ପୁରୀ : ବାପାଙ୍କ ସୁନା ଝିଅ ଏବେ ଦେଶ ପାଇଁ ଗୌରବ। ବାପା ଅଟୋ ଚଳାଇ ପରିବାର ଚଳାନ୍ତି। ହେଲେ ଝିଅ ଆଜି ନିଜ ପ୍ରତିଭା ବଳରେ ସାରା ଦେଶରେ ଓଡ଼ିଶାର ନାଁ କରିଛନ୍ତି ଉଜ୍ଜ୍ୱଳ । ଯେଉଁ ପାଠ୍ୟକ୍ରମକୁ ସାଧାରଣତଃ ପୁଅମାନଙ୍କ ପାଠ ବୋଲି ଧରାଯାଏ, ସେହି ମୋଟର ମେକାନିକ୍ ଟ୍ରେଡ୍ରେ ୧୨୦୦ରୁ ୧୧୯୪ ମାର୍କ ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି ପୁରୀର ସୁପ୍ରିତି ମହାପାତ୍ର। ସେ ପ୍ରମାଣ କରିଛନ୍ତି ସ୍ୱପ୍ନ ଦେଖିବାକୁ ଆଉ ତାକୁ ସତ କରିବାକୁ ଟଙ୍କା ନୁହେଁ, ଦରକାର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ।

ପୁରୀ ଝିଅର ପ୍ରଶଂସା ଏବେ ସବୁଠି । ଭଟ୍ଟଜାଗା ନିକଟ ତ୍ରୀଦେବ ନଗରର ଚକ୍ରପାଣି ମହାପାତ୍ର ଓ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଝିଅ ସୁପ୍ରିତି ମହାପାତ୍ର। ବାପା ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି। ଘରର ଆର୍ଥିକ ପରିସ୍ଥିତି ସେତେଟା ଭଲ ନଥିଲା । ହେଲେ ଝିଅର ପାଠ ପଢ଼ାରେ କେବେ ଦେଇ ନାହାନ୍ତି ପଛଘୁଞ୍ଚା। ପୁରୀ ITIରେ ମେକାନିକ୍ ମୋଟର ଭେହିକିଲ ଟ୍ରେଡରେ ପଢୁଥିବା ସୁପ୍ରିତି ଖୁବ୍ ପରିଶ୍ରମ କରନ୍ତି । ଏବେ ତାଙ୍କ ପରିଶ୍ରମର ଫଳ ମିଳିଛି। ସର୍ବଭାରତୀୟ ଟପ୍ପର ହୋଇ ବାପାଙ୍କ ସ୍ୱପ୍ନକୁ କରିଛନ୍ତି ସାକାର। ୧୨୦୦ ମାର୍କରୁ ପାଇଛନ୍ତି ୧୧୯୪ ମାର୍କ। ଯାହା ସାରା ଭାରତରେ ସର୍ବୋଚ୍ଚ ନମ୍ବର।

ମୋଟର ମେକାନିକରେ ଅଧିକ ଶ୍ରମ ପଡ଼ୁଥିବାରୁ ଏହି ଟ୍ରେଡ୍ କୁ ଅଧିକାଂଶ ପୁଅମାନେ ହିଁ ପଢ଼ନ୍ତି। ଅଥଚ ସୁପ୍ରିତି ଜଣେ ଝିଅ ହୋଇ ମଧ୍ୟ ଏହି ପାଠ୍ୟକ୍ରମ ପ୍ରତି ଦେଖାଇଥିଲେ ବେଶ୍ ଆଗ୍ରହ । ସେ କହିଛନ୍ତି ଆଜିର ସମୟରେ ପୁଅ ଝିଅଙ୍କ ମଧ୍ୟରେ କିଛି ଭେଦଭାବ ନାହିଁ । ଜେନେରେସନ୍ ଏବେ ବହୁତ ଆଗକୁ ବଢ଼ିଗଲାଣି। ଏଣୁ ସେ ପୁରୀ ଆଇଟିଆଇ ରେ ମେକାନିକ୍ ମୋଟର ଭେହିକିଲ୍ ଟ୍ରେଡ୍ ରେ ଆଡ଼ମିଶନ୍ କରିଥିଲି। ଏହି ଟ୍ରେଡ୍ ରେ ସର୍ବଭାରତୀୟସ୍ତରରେ ସେ ଏବେ ଟପ୍ପର ହୋଇଛନ୍ତି। ଏଥିପାଇଁ ସେ ବହୁତ ଖୁସି ଅଛନ୍ତି।

Also Read- ଇତିହାସ ରଚିଲେ ଶ୍ରୀମନ୍ଦିର ସେବାୟତ, ମିଷ୍ଟର ୱାର୍ଲ୍ଡ ବଡିବିଲଡିଂ ଚାମ୍ପିଅନସିପରେ ହେଲେ ଚାମ୍ପିଅନ

ସୁପ୍ରିତିଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ପୂରା ଓଡ଼ିଶା ପାଇଁ ଗର୍ବର ବିଷୟ। ଜଣେ ଅଟୋ ଚାଳକଙ୍କ ଝିଅ ନିଜ ପରିଶ୍ରମ ବଳରେ ଆଜି ସାରା ଦେଶରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଆସନ୍ତା ୨୧ତାରିଖରେ ଲକ୍ଷ୍ନୌରେ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବାକୁ ଯାଉଥିବା ସୁପ୍ରିତି ଆଜି ହଜାର ହଜାର ଝିଅଙ୍କ ପାଇଁ ପ୍ରେରଣା। ସେ ପ୍ରମାଣ କରିଦେଇଛନ୍ତି, ପାଠରେ କୌଣସି ଟ୍ରେଡ୍ କୁ ବାଛିବା ଆଉ ସଫଳତା ପାଇବା, ଏଥିରେ ପୁଅ ଝିଅର କୌଣସି ବାଛ ବିଚାର ନାହିଁ। ଏଥିପାଇଁ ଦରକାର କେବଳ ଆଗକୁ ବଢ଼ିବାର ସାହସ ଓ ନିଜ ଉପରେ ବିଶ୍ୱାସ।