ପୁରୀ ୨୧/୦୧: ବିପଦରେ ପୁରୀ ଶ୍ରୀମନ୍ଦିର । ବୋମାରେ ଉଡ଼ାଇଦେବାକୁ ଆସିଲା ଧମକ । ସୋସିଆଲ ମିଡିଆରେ ବୁଲୁଛି ଧମକପୂର୍ଣ୍ଣ ପୋଷ୍ଟ । ଏଭଳି ଭୟଙ୍କର ଧମକ ମିଳିବା ପରେ ଆକ୍ସନକୁ ଆସିଛି ପୁରୀ ପୋଲିସ । ଏସ୍ପି କହିଛନ୍ତି ପୁରୀ ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ପୁରୀ ସିଟି ଡିଏସପି ଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି।

ଧମକପୂର୍ଣ୍ଣ ପୋଷ୍ଟ ଆସିଥିବା ସୋସିଆଲ ମିଡ଼ିଆ ଆକାଉଣ୍ଟର ୟୁଆରଏଲ୍ ଲିଙ୍କ୍‌କୁ ଯାଞ୍ଚ କରାଯାଉଛି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେପଟେ ଶ୍ରୀମନ୍ଦିରରେ ବୋମା ପକାଇବା ନେଇ ସୋସିଆଲ ମିଡିଆରେ ଧମକ ଆସିବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀମନ୍ଦିର ବାହାର ଓ ଭିତରେ ବମ୍ ସ୍କ୍ୱାର୍ଡ ଦ୍ୱାରା ତନତନ କରି ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ସ୍ବତନ୍ତ୍ର କମାଣ୍ଡୋ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ରହିଛନ୍ତି।

 

ପୁରୀ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଙ୍କୁ ଗୁଳିମାଡ ପାଇଁ ସୋସିଆଲ ମିଡିଆରେ ଧମକ ଆସିଥିବାରୁ ସାଂସଦଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି। କହିବାକୁ ଗଲେ ମଙ୍ଗଳବାର ଫେସବୁକରେ ଜୁଲି ରାଣୀ ପଣ୍ଡା ନାମ ଧାରୀ ଏକ ଆକାଉଣ୍ଟ୍ ରୁ ଏଭଳି ଧମକପୂର୍ଣ୍ଣ ପୋଷ୍ଟ ଆସିଥିଲା। ଯାହାକୁ ନେଇ ପୁରୀ ପୋଲିସ ତଦନ୍ତ ଚଳାଇଥିବା ବେଳେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେବାୟତ ଦାବି କରିଛନ୍ତି।