ନୂଆଦିଲ୍ଲୀ: ଇରାନ ଯୁଦ୍ଧକୁ ନେଇ ଅନିଶ୍ଚିତତା ବୃଦ୍ଧି ପାଇଛି । ହେଲେ ଯୁଦ୍ଧ କେବେ ବନ୍ଦ ହେବ, ସେନେଇ କାହା ପାଖରେ ଉତ୍ତର ନାହିଁ। ଆମେରିକା ଏବଂ ଇରାନ୍ ମଧ୍ୟରେ ଶାନ୍ତି ଆଲୋଚନା ଲାଗି ପାକିସ୍ତାନ ମଧ୍ୟସ୍ଥତା କରୁଛି। ହେଲେ ଏଥିରେ ପାକିସ୍ତାନ ବିଫଳ ହେଉଥିବା ପରି ମନେ ହେଉଛି । ତେଣୁ ଏବେ ରୁଷ୍ ଯୁଦ୍ଧ ବନ୍ଦ କରିବା ପାଇଁ ଆଗକୁ ଆସିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ୟକ୍ତିଗତ ଭାବରେ ଏହି ଚୁକ୍ତିନାମା ପାଇଁ ମଧ୍ୟସ୍ଥତା କରିବାର ଦାୟିତ୍ୱ ନେଇଛନ୍ତି।

ଯୁଦ୍ଧର ତୀବ୍ରତା ବୃଦ୍ଧି ପାଇବା ପରେ ପୁଟିନ କହିଥିଲେ ଏହା କେବେ ବନ୍ଦ ସେନେଇ କେହି କହିପାରିବେ ନାହିଁ । ଏବେ ଖୋଦ ପୁଟିନ୍ ଶାନ୍ତି ଆଲୋଚନା ପାଇଁ ମଧ୍ୟସ୍ଥତା କରିବେ । ପୁଟିନଙ୍କ ପ୍ରେସ୍ ସଚିବ ଦିମିତ୍ରୀ ପେସକୋଭ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଶାନ୍ତି ଆଣିବା ପାଇଁ ଯାହା କରିବାକୁ ପଡିବ ତାହା ରୁଷ କରିବ। ରାଷ୍ଟ୍ରପତି ନିଜେ ସକ୍ରିୟ ଭାବରେ ଏହି ଯୋଜନାରେ କାର୍ଯ୍ୟ କରୁଛନ୍ତି।

ଯୁଦ୍ଧ ଆହୁରି ୨-୩ ସପ୍ତାହ ଚାଲିବ ବୋଲି ଟ୍ରମ୍ପଙ୍କ ଚେତାବାନୀ ମଧ୍ୟରେ ପୁଟିନଙ୍କ ମଧ୍ୟସ୍ଥତା ଖବର ସାମ୍ନାକୁ ଆସିଛି ।ଅନ୍ୟପକ୍ଷରେ ଇରାନ ଶାନ୍ତି ଆଲୋଚନା ସପକ୍ଷରେ ନାହିଁ । ସର୍ବୋଚ୍ଚ ନେତା ଘୋଷଣା କରିଛନ୍ତି ଯେ, ଯୁଦ୍ଧ ଜାରି ରହିବ।

ଯୋଜନା ପ୍ରସ୍ତୁତ କରିଛନ୍ତି ପୁଟିନ

ରାଷ୍ଟ୍ରପତି ପୁଟିନ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ, ପୁଟିନ ପ୍ରଥମେ ଏହି ବିବାଦରେ ମଧ୍ୟସ୍ଥତା କରୁଥିବା ଅଂଶୀଦାରମାନଙ୍କ ସହିତ ଯୋଗାଯୋଗ କରୁଛନ୍ତି। ଗୁରୁବାର (୨ ଏପ୍ରିଲ), ପୁଟିନ ଇଜିପ୍ଟର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ। ପୁଟିନ ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହ ଫୋନ୍ ମାଧ୍ୟମରେ ମଧ୍ୟ କଥା ହୋଇଥିବା ଜଣାପଡ଼ିଛି ।

Also Read: ଟ୍ରମ୍ପଙ୍କ ପତ୍ନୀ ପିଟିବା ମନ୍ତବ୍ୟରେ ତାତିଲେ ଫ୍ରାନ୍ସ ରାଷ୍ଟ୍ରପତି; କହିଲେ, ସେ ବେଶି କଥା କହୁଛନ୍ତି, ତାଙ୍କ...

ଏକ ବିବୃତ୍ତିରେ ପୁଟିନ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଘଟଣାକ୍ରମକୁ ଦୃଷ୍ଟିରେ ରଖି, ରୁଷ ବିଶ୍ୱ ଲଜିଷ୍ଟିକ୍ସ ଏବଂ ବାଣିଜ୍ୟ ଢାଞ୍ଚାକୁ ପୁନଃଆକୃତି ଦେବା ପାଇଁ ସମାଧାନ ଦେଇପାରିବ। ବୁଧବାର ପୂର୍ବରୁ ରୁଷିଆ ଗୁଇନ୍ଦା ମୁଖ୍ୟ ସେରଗେଇ ନାରିଶକିନ୍ ଦାବି କରିଥିଲେ ଯେ, ତାଙ୍କ ଦଳ ଇରାନର ପରିସ୍ଥିତି ସମ୍ପର୍କରେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସହିତ ଯୋଗାଯୋଗରେ ଅଛି।