୍ତ୍ୱିକ ଦେଶୱାଲ, ଭିହାନ ମାଲହୋତ୍ରା ଓ ସ୍ବପ୍ନିଲ ସିଂହଙ୍କୁ ବାଦ ଦେଇଛି। ଏହି ବାବଦରେ ଆରସିବି ନିଲାମ ଖାତାକୁ ୧୪.୧୫ କୋଟି ଟଙ୍କା ଫେରିଛି।

ଗୁଜୁରାଟ ଟାଇଟନ୍ସ

ଗୁଜରାଟ ଟାଇଟନ୍ସ ପେସ୍ ବୋଲର ଈଶାନ୍ତ ଶର୍ମା, ଲ୍ୟୁକ ଉଡ୍, କୁଲୱନ୍ତ ଖେଜ୍ରାଲିଆ, ଶାହରୁଖ ଖାନ ଓ କନ୍ମର ଏଷ୍ଟରହୁଇଜେନଙ୍କୁ ବାଦ ଦେଇଛି। ଟାଇଟନ୍ସ ନିଲାମ ଖାତାକୁ ୮.୭୫ କୋଟି ଟଙ୍କା ଫେରିଛି।

ସୁପର ଜାଏଣ୍ଟସ୍

ଲକ୍ଷ୍ନୌ ସୁପରଜଏଣ୍ଟସ ମୋଟ୍ ୭ ଜଣ ଖେଳାଳିଙ୍କୁ ବାଦ ଦେଇଛି। ଆନରିଚ ନର୍ଜ, ଅଭେଶ ଖାନ, ନମନ ତିଓ୍ବାରୀ, ଜର୍ଜ ଲିଣ୍ଡ, ହିମତ ସିଂହ, ମାଥ୍ୟୁ ବ୍ରିଜକୀ ଓ ଓ୍ୱାନିଣ୍ଡୁ ହସରଙ୍ଗା ଦଳରୁ ବାଦ ପଡ଼ିଛନ୍ତି। ସୁପରଜାଏଣ୍ଟ୍ ନିଲାମ ଖାତାରେ ୪୭.୪୫କୋଟି ଟଙ୍କା ଯେଡ଼ି ହୋଇଛି। ଦଳ ସର୍ବାଧିକ ଅର୍ଥ ସହ ଆଗାମୀ ନିଲାମକୁ ଓହ୍ଲାଇବ।

ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୧୩ଜଣ ଖେଳାଳିଙ୍କୁ ଦଳରୁ ବାଦ ଦେଇଛି। ଏହି ବାବଦରେ ମୁମ୍ବାଇ ଇଣ୍ଡିଆନ୍ସର ନିଲାମ ଖାତାକୁ ଫେରିଛି ୩୨.୬କୋଟି ଟଙ୍କା। ଦଳରେ ଖାଲି ରହିଛି ୯ଟି ସ୍ଥାନ। ଏଥୁରେ ୨ଟି ବିଦେଶୀ ଖେଳାଳିଙ୍କ ସ୍ଥାନ ଖାଲି ରହିଛି। ମୁମ୍ବାଇ ଇଣ୍ଡିଆନ୍ସ କେବଳ ଟ୍ରେଣ୍ଟ ବୋଲ୍ଡ ଓ ଦୀପକ ଚହରଙ୍କୁ ବାଦ ଦେଇ ୨୧.୭୫କୋଟି ଟଙ୍କା ଫେରି ପାଇଥିଲା। ବୋଲ୍ଡଙ୍କ ମୂଲ୍ୟ ୧୨.୫କୋଟି ଓ ଚହରଙ୍କ ମୂଲ୍ୟ ୯.୨୫ କୋଟି ଟଙ୍କା ରହିଥିଲା। ଏମାନଙ୍କ ବ୍ୟତୀତ ଆଲ୍ଲା ଗଜନଫର, ଅଥର୍ବ ଆଙ୍କୋଲେକର, ଡାନିଶ ମାଲେଓ୍ୱର, ରବିନ ମିଞ୍ଜ, କ୍ରିସ ଭଗତ, ମହିପାଲ ଲୋମରର, କେଶବ ମହାରାଜ, ମୟଙ୍କ ମାର୍କଣ୍ଡେ, ମୟଙ୍କ ରାୱତ, ମହମ୍ମଦ ଇଜହାର ଓ ରଚିତ ଅହିର ଦଳରୁ ବାଦ ପଡ଼ିଛନ୍ତି।

ଚେନ୍ନାଇ ସୁପର କିଙ୍ଗସ୍

ଚେନ୍ନାଇ ସୁପରକିଙ୍ଗ୍ସ ମହେନ୍ଦ୍ର ସିଂହ ଧୋନିଙ୍କ ସମେତ ୧୧ଜଣ ଖେଳାଳିଙ୍କୁ ବାଦ ଦେଇଛି। ପ୍ରଶାନ୍ତ ବୀର, ମାଟ୍ ହେନରୀ, ସ୍ପେନସର ଜନସନ, ଆକାଶ ମଧୱାଲ, ଅମନ ଖାନ, କୁଲଦୀପ ଯାଦବ, ଡାଏନ ପରେଷ୍ଟର, ମ୍ୟାକନିଲ ନୋରୋହା, ମାଥ୍ୟୁ ସର୍ଟ ଓ ଜାକ ଫୋକସ ଦଳରୁ ବାଦ ପଡ଼ିଛନ୍ତି। ସୁପରକିଙ୍ଗ୍ସ ଏହି ବାବଦରେ ୨୮.୦୫ କୋଟି ଟଙ୍କା ଫେରି ପାଇଛି।

କୋଲକାତା ନାଇଟ୍ ରାଇଡର୍ସ

କୋଲକାତା ନାଇଟ ରାଇଡର୍ସ ୧୨ଜଣ ଖେଳାଳିଙ୍କୁ ଦଳରୁ ବାଦ ଦେଇଛି। ହେଲେ ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ରିଟେନ କରିଛି। ଗ୍ରୀନଙ୍କୁ ନାଇଟ୍ ରାଇଡର୍ସ ୨୫.୨ କୋଟି ଟଙ୍କାରେ କିଣିଥିଲା। ସେ ଗତ ସିଜନରେ ଦକ୍ଷତା ମୁତାବକ ପ୍ରଦର୍ଶନ କରି ନଥିଲେ । ତଥାପି ତାଙ୍କୁ ଦଳରେ ରଖିବା ପାଇଁ ନାଇଟ ରାଇଡର୍ସ ନିଷ୍ପତ୍ତି ନେଇଛି। ଅଜିଙ୍କା ରାହାଣେ ଅବସର ନେଇଥିବାବେଳେ ଆକାଶ ଦୀପ, ବ୍ଲେସିଂ ମୁଜରବନି, ଦକ୍ଷ କାମରା, ଲଭନିଥ ସିସୋଡ଼ିଆ, ମଥିଶା ପତିରଣା, ମୁସ୍ତାଫିଜୁର ରେହମାନ, ନବଦୀପ ସାଇନି, ରଚିନ ରବିନ୍ଦ୍ର, ରାହୁଲ ତ୍ରିପାଠୀ, ତେଜସ୍ବୀ ସିଂହ ଓ ଉମ୍ରାନ ମଲ୍ଲିକ ବାଦ ପଡ଼ିଛନ୍ତି। ଏହି ବାବଦରେ ନାଇଟ ରାଇଡର୍ସ ଖାତାକୁ ୪୧.୬୫ କୋଟି ଟଙ୍କା ଫେରିଛି।

ସନ୍ ରାଇଜର୍ସ ହାଇଦ୍ରାବାଦ୍

ସନରାଇଜର୍ସ ହାଇଦ୍ରାବାଦ ହେଡଙ୍କ ଭଳି ବିସ୍ଫୋରକ ବ୍ୟାଟରଙ୍କୁ ଦଳରୁ ବାଦ ଦେଇଛି। ଅଷ୍ଟ୍ରେଲିଆର ଏହି ତାରକା ବ୍ୟାଟର ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଓ ଆସେସ ପାଇଁ ପ୍ରସ୍ତୁତି କରିବେ। ତେଣୁ ସେ ଆଇପିଏଲ୍ ଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ହେଡଙ୍କ ବ୍ୟତୀତ କାମିଣ୍ଡୁ ମେଣ୍ଡିସ, ଜୟଦେବ ଉନାକାତ, ଦିଲଶାନ ମଦୁଶଙ୍କା, ଓଙ୍କାର ତାର୍ମାଲେ, ଅମିତ କୁମାର, ଶିବମ ମାଭି, ଗେରାଲ୍ଡ କୋଏଜି, ଡେଭିଡ୍ ପେନଙ୍କୁ ଦଳରୁ ବାଦ ଦେଇ ମୋଟ୍ ୪୦.୧୫ କୋଟି ଟଙ୍କା ଫେରି ପାଇଛି। ଆଗାମୀ ମିନି ନିଲାମରେ ସନରାଇଜର୍ସ ଏହି ଅର୍ଥ ଖର୍ଚ୍ଚ କରି ସର୍ବନିମ୍ନ ୭ଜଣ ଖେଳାଳିଙ୍କୁ କିଣି ପାରିବ। ଏଥିରେ ୩ଜଣ ବିଦେଶୀ ଖେଳାଳି ରହିବେ। 

ରାଜସ୍ଥାନ ରୟାଲ୍ସ

ଆରଆର ଦୀର୍ଘ ବର୍ଷ ପରେ ସିମରନ ହେତମାୟରଙ୍କୁ ରିଲିଜ କରିଛି। ଏହା ବ୍ୟତୀତ ଆଡାମ ମିଲନେ, କ୍ୱେନା ମଫାକା, ତୁଷାର ଦେଶପାଣ୍ଡେ, କୁଲଦୀପ ସେନ, ୟୁଦ୍ଧବୀର ସିଂହ, ବିଗ୍ନେଶ ପୁଧୂର, ରବି ସିଂହ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି। ରାଜସ୍ଥାନ ଖାତାକୁ ୨୭.୦୫କୋଟି ଟଙ୍କା ଫେରିଛି। ଦଳରେ ମୋଟ୍ ୬ଟି ସ୍ଥାନ ଖାଲି ରହିଛି। ଏଥିରେ ୩ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଥାନ ରହିଛି।

ପଞ୍ଜାବ କିଙ୍ଗସ୍

ପଞ୍ଜାବ କିସ ନେହାଲ ୱଧେରା, ଲୋକି ଫର୍ଗୁସନ, ମିଚ ଓଏନ, ପି. ଅଭିନାଶ, ପ୍ରବୀଣ ଦୁବେ, ବିଶାଳ ନିଶଦଙ୍କୁ ଦଳରୁ ବାଦ ଦେଇଛି I ନିଲାମ ଖାତାରେ ୧୮.୬ କୋଟି ଟଙ୍କା ରହିଥିବାବେଳେ ୨ଟି ବିଦେଶୀ ଖେଳାଳିଙ୍କ ସମେତ ମୋଟ୍ ୬ଟି ସ୍ଥାନ ଖାଲି ହୋଇଛି।

Also Read :-ସମୁଦ୍ରରେ ୨୪ ଫୁଟ୍‌ର ଉଚ୍ଚ ଢେଉ, ଉପକୂଳ ଆଡ଼କୁ ମାଡ଼ି ଆସୁଛି ଅକଭାନ୍, ଏମିତି କହିଲେ ପାଣିପାଗ ବିଜ୍ଞାନୀ

ଦିଲ୍ଲୀ କ୍ୟାପିଟାଲ୍ସ

ଡିସି ମିଚେଲ ଷ୍ଟାର୍କ, ନୀତିଶ ରାଣା, ଅଭିଷେକ ପୋରେଲ, ପଥୁମ ନିଶଙ୍କା, ବେନ ଡକେଟ୍, କରୁଣ ନାଏର, ସାହିଲ ପରଖ, ଦୁଷ୍ମନ୍ତ ଚାମୀରା, ରେହାନ ଅହମ୍ମଦ, ଅଜୟ ମଣ୍ଡଳଙ୍କୁ ବାଦ ଦେଇଛି। କ୍ୟାପିଟାଲ୍ସ ଖାତାକୁ ୩୯.୫କୋଟି ଟଙ୍କା ଫେରିଥିବାବେଳେ ଦଳରେ ମୋଟ୍ ୯ଟି ସ୍ଥାନ ଖାଲି ହୋଇଛି।