ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଆସନ୍ତା ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ, ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ପୋଲିସ। ରଥଯାତ୍ରାର ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଏବଂ ରାଜ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ମିଳିତ ଭାବେ କାର୍ଯ୍ୟ କରିବାକୁ ଏହି ମିଟିଂରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଜଳ, ସ୍ଥଳ ଓ ଆକାଶରୁ ରହିବ କଡ଼ା ନଜର

ଚଳିତ ବର୍ଷ ବଡ଼ଦାଣ୍ଡରୁ ଆରମ୍ଭ କରି ସମୁଦ୍ର କୂଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ଅତି ସୁଦୃଢ଼ କରାଯାଇଛି। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ କିମ୍ବା ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଜଳମାର୍ଗରେ ଭାରତୀୟ ନୌସେନା (Indian Navy), ତଟରକ୍ଷୀ ବାହିନୀ (Coast Guard) ଏବଂ ଓଡ଼ିଶା ମାରାଇନ୍ ପୋଲିସର ମିଳିତ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ। ଜାହାଜଗୁଡ଼ିକରେ କ୍ୱିକ୍ ରେସପନ୍ସ ଟିମ୍ (QRT) ସଜାଗ ରହିବେ। ସେହିପରି ଆକାଶମାର୍ଗରେ ବେଆଇନ ଡ୍ରୋନ୍ ଉଡ଼ାଣ ରୋକିବା ପାଇଁ ହାଇଟେକ୍ 'ଆଣ୍ଟି-ଡ୍ରୋନ୍ ସିଷ୍ଟମ୍' (Anti-Drone System) ନିୟୋଜିତ କରାଯିବ।

ଏନଏସଜି ଏବଂ ସ୍ୱତନ୍ତ୍ର ଫୋର୍ସ ମୁତୟନ

ରଥଯାତ୍ରା ସମୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF), ଏନଏସଜି (NSG) କମାଣ୍ଡୋ ଏବଂ ଏନଏସଜି ତାଲିମପ୍ରାପ୍ତ ଏସଓଜି (SOG) ଓ ଏସଟିୟୁ (STU) ଟିମ୍ ମୁତୟନ ହେବେ। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟରେ ଆଣ୍ଟି-ସାବୋଟାଜ୍ ଚେକିଂ କରାଯିବା ସହ ବୋମା ନିଷ୍କ୍ରିୟକାରୀ ଦଳ (Bomb Disposal Squad) ଏବଂ ସ୍ନିଫର୍ ଡଗ୍ (K-9) ସ୍କ୍ୱାଡ୍କୁ ୨୪ ଘଣ୍ଟା ଆଲର୍ଟ ମୋଡ୍ରେ ରଖାଯିବ। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ନିକଟରେ ସ୍ୱତନ୍ତ୍ର ‘ରକ୍ଷକ’ ଯାନ ନିୟୋଜିତ ହେବ।

ପକେଟମାର୍ ଓ ଅପରାଧୀଙ୍କ ଉପରେ ରହିବ ତୀକ୍ଷଣ ନଜର

ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍ ଏବଂ ରେଳ ଷ୍ଟେସନଗୁଡ଼ିକରେ ଲୁଟ୍ପାଟ୍ କରୁଥିବା ଆନ୍ତଃରାଜ୍ୟ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପି ଆରପିଏଫ୍ (RPF) କୁ ନିର୍ଦ୍ଦେଶ ଦେଇଛନ୍ତି। ଚିହ୍ନଟ ପକେଟମାର୍ ଓ ଅଭ୍ୟାସଗତ ଅପରାଧୀଙ୍କ ଫଟୋ ପ୍ରମୁଖ ସର୍ବସାଧାରଣ ସ୍ଥାନ ଓ ରେଳବାଇ ଥାନା ଆଗରେ ଲଗାଯିବ, ଯଦ୍ୱାରା ଯାତ୍ରୀମାନେ ସଚେତନ ରହିପାରିବେ।

ପୁରୀ ସହରରେ ସ୍ପେଶାଲ ସର୍ଚ୍ଚ ଡ୍ରାଇଭ୍

ରଥଯାତ୍ରା ପୂର୍ବରୁ ପୁରୀର ସମସ୍ତ ହୋଟେଲ, ଲଜ୍, ମଠ, ବସଷ୍ଟାଣ୍ଡ ଏବଂ ଧର୍ମଶାଳା ଆଦି ସ୍ଥାନରେ ତନ୍ନ ତନ୍ନ ଯାଞ୍ଚ କରିବା ପାଇଁ ସ୍ଥାନୀୟ ପୋଲିସକୁ କୁହାଯାଇଛି। ସନ୍ଦେହଜନକ ଗତିବିଧି କିମ୍ବା ବାହାର ଲୋକଙ୍କ ରହଣି ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ରଥଟଣା ସହ ଦଳାଚକଟା ଭଳି ପରିସ୍ଥିତିକୁ ରୋକିବା ପାଇଁ ବ୍ୟାରିକେଡ୍ ପରିଚାଳନା ନେଇ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି।

ବୈଠକରେ ଉପସ୍ଥିତ ଥିଲେ ବରିଷ୍ଠ ଅଧିକାରୀ

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏହି ହାଇ-ପ୍ରୋଫାଇଲ୍ ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଅରୁଣ ବୋଥ୍ରା, ସଞ୍ଜୟ କୁମାର, ରାଜେଶ କୁମାରଙ୍କ ସମେତ ସିଆରପିଏଫ (CRPF), ବିଏସଏଫ (BSF) ଏବଂ ଆରପିଏଫ (RPF) ର ବରିଷ୍ଠ ଆଇଜିପି ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ସେଣ୍ଟ୍ରାଲ ରେଞ୍ଜ ଆଇଜି ସତ୍ୟଜିତ ନାୟକ ଏବଂ ପୁରୀ ଏସପି ପ୍ରତୀକ ସିଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇ ପୁରୀର ସ୍ଥିତି ସମ୍ପର୍କରେ ଡିଜିପିଙ୍କୁ ଅବଗତ କରାଇଥିଲେ।