ଭୁବନେଶ୍ୱର: ପାଣି ଜମୁଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉ। ସେମାନଙ୍କ ରହିବା, ଖାଇବାର ପୂରା ବ୍ୟବସ୍ଥା କରାଯାଉ। ଏହାକୁ ଗୁରୁତର ସହ ନିଅନ୍ତୁ। ବାତ୍ୟା ପ୍ରସ୍ତୁତିରେ ଆମେ କୌଣସି ପ୍ରକାରର ହେଳା କରିବୁ ନାହିଁ କି  ଅବହେଳା ଶୁଣିବୁ ନାହିଁ। ବାତ୍ୟା ଅକଭାନର ମୁକାବିଲା ପାଇଁ ସମୀକ୍ଷା ବୈଠକରେ  ଏମିତି ସିଧା ଏବଂ ସ୍ପଷ୍ଟ ଶବ୍ଦରେ ଅଧିକାରୀମାନଙ୍କୁ କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କ-କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆଜି ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସମସ୍ତ ମହାନଗର ନିଗମର କମିଶନର, ପୌର ନିର୍ବାହୀ ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

‘ଅକ୍‌ଭାନ୍‌’ର ସମ୍ଭାବ୍ୟ ପ୍ରଭାବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍‌ଭାନ୍‌’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ନାଗରିକଙ୍କ ସୁରକ୍ଷା, ସହରାଞ୍ଚଳ ଭିତ୍ତିଭୂମିର ସୁରକ୍ଷା ଏବଂ ଅତ୍ୟାବଶ୍ୟକ ନାଗରିକ ସେବାର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ସହରାଞ୍ଚଳରେ ପ୍ରସ୍ତୁତି ଓ ପ୍ରତିଷେଧମୂଳକ ପଦକ୍ଷେପକୁ ଅଧିକ ଜୋରଦାର କରାଯାଇଛି ବୋଲି ଉଷା ପାଢ଼ୀ କହିଛନ୍ତି।

ସମୀକ୍ଷା ସମୟରେ ମନ୍ତ୍ରୀ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି) ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବା ସହ ବାତ୍ୟାର ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ ବୋଲି ଗୁରୁତ୍ୱାରୋପ କରି ସେ ଆଗୁଆ ଯୋଜନା, ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ଏବଂ ପ୍ରତ୍ୟେକ ସ୍ତରରେ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ ଜୋର ଦେଇଥିଲେ। ବିଶେଷକରି ଜଳଯୋଗାଣ, ଡ୍ରେନେଜ୍ ଓ ପରିମଳ ଭଳି ଅତ୍ୟାବଶ୍ୟକ ନାଗରିକ ସେବା ଯେପରି ସମ୍ଭବ ନିରବଚ୍ଛିନ୍ନ ରହିବ, ସେଥିପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ କର୍ତ୍ତବ୍ୟ ପାଳନରେ କୌଣସି ପ୍ରକାର ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱକୁ ଅତ୍ୟନ୍ତ ଗମ୍ଭୀରତା, ସତର୍କତା ଓ ଉତ୍ତରଦାୟିତ୍ୱର ସହ ନିର୍ବାହ କରିବା ସହ ପ୍ରସ୍ତୁତି କିମ୍ବା ଜରୁରୀକାଳୀନ ପଦକ୍ଷେପରେ ଯେପରି କୌଣସି ତ୍ରୁଟି ନ ରହେ, ତାହା ସୁନିଶ୍ଚିତ କରିବାକୁ ସେ କହିଛନ୍ତି।

ତ୍ୱରିତ ଓ ଦୃଢ଼ ପଦକ୍ଷେପର ଆବଶ୍ୟକତା ଉପରେ ପୁନର୍ବାର ଗୁରୁତ୍ୱ ଦେଇ ଏସିଏସ୍ ଶ୍ରୀମତୀ ଉଷା ପାଢ଼ୀ ସମସ୍ତ ଅଧିକାରୀଙ୍କୁ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ନେବା ପାଇଁ ଆଉ କୌଣସି ନିର୍ଦ୍ଦେଶକୁ ଅପେକ୍ଷା ନକରିବାକୁ କହିଥିଲେ। ଜୀବନ ଓ ଜନସମ୍ପତ୍ତିର ସୁରକ୍ଷା ସହ ଅତ୍ୟାବଶ୍ୟକ ସେବା ଅବ୍ୟାହତ ରଖିବା ପାଇଁ ଯାହା କିଛି ପଦକ୍ଷେପ ନେବା ଆବଶ୍ୟକ, ତାହା ତୁରନ୍ତ ନିଆଯିବା ଉଚିତ। ଅଧିକାରୀମାନେ ନିଜ ନିଜ ଅଧିକାର ପରିସର ମଧ୍ୟରେ ସମୟୋଚିତ ନିଷ୍ପତ୍ତି ନେବା ସହ ଜରୁରୀ ପରିସ୍ଥିତିର ମୁକାବିଲାରେ ଯେପରି କୌଣସି ଅଯଥା ବିଳମ୍ବ ନ ହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ନୋଡାଲ ଅଫିସର ନିୟୋଜିତ

ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାଗୁଡ଼ିକ ପାଇଁ ନୋଡାଲ୍ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ସମସ୍ତ ନିଯୁକ୍ତ ଅଧିକାରୀ ଆଜି ରାତି ସୁଦ୍ଧା ନିଜ ନିଜ ନିର୍ଦ୍ଧାରିତ ଜିଲ୍ଲାରେ ପହଞ୍ଚି ସେଠାରେ ଅବସ୍ଥାନ କରିବା ସହ ପରିସ୍ଥିତି ଉପରେ ନିକଟରୁ ନଜର ରଖିବାକୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଜିଲ୍ଲା ପ୍ରଶାସନ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥା ସହ ସମନ୍ୱୟ ରକ୍ଷା କରିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ହସ୍ତକ୍ଷେପ ସୁନିଶ୍ଚିତ କରିବେ। ଅତିରିକ୍ତ ମାନବ ସମ୍ବଳ, ଯନ୍ତ୍ରପାତି କିମ୍ବା ଅନ୍ୟାନ୍ୟ ସାଧନର ଆବଶ୍ୟକତା ଥିଲେ ତାହା ବିନା ବିଳମ୍ବରେ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶକ, ପୌର ପ୍ରଶାସନ ଶ୍ରୀ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଗଙ୍ଗାଧର ନାୟକ, ଶ୍ରୀ ବିନୟ କୁମାର ଦାଶ, ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଭାନନ୍ଦ ମହାପାତ୍ର, ଶ୍ରୀ ରବୀନ୍ଦ୍ର ସାହୁ, ଶ୍ରୀ ସୁବେନ୍ଦୁ କୁମାର ସାହୁ, ଶ୍ରୀ ଶତ୍ରୁଘ୍ନ କର, ଶ୍ରୀମତୀ ଏସ୍. ରାଉତରାୟ ଏବଂ ୱାଟ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

କ'ଣ କହୁଛି ଆଇଏମ୍‌ଡିର ମଡେଲ୍

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ଭୀଷଣ ବାତ୍ୟା ‘ଅକ୍‌ଭାନ୍‌’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୨୦ ମଧ୍ୟାହ୍ନ ସମୟରେ ନରସାପୁର ଓ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ୍ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ଝଡ଼ ପବନ ହେବାର ଆଶଙ୍କା ରହିଛି।

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ସମୀକ୍ଷା ସମୟରେ ଶ୍ରୀମତୀ ପାଢ଼ୀ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ବିପଦପ୍ରବଣ ଓ ତଳିଆ ଅଞ୍ଚଳ, ବିଶେଷକରି ଜଳବନ୍ଦୀ ସମସ୍ୟା ଦେଖାଦେଉଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ସହ ଡ୍ରେନ୍, ବର୍ଷାଜଳ ନିଷ୍କାସନ ନାଳ ଏବଂ କଲଭର୍ଟଗୁଡ଼ିକର ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କହିଥିଲେ। ଆବଶ୍ୟକ ସ୍ଥଳେ ତୁରନ୍ତ ନିୟୋଜନ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଜଳ ନିଷ୍କାସନ ପମ୍ପ ଓ ଅନ୍ୟାନ୍ୟ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଏବଂ ୱାଟ୍‌କୋକୁ ଜଳଯୋଗାଣ ଓ ନର୍ଦ୍ଦମା ବ୍ୟବସ୍ଥାର ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେବାରେ ନିରବଚ୍ଛିନ୍ନତା ବଜାୟ ରଖିବା ଏବଂ କୌଣସି ବାଧା ସୃଷ୍ଟି ହେଲେ ତୁରନ୍ତ ପୁନଃସ୍ଥାପନ ପାଇଁ ମରାମତି ଦଳ, ଆବଶ୍ୟକ ଯନ୍ତ୍ରପାତି ଓ ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ତୁରନ୍ତ ସମାଧାନ ଦରକାର

ବିପଦପ୍ରବଣ ସ୍ଥାନଗୁଡ଼ିକରେ ମାନବ ସମ୍ବଳ, ଯାନବାହନ, ଜଳ ନିଷ୍କାସନ ପମ୍ପ, ଜେନେରେଟର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଉପକରଣର ଆଗୁଆ ମୁତୟନ ଉପରେ ବିଭାଗ ଗୁରୁତ୍ୱ ଦେଇଛି। ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ପର୍ଯ୍ୟାପ୍ତ କର୍ମଚାରୀ ଓ ଯୋଗାଯୋଗ ବ୍ୟବସ୍ଥା ସହ ନିଜ ନିଜ ନିୟନ୍ତ୍ରଣ କକ୍ଷକୁ ଦିନରାତି ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖିବାକୁ କୁହାଯାଇଛି। ଜଳବନ୍ଦୀ, ରାସ୍ତା ଅବରୋଧ, ସାର୍ବଜନୀନ ଭିତ୍ତିଭୂମିର କ୍ଷତି ଏବଂ ଅତ୍ୟାବଶ୍ୟକ ସେବାରେ ବାଧା ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ତ୍ୱରିତ ପ୍ରତିକ୍ରିୟା ଦଳକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ବିପଦପୂର୍ଣ୍ଣ ସ୍ଥାନ, ଜଳମଗ୍ନ ରାସ୍ତା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାରିକେଡ୍ ଓ ସତର୍କ ସୂଚନା ଫଳକ ଲଗାଇବାକୁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳବନ୍ଦୀ କିମ୍ବା ନାଗରିକ ଭିତ୍ତିଭୂମିର କ୍ଷତି ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରୁଥିବା ସ୍ଥାନଗୁଡ଼ିକ ଉପରେ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି।

ସବୁ ବିଭାଗରେ ରଖାଯାଉ ସମନ୍ଵୟ

ଏହାବ୍ୟତୀତ ସୁଚାରୁ ସମନ୍ୱୟ, ସାଧନର ସଠିକ୍ ଉପଯୋଗ ଏବଂ ସମନ୍ୱିତ ମୁକାବିଲା ପାଇଁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ଏବଂ ଅନ୍ୟାନ୍ୟ ବିଭାଗ ସହ ଘନିଷ୍ଠ ସମନ୍ୱୟ ରଖିବାକୁ ବିଭାଗ ପକ୍ଷରୁ କୁହାଯାଇଛି। କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ କରିବା ସହ ସମସ୍ତ ଅଭିଯୋଗ ଓ ଜରୁରୀ ପରିସ୍ଥିତିର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ରହିଛି।

ସମସ୍ତ ମହାନଗର ନିଗମ କମିଶନର ଓ ପୌର ନିର୍ବାହୀ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ବାତ୍ୟା ପ୍ରସ୍ତୁତିର ବ୍ୟକ୍ତିଗତ ଭାବେ ତଦାରଖ କରିବା ସହ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ପୂର୍ବରୁ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଛି। ନାଗରିକଙ୍କ ସୁରକ୍ଷା, ସହରାଞ୍ଚଳ ଭିତ୍ତିଭୂମିର ସୁରକ୍ଷା ଏବଂ ଅତ୍ୟାବଶ୍ୟକ ନାଗରିକ ସେବାର ନିରବଚ୍ଛିନ୍ନତା ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ସଂସ୍ଥାକୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବା, ତ୍ୱରିତ ପଦକ୍ଷେପ ନେବା ଏବଂ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।