ଦୋହା ୨୧।୫: ଆମେରିକା ସହଯୋଗରେ ଇସ୍ରାଏଲ ୧୮ ମାର୍ଚ୍ଚ ବୁଧବାର ରାତିରେ ବିଶ୍ୱର ସବୁଠୁ ବଡ଼ ଗ୍ୟାସ୍ ଫିଲ୍ଡ ସାଉଥ ପାର୍ସ ଉପରେ ବୋମା ବର୍ଷା କରି ଇରାନକୁ ଉତକ୍ଷିପ୍ତ କରିଛି। ଜବାବୀ କାର୍ଯ୍ୟାନୁଷ୍ଠାନରେ କତାର, ସାଉଦୀ ଆରବ ଓ ୟୁଏଇର ତୈଳ ଓ ଗ୍ୟାସ୍ ଉତ୍ପାଦନ ସ୍ଥଳ ଉପରେ ଇରାନ ଭୀଷଣ ଅକ୍ରମଣ କରିଛି, ଫଳରେ ବିପୁଳ କ୍ଷୟକ୍ଷତି ହୋଇଛି। ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କତାର। ସରକାରୀ ତୈଳ ଓ ଗ୍ୟାସ୍ କମ୍ପାନୀ କତାର ଏନର୍ଜୀ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ସାଦ ଅଲ-କାବି କହିଛନ୍ତି ଯେ ଏ ନେଇ ସେ ପୂର୍ବରୁ ଆମେରିକାକୁ ସତର୍କ କରିଥିଲେ।

ପୂର୍ବରୁ ସତର୍କ କରିଥିଲେ ଶକ୍ତି ମନ୍ତ୍ରୀ
ସାଉଥ ପାର୍ସ ଉପରେ ଆକ୍ରମଣର ମାତ୍ର କିଛି ଘଣ୍ଟା ପରେ ଇରାନ ମିଜାଇଲ କତାରର ରାସ ଲାଫାନ ଅଞ୍ଚଳକୁ ଟାର୍ଗେଟ୍ କରିଥିଲା। ଏଠାରେ ଲିକ୍ୟୁଫାଏଡ ନାଚ୍ୟୁରାଲ ଗ୍ୟାସ୍ (ଏଲଏନଜି) ରିଫାଇନାରୀର ମୁଖ୍ୟ ପ୍ଲାଣ୍ଟ ଥିଲା। ଏଣୁ କତାର ସରକାରୀ ଗ୍ୟାସ୍ କମ୍ପାନୀ ଅନୁସାରେ ଇରାନ ଆକ୍ରମଣ ଯୋଗୁ ସମୁଦ୍ର ମାର୍ଗରେ ଗ୍ୟାସ୍ ଯୋଗାଣ କରୁଥିବା ବିଶ୍ୱର ସର୍ବ ବୃହତ୍ତ ଗ୍ୟାସ ସିଷ୍ଟମର ଭୀଷଣ କ୍ଷୟକ୍ଷତି ହୋଇଛି। ଏହାର ମୁଖ୍ୟ ଅଲ-କାବି ଯିଏ କତାରର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ଇରାନର ଏହି ଆକ୍ରମଣରେ ଯେତିକି କ୍ଷୟକ୍ଷତି ହୋଇଛି ଏହାକୁ ଠିକ୍ କରିବାକୁ ଅନୁନ୍ୟ ୩-୫ ବର୍ଷ ସମୟ ଲାଗି ପାରେ। ଅଲ-କାବି କହିଛନ୍ତି ଯେ ସେ ପୂର୍ବରୁ ଅଧିକାରୀ ଓ ଏଗଜ୍ୟୁକୁଟିଭ ମାନଙ୍କୁ ଚେତାଇ ଥିଲେ ଯେ ଯଦି ଇରାନର ତୈଳ ଓ ଗ୍ୟାସ୍ ଠିକଣାକୁ ଟାର୍ଗେଟ୍ କରାଯାଏ ତେବେ ଆମକୁ ବି ସେହି ବିପଦର ସମ୍ମୁଖୀନ ହେବାକୁ ହେବ।

ହ୍ୱାଇଟ ହାଉସ୍ ଜାଣିଥିଲା ତୈଳ ଓ ଗ୍ୟାସ ଯୋଗାଣ ବାଧିତ ହେବ
ସାଦ ଅଲ-କାବି କହିଛନ୍ତି ଯେ ଆମେରିକା ଓ ତା କମ୍ପାନୀମାନେ ଜାଣିଥିଲେ ଯେ ଯଦି ଇରାନର ଗ୍ୟାସ୍ ଫିଲ୍ଡ ଉପରେ ଆକ୍ରମଣ ହୁଏ ତେବେ ସେ କଡ଼ା ଜବାବୀ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବ। ଏହା ଛଡା ଅଲ-କାବି ମଧ୍ୟ ସେମାନଙ୍କୁ ଦୈନିକ ଏ ବାବଦେ ସତର୍କ କରୁଥିଲେ। କହୁଥିଲେ ସାବଧାନ ତୈଳ ଓ ଗ୍ୟାସ୍ ଠିକଣା ଉପରେ ଯେପରି ଆକ୍ରମଣ ନ ହୁଏ। ଏ ନେଇ ହ୍ୱାଇଟ୍ ହାଉସ୍ ମୁଖପାତ୍ର ଟେଲର ରୋଜର୍ସଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିବାରେ ସେ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ଏନର୍ଜୀ ଟିମ୍ ଏହି ସତ୍ୟତା ଜାଣିଥିଲେ। ଏହି ଯୁଦ୍ଧ ଯୋଗୁ କିଛି ସମୟ ନିମନ୍ତେ ତୈଳ ଓ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇପାରେ। ଏଥି ପାଇଁ ଆମେ ଯୋଜନା ମଧ୍ୟ କରିଥିଲୁ।

୫ ବର୍ଷ ପର୍ଯ୍ୟନ୍ତ ପ୍ରଭାବିତ ହେବ ଯୋଗାଣ
ଇରାନ ସହିତ ଆମେରିକା-ଇସ୍ରାଏଲର ଯୁଦ୍ଧ ୩ ସପ୍ତାହ ହେଲା ଲାଗି ରହିଛି। ମିଜାଇଲ ଓ ଡ୍ରୋନ ଆକ୍ରମଣ ଯୋଗୁ ଟ୍ୟାଙ୍କର, ରିଫାଇନାରୀ ଓ ଅନ୍ୟ ଶକ୍ତି ଭିତ୍ତିଭୂମି ଗୁରୁତର କ୍ଷତିଗ୍ରସ୍ତ ହେଉଛି। ଏହାର ସବୁଠୁ ବଡ଼ ପ୍ରଭାବ କତାର ଏନର୍ଜୀର ରାସ ଲାଫାନ ଉପରେ ପଡିଛି। ଏହା ବିଶ୍ୱର ସବୁଠୁ ବଡ଼ ଏଲଏନଜି କମ୍ପ୍ଲେକ୍ସ। ଅଲ-କାବି କହିଛନ୍ତି ଯେ ୨୬ ବିଲିୟନ ଡଲାର ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟର ଯେଉଁ କ୍ଷୟକ୍ଷତି ହୋଇଛି ସେଥିଯୋଗୁ ୟୁରୋପ ଓ ଏସିୟାକୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏଲଏନଜି ଯୋଗାଣ ପ୍ରଭାବିତ ହୋଇପାରେ।

ବିନା ପୂର୍ବ ସୂଚନାରେ ଆକ୍ରମଣ କରିଥିଲା ଇସ୍ରାଏଲ
ଅଲ-କାବି କହିଛନ୍ତି ଯେ ସାଉଥ ପାର୍ସ ଉପରେ ଇସ୍ରାଏଲ ଆକ୍ରମଣର ତାଙ୍କୁ ପୂର୍ବ ସୂଚନା ମିଳି ନଥିଲା। ସେ କହିଛନ୍ତି ଯେ ମୋତେ କୌଣସି କଥା ଜଣାନାହିଁ। ଏଣୁ ମୁଁ ଭାବୁଛି ଏବାବଦେ କେହି ବି କିଛି ଜାଣିଥିବେ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ କହିଛନ୍ତି ତାଙ୍କୁ ମଧ୍ୟ ଜଣା ନଥିଲା। ସାଉଥ ପାର୍ସ ବିଶ୍ୱର ସବୁଠୁ ବଡ଼ ଗ୍ୟାସ୍ ଫିଲ୍ଡର ଅଂଶବିଶେଷ। ଏହାକୁ ଇରାନ କତାର ସହ ସେୟାର କରୁଥିଲା। କତାରରେ ଏହାକୁ ନର୍ଥ ଫିଲ୍ଡ କୁହାଯାଏ। କାବି କହିଛନ୍ତି ଯେ କତାର ଏନର୍ଜୀ ଏ ପର୍ଯ୍ୟନ୍ତ ଏହା ଆକଳନ କରି ନାହିଁ ଯୁଦ୍ଧରେ ହୋଇଥିବା ଏହି କ୍ଷୟକ୍ଷତି ବୀମା କମ୍ପାନୀ ଭରଣା କରିବ କି ନାହିଁ?

ରାସ ଲାଫାନର କ୍ଷୟକ୍ଷତି ପରିମାଣ କେତେ?
ଅଲ-କାବି କହିଛନ୍ତି ଯେ ରାସ ଲାଫାନ ଉପରେ ଆକ୍ରମଣ ଯୋଗୁ ନା କେବଳ ଏଲଏନଜି ରପ୍ତାନୀ କ୍ଷମତା ୧୭% ହ୍ରାସ ହୋଇଛି ବରଂ କ୍ଷୟକ୍ଷତିର ପ୍ରଭାବ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ରହିବ। କାବି କହିଛନ୍ତି ଯେ ଏହି ଆକ୍ରମଣ ଯୋଗୁ ‘କୋଲ୍ଡ ବକ୍ସ’ ସବୁ ନଷ୍ଟ ହୋଇଯାଇଛି। ଏହା ଗ୍ୟାସ୍ କୁ ଶୁଦ୍ଧ ଓ ଲିକ୍ୱିଡ ରୂପେ ଥଣ୍ଡା କରିଥାଏ। କତାର ଏନର୍ଜୀର ୧୪ ଟ୍ରେନ କୋଲ୍ଡ ବକ୍ସରୁ ୨ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଯାହା ଏହାର ମୁଖ୍ୟ କୁଲିଂ ସିଷ୍ଟମ ଥିଲା। ରାସ ଲାଫାନର ସମ୍ପ୍ରସାରଣ ହେବାର ଥିଲା। ହେଲେ ଯୁଦ୍ଧ ଆରମ୍ଭ ହୋଇଯିବା ଯୋଗୁ ଇରାନର ଆକ୍ରମଣ ଲାଗି ପ୍ଲାଣ୍ଟକୁ ଖାଲି କରି ଦିଆଯାଇଥିଲା। ଏହି ବିଳମ୍ବ ଯୋଗୁ ୨୦୨୭ରେ ଫ୍ରାନ୍ସ, ଜର୍ମାନ ଓ ଚୀନକୁ ଗ୍ୟାସ ଯୋଗାଇ ଦେବା ଆଉ ସମ୍ଭବ ହେବନି ବୋଲି ସେ କହିଛନ୍ତି।

୨୪ ଘଣ୍ଟାରେ ଉଦ୍ଧାର ହେଲେ ୧୦ ହଜାର ଲୋକ
ରାସ ଲାଫାନର ରିଫାଇନାରୀ ସମୁଦ୍ର ଭିତରେ ଅବସ୍ଥିତ। ଆକ୍ରମଣ ଭୟରେ ସେଠାରେ ଅଚାନକ ଅପରେସନ ବନ୍ଦ କରି ୧୦ ହଜାର ଲୋକଙ୍କୁ ବାହାର କରିବା କତାର ପକ୍ଷେ ସମ୍ଭବ ନଥିଲା। ଏହା ସତ୍ତ୍ୱେ ଅଭିଯାନ ଚଳାଯାଇ ସମସ୍ତଙ୍କୁ ବାହାରକୁ ଅଣାଯାଇଥିଲା। ଇରାନର ଏହି ଆକ୍ରମଣରେ କେହି ମୃତାହତ ନ ହେବା ବାସ୍ତବିକ ବଡ଼ କଥା ବୋଲି ଅଲ-କାବି କହିଛନ୍ତି, ତେବେ ଏହା ଆମ ନିଷ୍ପତ୍ତି ଯୋଗୁ ସମ୍ଭବ ହୋଇ ପାରିଥିବା ସେ କହିଛନ୍ତି।ଏହି ସମ୍ପ୍ରସାରଣ ସହିତ କତାର ବିଶ୍ୱର ଶୀର୍ଷ ଏଲଏନଜି ରପ୍ତାନୀକାରୀର ମାନ୍ୟତାକୁ ଆହୁରି ମଜଭୁତ କରିବାକୁ ଚାହୁଁଥିଲା। ଏହା ହୋଇଥିଲେ ୨୦୨୭ ସୁଦ୍ଧା କତାରର ତରଳିକରଣ କ୍ଷମତା ୭୭ ମିଲିୟନ ଟନରୁ ବଢି ୧୨୬ ମିଲିୟନ ଟନ ପ୍ରତିବର୍ଷ ହୋଇଥାନ୍ତା।

କତାର ଏନର୍ଜୀରୁ ଏବେ କେବେଶୁଦ୍ଧା ଆରମ୍ଭ ହେବ ଉତ୍ପାଦନ?
ଅଲ-କାବି କହିଛନ୍ତି ଯେ କତାର ଏନର୍ଜୀରୁ ସେବେ ଯାଇ ଉତ୍ପାଦନ ଆରମ୍ଭ ହେବ ଯେବେ ଯୁଦ୍ଧ ସମାପ୍ତ ହେବ। ସେତେବେଳେ ପୁଣି ଥରେ ସମ୍ପୂର୍ଣ୍ଣ ଲୋଡିଂ ଆରମ୍ଭ କରିବାକୁ ୩ରୁ ୪ ମାସ ସମୟ ଲାଗିବ। କାବି କତାର ଏୟାରୱେଜର ଚେୟାରମ୍ୟାନ ମଧ୍ୟ। ସେ କହିଛନ୍ତି ଯେ ଏହି ଯୁଦ୍ଧର ବ୍ୟାପକ ପ୍ରଭାବ ଗଲ୍ଫ କ୍ଷେତ୍ରର ସବୁ ଅର୍ଥନୀତି ଉପରେ ପଡିବ। ସେ କହିଛନ୍ତି ଯେ ଏହି ଯୁଦ୍ଧ ପୁରା କ୍ଷେତ୍ରକୁ ୨୦ ବର୍ଷ ପଛକୁ ନେଇଯାଇଛି। ଗଲ୍ଫ କ୍ଷେତ୍ରର ପର୍ଯ୍ୟଟନ ଉଦ୍ୟୋଗ ସମାପ୍ତ ହୋଇଯାଇଛି। ଏୟାରଲାଇନ୍ସ ମଧ୍ୟ ବନ୍ଦ ପଡିଛି। ବାଣିଜ୍ୟ ବ୍ୟାପାର ବନ୍ଦ ହୋଇଯାଇଛି, କୌଣସି ବନ୍ଦରକୁ ନା କିଛି ଆସୁଛି ନା କିଛି ଯାଉଛି।

ଗ୍ୟାସ ଓ ତୈଳ ଅର୍ଥ ବ୍ୟବସ୍ଥାର ଆଧାର
ସେ କହିଛନ୍ତି ଯେ ପୁରା ଗଲ୍ଫ କ୍ଷେତ୍ରର ଅର୍ଥ ବ୍ୟବସ୍ଥା ଗ୍ୟାସ୍ ଓ ତୈଳ ଆଧାରିତ। ଏବେ ଯୁଦ୍ଧ ଯୋଗୁ ଅର୍ଥ ବ୍ୟବସ୍ଥାଗୁଡିକ ତୈଳ ଓ ଗ୍ୟାସ୍ ଶୂନ୍ୟ ହୋଇପଡିଛନ୍ତି। ଏଣୁ ଏଥିରୁ ଯାହା ଜଣାପଡୁଛି ଯୁଦ୍ଧ ଶେଷ ହେବା ବେଳକୁ ଆମ ଅର୍ଥ ବ୍ୟବସ୍ଥା ମାଟି ସାଉଣ୍ଟୁ ଥିବ। ଏଣୁ ଆମକୁ ଆମର ଖର୍ଚ୍ଚ ହ୍ରାସ କରିବାକୁ ପଡିବ ଓ ବଜେଟ ସଂକ୍ଷିପ୍ତ କରିବାକୁ ହେବ।