ଲଣ୍ଡନ: ଆସନ୍ତା ବର୍ଷ ଜି-୨୦ ଶିଖର ସମ୍ମିଳନୀ ବ୍ରିଟେନରେ ଆୟୋଜିତ ହେବ। ବ୍ରିଟେନ ଏହାର ଅଧ୍ୟକ୍ଷତା କରିବ। ୨୦୨୭ ନଭେମ୍ବର ହେବାକୁ ଥିବା ଏହାର ବାର୍ଷିକ ସମ୍ମିଳନୀକୁ ମାଞ୍ଚେଷ୍ଟର ସହରରେ ଆୟୋଜନ କରାଯିବ। ଏଥିରେ ସମସ୍ତ ଜି-୨୦ ଦେଶଙ୍କୁ ନିମନ୍ତ୍ରଣ କରାଯିବ। ହେଲେ ଋଷିକୁ ନିମନ୍ତ୍ରଣ କରାଯିବ ନାହିଁ। ଏକଥା କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ।

ଗୁରୁବାର ଏନେଇ ଇକୋନିମିଷ୍ଟ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି। ବ୍ରିଟେନରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିମନ୍ତ୍ରଣ କରାଯିବ କି ନାହିଁ ବୋଲି ପ୍ରଶ୍ନ କରିବାରୁ ଆଣ୍ଡି ବର୍ନହାମ ଏଭଳି କହିଛନ୍ତି। ଇକୋନୋମିଷ୍ଟ ଖବରକାଗଜ ପକ୍ଷରୁ ଏନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ସିଧା ଉତ୍ତରରେ ସେ ‘ନା’ କହିଥିଲେ। ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜବାବ ମଗାଯାଇଥିଲେ ମଧ୍ୟ ପ୍ରସଙ୍ଗରେ କୌଣସି ଉତ୍ତର ମିଳି ନାହିଁ।

ପୁଟିନଙ୍କୁ ଡାକିବ ଆମେରିକା

୨୦୨୭ ଜି-୨୦ ବାର୍ଷିକ ସମ୍ମିଳନୀ ପୂର୍ବରୁ ଚଳିତ ବର୍ଷ ଡିସେମ୍ବର ମାସରେ ଆମେରିକାର ମିଆମି ସହରରେ ଏହି ସମ୍ମିଳନୀ ଆୟୋଜିତ ହେବ। ଏହାର ଅଧ୍ୟକ୍ଷତା ଆମେରିକା କରିବ। ତେବେ ଋଷ ରାଷ୍ଟ୍ରପତିଙ୍କୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରାଯିବ ବୋଲି ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେପ୍ଟେମ୍ବର ମାସରେ ସ୍ପଷ୍ଟ କରି କହିଥିଲେ। ଖାଲି ଯେ ନିମନ୍ତ୍ରଣ କରାଯିବ ତାହା ନୁହେଁ,ପୁଟିନଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ବିଶ୍ୱ ନେତାମାନଙ୍କ ସହ କଥାବାର୍ତ୍ତା ପାଇଁ ସୁଯୋଗ ମଧ୍ୟ ଦିଆଯିବ ବୋଲି ରୁବିଓ କହିଥିଲେ।

Also Read- ଗୁରୁବାର ଶେୟାର ବଜାରରେ ଲକ୍ଷ୍ମୀ ପ୍ରବେଶ: ଗୋଟିଏ ଦିନରେ ୮ ଲକ୍ଷ କୋଟି ଲାଭ, ଏହି ୩ କାରଣରୁ ୨୦୦୦ ପଏଣ୍ଟ ବଢ଼ିଲା ସେନସେକ୍ସ ?

ଋଷ ଜି-୨୦ ମେଣ୍ଟର ଏକ ସଦସ୍ୟ ରାଷ୍ଟ୍ର। ହେଲେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏହାର ଅନ୍ୟ ସଦସ୍ୟମାନେ ଋଷକୁ ଏକ ଘରକିଆ କରିବାକୁ ଚେଷ୍ଟା କରି ଆସୁଛନ୍ତି। ତଥାପି ଋଷ ଏହାର ସଦସ୍ୟ ପଦରେ ରହିଛି। ଆୟୋଜକ ରାଷ୍ଟ୍ରଗୁଡ଼ିକର ଲିଡରମାନେ ପାରମ୍ପରିକ ଭାବରେ ଏହାର ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସଂଗଠନର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କରଥାନ୍ତି। ସେହି ଦୃଷ୍ଟିରୁ ବ୍ରିଟେନର ବି ଋଷ ନିମନ୍ତ୍ରଣ କରିବାର କର୍ତ୍ତବ୍ୟ ରହିଛି। ହେଲେ ବ୍ରିଟେନ ଏପରି କରିବ ନାହିଁ ବୋଲି ଏହାର ପ୍ରଧାନମନ୍ତ୍ରୀ କହିଛନ୍ତି।