• ପାକିସ୍ତାନୀ ପରମାଣୁ ବୈଜ୍ଞାନିକ ଏ.କ୍ୟୁ. ଖାନ ଇରାନର ପରମାଣୁ କାର୍ଯ୍ୟକ୍ରମରେ ସହାୟତା କରିଥିବାର ଅଭିଯୋଗ ହୋଇଥିଲା
  • ଓସାମା ବିନ ଲାଡେନ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ପାକିସ୍ତାନୀ ସରକାର ଅପରେସନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା
  • ବ୍ୟକ୍ତିଗତ ସମ୍ପର୍କ ଆଧାରରେ କୌଣସି ଦେଶ ଉପରେ ଭରସା କରିବା ଠିକ୍ ହେବ ନାହିଁ

ୱାସିଂଟନ: ପଶ୍ଚିମ ଏସିୟାରେ ଜାରି ଉତ୍ତେଜନା ମଧ୍ୟରେ ଆମେରିକା-ଇରାନ ବାର୍ତ୍ତା ଉଦ୍ୟମ ଏବେ ଏକ ନୂଆ ବିବାଦରେ ଘେରି ଯାଇଛି। ଏଥର ଚର୍ଚ୍ଚାର କେନ୍ଦ୍ରରେ ପାକିସ୍ତାନ ରହିଛି, ଯିଏ ଏହି ଦୁଇ ଦେଶଙ୍କ ଲାଗି ମଧ୍ୟସ୍ଥତତା କରିବାକୁ ଉଦ୍ୟମ କରୁଛି, ଏହାକୁ ଗୋଟିଏ ପଟେ କୂଟନୈତିକ ପଦକ୍ଷେପ ଭାବେ ଦେଖା ଯାଉଥିବା ବେଳେ ଅନ୍ୟପଟେ କେତେକ ବିଶେଷଜ୍ଞ ଏହାକୁ ଗୁରୁତର ରିସ୍କ ବୋଲି ଭାବୁଛନ୍ତି। ଏହି ପ୍ରସଙ୍ଗରେ ଆମେରିକାର ଜନୈକ ବରିଷ୍ଠ ବିଶ୍ଲେଷକ କଡ଼ା ପ୍ରତିକ୍ରିୟା ଦେଇଛନ୍ତି, ଏଣୁ ଏହା ଏବେ ଏକ ବିତର୍କରେ ପରିଣତ ହୋଇଛି।

ଅମେରିକା ଥିଙ୍କ ଟ୍ୟାଙ୍କ ଆମେରିକାନ ଏଣ୍ଟରପ୍ରାଇଜେସ୍ ଇନିଷ୍ଟିଟ୍ୟୁଟର ବରିଷ୍ଠ ଫେଲୋ ମାଇକେଲ ଋବିନ ପ୍ରସଙ୍ଗରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ କଡ଼ା ଆପତ୍ତି କରିଛନ୍ତି। ତାଙ୍କର କହିବା କଥା ହେଉଛି ପାକିସ୍ତାନର ଏହି ଭୂମିକା ଆମେରିକା ପାଇଁ ଆଗକୁ ଲଜ୍ଜାଜନକ ହୋଇପାରେ ଓ ଏହା ଦ୍ୱାରା ସୁରକ୍ଷା ସମ୍ପର୍କିତ ବିପଦ ମଧ୍ୟ ସୃଷ୍ଟି ହୋଇପାରେ। ଋବିନଙ୍କ ଟିପ୍ପଣୀ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ଓ ଇରାନ ମଧ୍ୟରେ ପାକିସ୍ତାନ ଦ୍ୱିତୀୟ ପର୍ଯ୍ୟାୟ ବାର୍ତ୍ତା ଲାଗି ପ୍ରସ୍ତୁତି କରୁଛି।

ପୁରୁଣା ରେକର୍ଡକୁ ନେଇ ସମାଲୋଚନା
ସଣ୍ଡେ ଗାର୍ଡିୟନରେ ପ୍ରକାଶିତ ଋବିନଙ୍କ ସ୍ତମ୍ବରେ ପାକିସ୍ତାନର ପିଛିଲା ରେକର୍ଡ ଉପରେ ପ୍ରଶ୍ନ ଉଠାଯାଇଛି। ସେ ଉଲ୍ଲେଖ କରିଛନ୍ତି ଯେ ପାକିସ୍ତାନର ନୀତି ସର୍ବଦା ବିବାଦୀୟ ରହି ଆସିଛି। ସେ ଉଦାହରଣ ଦେଇ ଲେଖିଛନ୍ତି ଯେ ପାକିସ୍ତାନୀ ପରମାଣୁ ବୈଜ୍ଞାନିକ ଏ.କ୍ୟୁ. ଖାନ ଇରାନର ପରମାଣୁ କାର୍ଯ୍ୟକ୍ରମରେ ସହାୟତା କରିଥିବାର ଅଭିଯୋଗ ହୋଇଥିଲା। ଏଣୁ ଏହି ମାମଲାରେ ସେହି ଦେଶ ମଧ୍ୟସ୍ଥତତା କରିବା ଉଚିତ ନୁହେଁ। ଋବିନ ଏହାବି ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସେହି ଦେଶଙ୍କ ମଧ୍ୟରେ ସାମିଲ ଯେଉଁଠି ଆମେରିକୀୟ ଓ ଇହୁଦୀ ବିରୋଧୀ ମନଭାବ ସର୍ବାଧିକ।

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ପାକିସ୍ତାନୀ ଆଭିମୁଖ୍ୟର ଉଲେଖ
ଋବିନ ପାକିସ୍ତାନର ସେହି ପୁରୁଣା ଆଭିମୁଖ୍ୟର ମଧ୍ୟ ଉଲ୍ଲେଖ କରିଛନ୍ତି ଯେତେବେଳେ ଆମେରିକା ଓସାମା ବିନ ଲାଡେନ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥିଲା। ସେ କହିଛନ୍ତି ଯେ ସେତେବେଳେ ପାକିସ୍ତାନୀ ସରକାର ଏହି ଅପରେସନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା। ସେ ଏହା ବି କହିଛନ୍ତି ଯେ କେବଳ ବ୍ୟକ୍ତିଗତ ସମ୍ପର୍କ ଆଧାରରେ କୌଣସି ଦେଶ ଉପରେ ଭରସା କରିବା ଠିକ୍ ହେବ ନାହିଁ। ତାଙ୍କ ଅନୁସାରେ ଏପରି ନିଷ୍ପତ୍ତି ଭବିଷ୍ୟତରେ ବଡ଼ ସମସ୍ୟା ସୃଷ୍ଟି କରିପାରେ।

ଟ୍ରମ୍ପଙ୍କ ନିଷ୍ପତ୍ତିକୁ କହିଲେ ଭୁଲ
ଋବିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏ ବାବଦ ନିଷ୍ପତ୍ତିକୁ ମଧ୍ୟ ଭୁଲ ବୋଲି କହିଛନ୍ତି। ତାଙ୍କ କହିବା କଥା ହେଉଛି ପାକିସ୍ତାନ ଉପରେ ଭରସା କରିବା ସେହି ପୁରୁଣା ଭୁଲର ପୁନରାବୃ୍ତ୍ତି କରିବା ସହିତ ସମାନ, ଯାହା ପୂର୍ବରୁ ଆଫଗାନିସ୍ତାନ, ଗାଜା, ସିରିୟା ଓ ୟେମେନ ଭଳି କ୍ଷେତ୍ରରେ ହୋଇ ସାରିଛି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ଆମେରିକା ନିଜ ବିରୋଧୀଙ୍କୁ ବାର୍ତ୍ତାର ଦାୟିତ୍ୱ ଦେବ ତେବେ ଏହା ଯୋଗୁ ପରିସ୍ଥିତି ଅଧିକ ବିଗିଡିବ। ଏଣୁ ବୁଝାମଣା ଆମେରିକାର ସ୍ଥିତିକୁ ଦୁର୍ବଳ କରିପାରେ ଓ ବିରୋଧୀଙ୍କୁ ମଜଭୁତ କରିପାରେ।

ଭାରତର ମଧ୍ୟ କରିଛନ୍ତି ଉଲ୍ଲେଖ
ନିଜ ଲେଖାରେ ଋବିନ ଭାରତର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ପରିସ୍ଥିତିରେ ଭାରତକୁ ମଧ୍ୟ ସତର୍କ ରହିବାକୁ ପଡିବ ଓ ତାକୁ ଏହା ବୁଝିବାକୁ ପଡିବ ଯେ ପାକିସ୍ତାନ ଏହି ଭୂମିକା ପର୍ଯ୍ୟନ୍ତ ପହଞ୍ଚିଲା କିପରି? ଋବିନଙ୍କ କହିବା କଥା ହେଉଛି ଆମେରିକା-ଇରାନ ପ୍ରସଙ୍ଗରେ ଯଦି କୌଣସି ଦେଶ ମଧ୍ୟସ୍ଥ ହେବାର ଥିଲା ତେବେ ଭାରତ ଏହି ଭୂମିକା ଲାଗି ଉପଯୁକ୍ତ ବିକଳ୍ପ ହୋଇପାରିଥାନ୍ତା।

ଇରାନ-ଆମେରିକା ମଧ୍ୟରେ ବଢୁଛି ଉତ୍ତେଜନା
ଏଥି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ରବିବାର କହିଛନ୍ତି ଯେ ଆମେରିକା ପ୍ରତିନିଧି ଇରାନ ସହିତ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଲାଗି ପାକିସ୍ତାନ ଯିବେ। ତେବେ ସେ ଇରାନକୁ ଚେତାବନୀ ମଧ୍ୟ ଦେଇଛନ୍ତି, କହିଛନ୍ତି ଯଦି ସେ ପ୍ରସ୍ତାବିତ ବୁଝାମଣାକୁ ସ୍ୱୀକାର ନ କରେ ତେବେ ଆମେରିକା ଇରାନର ବେସାମରିକ ସ୍ଥଳକୁ ମଧ୍ୟ ଯୁଦ୍ଧରେ ଟାର୍ଗେଟ କରିପାରେ। ହେଲେ ଏବେ ଖବର ଆସୁଛି ଇରାନ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ଯୋଗଦେବାକୁ ମନା କରିଦେଇଛି। ଏଥିରେ ଯୁଦ୍ଧବିରାମ ଅବଧି ଏପ୍ରିଲ ୨୨ରେ ସମାପ୍ତ ହେବାକୁ ଯାଉଛି ଓ ଏଥିରେ ଯଦି କୌଣସି ସମାଧାନର ରାସ୍ତା ନ ବାହାରିଲା ତେବେ କ୍ଷେତ୍ରରେ ଉତ୍ତେଜନା ଆହୁରି ବଢିବ।