ନୂଆଦିଲ୍ଲୀ: ଦୁନିଆର ପ୍ରଖ୍ୟାତ ଚିପ୍ ନିର୍ମାତାକାରୀ କମ୍ପାନି Nvidiaର ସିଇଓ ଜେନସେନ ହୁଆଙ୍ଗ ସଂପ୍ରତି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। କିଛି ଦିନ ପୂର୍ବେ ଚୀନର ହାଇ ପ୍ରୋଫାଇଲ ମହିଳା ଏଲିସ ହୁଆଙ୍ଗଙ୍କ ସହିତ ତାଙ୍କ ପ୍ରେମ ସଂପର୍କ ଖବର ସାମ୍ନାକୁ ଆସିଥିଲା। ଏହାକୁ ନେଇ ସାରା ଦୁନିଆରେ ଚହଳ ପଡ଼ିଥିଲା। ଏହି ଘଟଣା ନ ଥମୁଣୁ ହୁଆଙ୍ଗଙ୍କ ରଙ୍ଗୀନ ଦୁନିଆରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇ ଯାଇଛି। ଏହା ମଧ୍ୟରେ ଆମେରିକୀୟ ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ଜେନସେନ ହୁଆଙ୍ଗଙ୍କ ଆଉ ଜଣେ ମହିଳାଙ୍କ ସହ ସଂପର୍କକୁ ନେଇ ଖୁଲାସା ହୋଇଛି। ଆଉ ଏହି ମହିଳା ଜଣକ ଆଉ କେହି ନୁହନ୍ତି ଖୋଦ୍ ଏନଭିଡିଆର ଭାଇସ ପ୍ରେସିଡେଣ୍ଡ କିମ୍ବର୍ଲି ପାଓ୍ଵେଲ। ସେ କମ୍ପାନିର ହେଲଥକେୟାର କାରବାରର ଭାଇସ ପ୍ରେସିଡେଣ୍ଟ ଦାୟିତ୍ଵ ସମ୍ଭାଳୁଛନ୍ତି। ସେ କମ୍ପାନିର କାରବାରକୁ ନେଇ ସିଧାସଳଖ ଜେନସେନ ହୁଆଙ୍ଗଙ୍କୁ ରିପୋର୍ଟ କରନ୍ତି।

ରିପୋର୍ଟ ମୁତାବକ ୪୮ ବର୍ଷୀୟା କିମ୍ବର୍ଲି ପାଓ୍ଵେଲ ଓ ଜେନସେନ ହୁଆଙ୍ଗଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି। ଜେନସେନଙ୍କ ପରି ପାଓ୍ଵେଲ ମଧ୍ୟ ବିବାହିତ। ସେ ୨୦୦୮ରେ Nvidiaରେ ଯୋଗ ଦେଇଥିଲେ। କମ୍ପାନିରେ ଇଞ୍ଜିନିୟରିଂ ଭାବେ ନିଜର କାମ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବରିଷ୍ଠ ପଦରେ ପହଞ୍ଚିଥିଲେ। ୨୦୧୬ରେ ତାଙ୍କୁ AIର ବିଜନେସ୍ ଡେଭଲପମେଣ୍ଟର ବରିଷ୍ଠ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଗଲା। ୨୦୧୭ ଶେଷ ସୁଦ୍ଧା ସେ କମ୍ପାନିର ଉପାଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ହେଲେ ବର୍ତ୍ତମାନ ସିଇଓ ଜେନସେନ ହୁଆଙ୍ଗ ଓ ତାଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସଂପର୍କ ଚର୍ଚ୍ଚାର ବିଷୟ ପାଲଟିଛି।

Also Read: Nvidia Conflict : କର୍ମଚାରୀଙ୍କୁ କ୍ଷମା ମାଗିଲେ ଏନଭିଡିଆ CEO : କହିଲେ 'ମୋ ଭୁଲର କ୍ଷମା ନାହିଁ'

କିଏ ଏହି କିମ୍ବର୍ଲି ପାଓ୍ଵେଲ ?

Nvidiaର ଓ୍ଵେବସାଇଟ ମୁତାବକ କିମ୍ବର୍ଲି ପାଓ୍ଵେଲ କମ୍ପାନିର ବୈଶ୍ଵିକ ହେଲଥକେୟାର କାରବାରର ଦାୟିତ୍ଵ ସମ୍ଭାଳୁଛନ୍ତି। ସ୍ଵାସ୍ଥ୍ୟ ସେବା ପାଇଁ ହାର୍ଡଓ୍ଵେର ଓ ସଫ୍ଟଓ୍ଵେର ପ୍ଲାଟଫର୍ମ ଡେଭଲପ କରିବା ତାଙ୍କ ବିଭାଗର କାମ। କିମ୍ବର୍ଲି Nvidiaରେ ଯୋଗ ଦେବା ପୂର୍ବରୁ ହାର୍ଡଓ୍ଵେର ଇଞ୍ଜିନିୟର ଭାବେ ଅନ୍ୟ ସଂସ୍ଥାରେ କାମ କରୁଥିଲେ। ୧୯୯୯ ଜାନୁଆରୀରୁ ୨୦୦୩ ପର୍ଯ୍ୟନ୍ତ ସେ ଡୋମ ଇମେଜିଙ୍ଗ ସିଷ୍ଟମ ସଂସ୍ଥାରେ କାମ କରୁଥିଲେ। ଏହା ପରେ ପ୍ଲାନର ସିଷ୍ଟମ୍ସର ମେଡିକାଲ୍ ବିଜନେସ୍ ୟୁନିଟରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି କାମ କରିଥିଲେ। ଏଠାରେ ତାଙ୍କୁ ମେଡିକାଲ ପ୍ରଯୁକ୍ତିବିଦ୍ୟା, ଜ୍ଞାନକୌଶଳ ଓ ଉପକରଣ କ୍ଷେତ୍ରରେ କାମ କରିବାର ଅନୁଭବ ମିଳିଥିଲା।

୨୦୦୮ରେ ଏନଭିଡିଆରେ ସାମିଲ ହେଲେ, ୨୦୧୬ରେ ମିଳିଲା ବଡ଼ ଦାୟିତ୍ଵ

କିମ୍ବର୍ଲି ପାଓ୍ଵେଲ ୨୦୦୮ରେ Nvidiaରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କ ଦାୟିତ୍ଵ ମେଡିକାଲ୍ ଇମେଜିଂ ଉପକରଣରେ Nvidiaର ଜିପିୟୁର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଥିଲା। କମ୍ପାନିର ପ୍ରଯୁକ୍ତିବିଦ୍ୟାକୁ ମେଡିକାଲ୍ ଉପକରଣ ପାଇଁ ଉପଯୋଗୀ ବନାଇବା ତାଙ୍କର ପ୍ରମୁଖ କାର୍ଯ୍ୟ ଥିଲା। ଏହା ପରେ ସେ କମ୍ପାନିର ଉଚ୍ଚ ଶିକ୍ଷା ଓ ଗବେଷଣା କାରବାରର ନେତୃତ୍ଵ ନେଇଥିଲେ। ସେ ଷ୍ଟ୍ରାଟେଜିକ କାର୍ଯ୍ୟକ୍ରମ, Nvidia ଏଆଇ ଲ୍ୟାବ ଓ Nvidiaର ଇନସେପସନ କାର୍ଯ୍ୟକ୍ରମରେ ଜଡ଼ିତ ଥିଲେ।. ୨୦୧୬ରେ ତାଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବିଜନେସ୍ ଡେଭଲପମେଣ୍ଟର ବରିଷ୍ଠ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଗଲା। ୨୦୧୭ର ଶେଷ ଆଡ଼କୁ ତାଙ୍କୁ ଏନଭିଡିଆର ଉପାଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଥିଲା।

Also Read: ବିଦେଶୀ ମହିଳା ଗଣଦୁଷ୍କର୍ମ ମାମଲାରେ ପାକିସ୍ତାନ ଉପପ୍ରଧାନମନ୍ତ୍ରୀଙ୍କ ନାତି ଅଭିଯୁକ୍ତ, ଡିସେମ୍ବର ୯ରେ ଶୁଣାଣି

GTC ସମ୍ମିଳନୀ ସମୟରେ ସାମ୍ନାକୁ ଆସିଲା ପ୍ରେମ ସଂପର୍କ

ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୁତାବକ ଚଳିତ ବର୍ଷ ମାର୍ଚ୍ଚରେ ସାନ ଜୋସରେ ଏନଭିଡିଆର ବାର୍ଷିକ ବିକଶିତ ସମ୍ମିଳନୀ GTC ଆୟୋଜିତ ହୋଇଥିଲା। ଏଥିରେ କିମ୍ବର୍ଲି ପାଓ୍ଵେଲ ସ୍ଵାସ୍ଥ୍ୟ ଓ ଜୀବ ବିଜ୍ଞାନ କ୍ଷେତ୍ରରେ ଏଆଇର ଉପଯୋଗିତା ଉପରେ ପ୍ରେଜେନଟେସନ ଦେଇଥିଲେ। ଏହି ସମ୍ମିଳନୀ ସମୟରେ ଏନଭିଡିଆର ଅଧିକାରୀ ପାଖରେ ଏକ ହୋଟେଲରେ ରହିଥିଲେ। ହୋଟେଲରେ ଜେନସେନ ହୁଆଙ୍ଗ ଓ କିମ୍ବର୍ଲିଙ୍କୁ ପରସ୍ପର ନିକଟତର ଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଦୁହିଁଙ୍କ ଭିଡିଓ ନିଜ ମୋବାଇଲରେ କଏଦ କରିଥିଲେ। ପରେ ହୁଆଙ୍ଗଙ୍କ ସୁରକ୍ଷା ଟିମ୍ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ ଏବଂ ଗୋପନୀୟତା ଚୁକ୍ତିନାମାରେ ହସ୍ତାକ୍ଷର କରି ମାମଲାକୁ ରଫାଦଫା କରିଥିଲେ।