ନୂଆଦିଲ୍ଲୀ, ୦୩/୦୯: ଦେଶରେ ବିଭିନ୍ନ ରାଜ୍ୟରେ ସରିଛି ଏସଆଇଆର ତଥା ଭୋଟର ତାଲିକା ସଂଶୋଧନ । ଏଥିରେ ଅନେକ ବଡ ବଡ ବ୍ୟକ୍ତିଙ୍କ ନାଁ କଟିଥିବା ଅଭିଯୋଗ ଆସୁଛି । ଅନେକ ବେଆଇନ ଭୋଟର୍ କଟିଛନ୍ତି । ତେବେ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ରାଘବ ଚଡ୍ଡାଙ୍କ ନାଁ ମଧ୍ୟ ଏସଆଇଆରରେ କଟିଯାଇଛି । ଯାହାକୁ ନେଇ ରାଜନୀତି ଜୋର୍ ଧରିଛି । ଏହାକୁ ନେଇ ପଞ୍ଜାବ ସରକାରରେ ଥିବା ଆମ୍ ଆଦମୀ ପାର୍ଟିକୁ ରାଘବ ଟାର୍ଗେଟ୍ କରିଛନ୍ତି । ପୂର୍ବରୁ ରାଘବ ଆପ୍ ରେ ଥିଲେ । ଅନ୍ୟ ଦିଗରେ ଆପ୍ ମଧ୍ୟ ଏଥିରେ ରାଜ୍ୟ ସରକାରଙ୍କ କିଛି ଭୁମିକା ନାହିଁ ଏହା ନିର୍ବାଚନ ଆୟୋଗ କରିଥାନ୍ତି ବୋଲି କହିଛି ।

ରିପୋର୍ଟ ଅନୁସାରେ, ସାରା ଦେଶରେ ଏସଆଇଆରରେ ୧୩ କୋଟି ଲୋକଙ୍କ ନାଁ କଟିଛି । ଗତ ଅଗଷ୍ଟ ୧୩ ତାରିଖରେ ନିର୍ବାଚନ ଆୟୋଗ ପଞ୍ଜାବ ଏସଆଇଆରର ତାଲିକା ଜାରି କରିଥିଲେ । ଏଥିରେ ରାଘବଙ୍କ ନାଁ ନଥିଲା । ତାଙ୍କ ନାଁ ତାଲିକାର ସ୍ଥାନାନ୍ତର, ଡୁପ୍ଲିକେଟ୍ ଲିଷ୍ଟରେ ରଖାଯାଇଥିଲା । ତେବେ ହଟିଥିବା ନାଁକୁ ପୁଣି ଥରେ ତାଲିକାରେ ସାମିଲ କରାଯାଇ ପାରିବ । ଅଗଷ୍ଟ ୧୩ରୁ ସେପ୍ଟେମ୍ବର ୧୨ ଯାଏଁ କିଛି ଅଭିଯୋଗ ଥିଲେ ଭୋଟର ଦାଖଲ କରିପାରିବେ । ଏହାପରେ ଅନ୍ତିମ ତାଲିକା ଅକ୍ଟୋବର ୧୨ ତାରିଖରେ ପ୍ରକାଶ ପାଇବ ।

ଏହି ପ୍ରସଙ୍ଗରେ ରାଘବ କହିଛନ୍ତି ଯେ, ଆପ୍ ସରକାର ଏବେ ପ୍ରତିଶୋଧ ପରାୟଣ ହୋଇ ଉଠିଛି । ସେ ପଞ୍ଜାବରୁ ରାଜ୍ୟସଭା ସାଂସଦ ଅଛନ୍ତି । ତାଙ୍କ ଭୋଟର୍ ଆଇଡି ରାଜ୍ୟର ମୋହାଲିରେ ରହିଛି । କିନ୍ତୁ ଏସଆଇଆରରେ ସେ ଜାଗା ଛାଡି ପଳାଇଥିବା ଲେଖାଯାଇଛି । ଫାଇନାଲ ଲିଷ୍ଟ ଏବେସୁଦ୍ଧା ଆସିନି । ଯାହା ଅକ୍ଟୋବରରେ ଜାରି କରାଯିବ । ସେ ଏସଆଇଆର ଗାଇଡଲାଇନ୍ ଅନୁସାରେ ଅଭିଯୋଗ ଦାଖଲ କରିବେ ବୋଲି କହିଛନ୍ତି ।

Also Read :- ମାଡ଼ି ଗଲାଣି ଦୁର୍ନୀତି, ବ୍ୟାଙ୍କ ଏବଂ ରେଲଓ୍ୱେରେ ବେଶି ! ଜାଣନ୍ତୁ କେଉଁ ବିଭାଗରେ ଆସିଛି କେତେ ଅଭିଯୋଗ ?

ଆହୁରି ମଧ୍ୟ ଆପ୍ ସରକାର ଉପରେ ସେ ଅଭିଯୋଗ କରିଛନ୍ତି ଯେ, ପଞ୍ଜାବ ସରକାରଙ୍କ ଜଣେ ଅଧିକାରୀ ଏପରି କରିଛନ୍ତି । ଆପ୍ ସରକାରଙ୍କ ଅଧିକାରୀଙ୍କ ଘର ଘର ବୁଲି ଏସଆଇଆର କରୁଥିଲେ । ସେମାନେ ହିଁ ତାଙ୍କ ନାଁ କାଟି ଦେଇଛନ୍ତି । ଯେଉଁ ବିଏଲଓ ଏପରି କରିଛନ୍ତି ସେ ପଞ୍ଜାବ ସରକାରଙ୍କ ଅଧିନରେ କାମ କରୁଛନ୍ତି । ତେଣୁ ଏଥିରେ ଆପ୍ ସରକାରଙ୍କ ହାତ ଥିବା ରାଘବ କହିଛନ୍ତି ।