ପୁରୀ: ସତ୍ୟ ହୋଇଥିଲେ ଆଶଙ୍କା ଠାରୁ ସାଂଘାତିକ । ଗୀତଗୋବିନ୍ଦ ଖଣ୍ଡୁଆରେ ତିଆରି ହେଉଛି ପିଲାଙ୍କ ଫ୍ରକ୍ । ମହାପ୍ରଭୁଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଉଲ୍ଲେଖ ଥିବା ପାଟକୁ ଚିରି ସେଥିରେ ଦରଜୀ ତିଆରୁଛନ୍ତି ପସନ୍ଦ ମୁତାବକ ପୋଷାକ । ଏଭଳି ଏକ ସମ୍ବେଦନଶୀଳ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପୂର୍ବରୁ ମହାପ୍ରଭୁଙ୍କ ଖଣ୍ଡୁଆର ମର୍ଯ୍ୟାଦା ହାନି ହେଉଛି ବୋଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପୁଷ୍ପାଳକ ନିଯୋଗ ଉଦ୍ବେଗ ପ୍ରକାଶ କରିଥିଲା । ଏବେ ଭୁବନେଶ୍ୱରରେ ଗୀତଗୋବିନ୍ଦ ଲିଖିତ ବସ୍ତ୍ରରେ ଫ୍ରକ୍ ତିଆରି ଦେଖିବା ପରେ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଇସ୍କନର ଅ-ତିଥିରେ ରଥ ଯାତ୍ରା ଓ ଶ୍ରୀଜଗନ୍ନାଥଙ୍କ କାର୍ଟୁନ ଫିଲ୍ମ ପ୍ରସାରଣରେ ରୋକ୍ ଲାଗି ନପାରିବା ବେଳକୁ ଗୀତଗୋବିନ୍ଦ ପାଟରେ ପୋଷାକ ତିଆରି ଭଳି ସମ୍ବେଦନଶୀଳ ଦୃଶ୍ୟ ଅସଲରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର କିଭଳି ସୁରକ୍ଷା ହେଉଛି ତାହାର ପ୍ରମାଣ ମିଳୁଛି ।

ଆଶୁତୋଷ ପ୍ରସାଦ ମିଶ୍ର ସୋସିଆଲ ମିଡିଆରେ ଫଟୋ ସହ ଏହି ଘଟଣା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ ଭୁବନେଶ୍ୱରର ଏକ ଦୋକାନରେ ଉତ୍ତରୀରେ ୪ ବର୍ଷର ଝିଅ ପାଇଁ ଜଣେ ଦରଜୀ ଫ୍ରକ୍ ତିଆରୁଥିବା ଦେଖିଥିଲେ । ଜଣେ ବାବୁ ଗୀତଗୋବିନ୍ଦ ଉଲ୍ଲେଖ ଥିବା ବସ୍ତ୍ର ବହୁ ଖଣ୍ଡ ପାଇଥିଲେ । ତାଙ୍କ ମାଡାମ୍ ସେଥିରୁ ଚାରି ଖଣ୍ଡି ଦର୍ଜୀକୁ ଦେଇ ତାଙ୍କ ଚାରି ବର୍ଷର ଝିଅ ପାଇଁ ଫ୍ରକ୍ ତିଆରି କରିବାକୁ ବରାଦ କରିଥିଲେ । ଏହି ବସ୍ତ୍ରର ମହତ୍ତ୍ୱ ନଜାଣି ସୁନ୍ଦର ଦିଶୁଥିବା କପଡ଼ାରେ ପୋଷାକ ତିଆରି କରିଛି ବୋଲି ଦରଜୀ ଜଣକ ତାଙ୍କୁ କହିଥିଲେ । ଏଭଳି ଦୃଶ୍ୟ ଆଶୁତୋଷଙ୍କ ହୃଦୟକୁ ଗଭୀର ଆଘାତ ଦେବାରୁ ସେ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିଛନ୍ତି । ଗୀତଗୋବିନ୍ଦ ଲିଖିତ ପାଟବସ୍ତ୍ରକୁ ସ୍ୱୟଂ ମଣିମା ମହାପ୍ରଭୁ ନିତ୍ୟ ଧାରଣ କରିଥାନ୍ତି । ଏହାକୁ ମହାର୍ଦ୍ଦ ରୂପରେ ଦେବଦେବୀ ଭୂଷିତ ହୋଇଥାନ୍ତି । ମହାପ୍ରଭୁଙ୍କ ସେବକମାନେ ମସ୍ତକରେ ବାନ୍ଧି ମହାପ୍ରଭୁଙ୍କ ସେବା ପାଇଁ ଆଜ୍ଞା ପାଇଥାନ୍ତି । ଏଭଳି ଦେବଦୁର୍ଲଭ ପବିତ୍ର ଦ୍ରବ୍ୟକୁ ଅତିଥିଙ୍କୁ ଖୁସି କରିବାକୁ ବ୍ୟବହାର କରାଯିବା ସମୟରେ ଏହାର ମର୍ଯ୍ୟାଦା ରକ୍ଷା ନେଇ ଜଣାଯାଇଥିଲା କି ନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଏନେଇ ମହାପ୍ରଭୁଙ୍କ ନିଷ୍ଠାପର ସେବକ ବିଶ୍ୱନାଥ ସାମନ୍ତରା କୁହନ୍ତି, ଆଗେ ଏସବୁ ବିକ୍ରୟ ହେଉ ନଥିଲା । ଏବେ ପାନ ଦୋକାନରେ ମିଳିଲା ଭଳି ଶହେ ଦେଢ଼ଶହ ଟଙ୍କାରେ ମିଳୁଛି । ଏଣୁ ବେଲଗାମ୍ ହୋଇଛି ମହାପ୍ରଭୁଙ୍କ ମହିମାକୁ ଅପମାନ । ଜଗନ୍ନାଥଙ୍କ ପ୍ରତୀକର ମର୍ଯ୍ୟାଦା ହାନି ନହେଉ । ଅମୃତସର ଯାତ୍ରା ଅବସରରେ ଆମକୁ ଗୁରୁ ନାନକଙ୍କ ପବିତ୍ର କପଡ଼ା ଦିଆଯାଇଥିଲା । ଦେଖିବାକୁ ମିଳିଲା ଜଣେ ଚପଲ ପିନ୍ଧି ଏହାକୁ ପକାଇଦେଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକେ ବାରଣ କଲେ । ଚପଲ କାଢ଼ି ଉକ୍ତ ପବିତ୍ର କପଡ଼ାକୁ ସସମ୍ମାନେ ଚଉତି ରଖିବାକୁ ହେଲା । ଆମେ କିନ୍ତୁ ଆମ ଠାକୁରଙ୍କ ମର୍ଯ୍ୟାଦା ରକ୍ଷା କରିବାକୁ ଆଗଭର ନୁହେଁ । କୌଣସି ଜାଗାରେ ଖଣ୍ଡୁଆ ବିକ୍ରୟ କରା ନଯାଉ । କେବଳ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତଗୋବିନ୍ଦ ଖଣ୍ଡୁଆ ବିକ୍ରି ହେଉ । ଏହାକୁ କେହି ନପକାନ୍ତୁ ।

ଶ୍ରୀମନ୍ଦିର ପ୍ରଶାସନ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଏହା ଉପରେ ପଦକ୍ଷେପ ନେଉ ବୋଲି ଶ୍ରୀ ସାମନ୍ତରା ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଶ୍ରୀମନ୍ଦିର ପୁରୋହିତ ଡ. ସିଦେ୍ଧଶ୍ୱର ମହାପାତ୍ର କୁହନ୍ତି, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ରର ନିଜସ୍ୱ ସ୍ଥାନ ରହିଛି । ଏବେ କିଛି ଦିନ ହେଲା ସଭାସମିତିରେ ମଧ୍ୟ ଉକ୍ତ ପଟବସ୍ତ୍ରକୁ ବ୍ୟବହାର କରାଯାଉଛି । ଗୀତଗୋବିନ୍ଦ ମୁଦ୍ରିତ ପଟବସ୍ତ୍ର ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ । ଏହାକୁ ଠାକୁରେ ଶ୍ରୀଅଙ୍ଗରେ ଲାଗି ହେଉଥିବାରେ ତାହାର ମର୍ଯ୍ୟଦା ରକ୍ଷା ହେଉ । ତା’ର ସ୍ଥାନ ସ୍ୱତନ୍ତ୍ର । ସେହି ସ୍ଥାନରେ ରହୁ ଉକ୍ତ ଦିବ୍ୟ ପଟବସ୍ତ୍ର ।