ମୁମ୍ଵାଇ ୨୫।୦୩; ରଣବୀର ସିଂହ ଓ ମାଧବନଙ୍କ ବ୍ଲକବଷ୍ଟର ଫିଲ୍ମ ‘ ଧୁରନ୍ଧର-୨ ’ ଗୋଟେପଟେ ସଫଳତାର ପାହାଚ ଚଢି ଚାଲିଥିବା ବେଳେ, ଅନ୍ୟପଟେ ଏହା ଗୋଟିଏ ବିବାଦକୁ ନେଇ ଚର୍ଚ୍ଚାରେ ଅଛି। ଫିଲ୍ମର ଏକ ସିନକୁ ନେଇ ଶିଖ୍ ସଂପ୍ରଦାୟ କଡ଼ା ଆଭିମୁଖ୍ୟ ଆପଣାଇଛି। ଯାହାପରେ ମୁମ୍ୱାଇର ମୁଲୁଣ୍ଡ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ମାମଲା ବୃଦ୍ଧିକୁ ଦେଖି ନିଜେ ଅଭିନେତା ଆର୍ ମାଧବନ ଏକ ସୋସିଆଲ ମିଡ଼ିଆ ପୋଷ୍ଟ କରି ଲୋକଙ୍କୁ ସ୍ପଷ୍ଟୀକରଣ ଦେଇଛନ୍ତି । ଏହା ସହ କହିଛନ୍ତି, କେମିତି ଗୋଟିଏ ଦୃଶ୍ୟକୁ ନେଇ ବିବାଦ ହେଉଛି, ଏଥିରେ ନା ତାଙ୍କ ହାତରେ ସିଗାରେଟ୍ ଥିଲା , ନା କି ସେହି ଫ୍ରେମ୍ରେ କେଉଁଠି ସିଗାରେଟର ଧୂଆଁ ନଜର ଆସୁଛି।

ଆର ମାଧବନଙ୍କ ସ୍ପଷ୍ଟୀକରଣ

ଆର. ମାଧବନ ଭିଡିଓରେ ଫିଲ୍ମ ପ୍ରତି ପ୍ରଶଂସକଙ୍କ ଭଲପାଇବା ଦେଖି ଖୁବ୍ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି- ମୁଁ ଜାଣିବାକୁ ପାଇଛି ଯେ, କିଛି ଲୋକଙ୍କୁ ଏହା ଆଘାତ ଦେଇଛି ଯେ, ମୁଁ ସିଗାରେଟ୍ ଟାଣିବା ସମୟରେ ପବିତ୍ର ଗ୍ରନ୍ଥରୁ ପଂକ୍ତି ପାଠ କରୁଛି। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ , ଏହା ସତ ନୁହେଁ; ଏହା ଏକ ଭୁଲ ବୁଝାମଣା। ଆର. ମାଧବନ କହିଛନ୍ତି ଯେ ନିର୍ଦ୍ଦେଶକ ଆଦିତ୍ୟ ଧର ଏହି ବିଷୟ ଗୁଡ଼ିକରେ ବହୁତ ଯତ୍ନବାନ। ସେ ସୁଟିଂ ସମୟରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଏହି ପଂକ୍ତିଗୁଡ଼ିକ ପାଠ କରିବା ସମୟରେ ହାତରେ ସିଗାରେଟ୍ ରହିବା ଉଚିତ୍ ନୁହେଁ କି ସ୍କ୍ରିନରେ ଧୂଆଁ ଦେଖାଯିବା ଉଚିତ୍ ନୁହେଁ।

ଆର୍ ମାଧବନ ନିଜର ବିବୃତ୍ତିରେ କହିଛନ୍ତି - ସେ ସିଗାରେଟ୍ ଲିଭାଇ ଦେଇଥିଲେ ଏବଂ ପୂରା ଦୃଶ୍ୟରେ ତାଙ୍କ ମୁହଁରୁ ଧୂଆଁ ବାହାରୁ ହିଁ ନଥିଲା। ସେ ଆହୁରି କହିଛନ୍ତି - ଆମେ ଅଜାଣତରେ କାହାକୁ ସମସ୍ୟାରେ ପକାଇବାକୁ ଚାହୁଁ ନାହୁଁ। ଆମେ ପୂରା ଶିଖ୍ ସମ୍ପ୍ରଦାୟ ପ୍ରତି ଅଶେଷ ସମ୍ମାନ କରୁ। ଆର୍ ମାଧବନ ଏହା ମଧ୍ୟ କହିଛନ୍ତି , ସେ ପ୍ରତ୍ୟେକ ଫିଲ୍ମ ରିଲିଜ ପୂର୍ବରୁ ନିଜେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଯାଆନ୍ତି। ‘ଶିଖ୍ ଇନ୍ ମହାରାଷ୍ଟ୍ର’ର ସଭାପତି ତଥା ଶିବସେନା ନେତା ଗୁରଜ୍ୟୋତ ସିଂହ କିର ଅଭିଯୋଗ କରିଛନ୍ତି ଯେ , ଉକ୍ତ ଫିଲ୍ମରେ ଆର. ମାଧବନଙ୍କ ଚରିତ୍ର ସିଗାରେଟ୍ ଧରି ଗୁରୁ ଗୋବିନ୍ଦ ସିଂହଙ୍କ ଦଶମ ଗ୍ରନ୍ଥର ପବିତ୍ର ଶ୍ଳୋକ ପାଠ କରୁଛନ୍ତି । ଅଭିଯୋଗରେ ମାଧବନଙ୍କ ସହ ଅଭିନେତା ରଣବୀର ସିଂହ ଏବଂ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ନାମ ମଧ୍ୟ ରହିଛି ।

Also Read-Dhurandhar 2 : ‘ଧୁରନ୍ଧର-୨’ ଦେଖି ଭଡକିଲେ ରିଅଲ ‘ଜମିଲ ଜମାଲି’, କହିଲେ-ଲିଆରି ଆତଙ୍କୀ ଅଡ୍ଡା ହୋଇଥିଲେ ଭାରତୀୟ ଗୁପ୍ତଚର ଫେରିନଥାନ୍ତା