ପୁରୀ ୨।୪: ଅସୁରକ୍ଷିତ ଶ୍ରୀକ୍ଷେତ୍ର । କେତେବେଳେ ପର୍ଯ୍ୟଟକଙ୍କୁ ଆକ୍ରମଣ ହେଉଛି ତ ଆଉ କେତେବେଳେ ସାଧାରଣ ଲୋକ ଗୁଣ୍ଡାରାଜର ଶୀକାର ହେଉଛନ୍ତି । ଏମିତିରେ ପୁରୀ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଏକପ୍ରକାର ବିପର୍ଯ୍ୟନ୍ତ ହୋଇପଡ଼ିଥିବା କୁହାଯାଉଛି । ଗୁରୁବାର ଦୁଇ ଦୁଇଟି ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ପର୍ଯ୍ୟଟକଙ୍କୁ ଚାପୁଡ଼ା ସହ ଚେୟାରରେ ଆକ୍ରମଣ ହୋଇଛି ତ ଆଉ ଜଣେ ଯୁବକଙ୍କୁ ପେଚକସ୍ ଭୁସି ଦେଇଛନ୍ତି ।

ସାମାନ୍ୟ କଥାକୁ କେନ୍ଦ୍ରକରି ପର୍ଯ୍ୟଟକଙ୍କୁ ହୋଟେଲ ମାଲିକ ଓ କର୍ମଚାରୀଙ୍କ ଆକ୍ରମଣ । ଆହତ ହେଲେ ମହିଳା ଓ ପୁରୁଷ ପର୍ଯ୍ୟଟକ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ଚକ୍ରତୀର୍ଥ ରୋଡରେ ଘଟିଛି ଏଭଳି ଘଟଣା । ହୋଟେଲକୁ ଜଳଖିଆ ଖାଇବା ପାଇଁ ଆସିଥିଲେ କିଛି ପର୍ଯ୍ୟଟକ । କୌଣସି କାରଣରୁ ହୋଟେଲ ମାଲିକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ହୋଟେଲ ମାଲିକ ଓ କର୍ମଚାରୀ ଉତକ୍ଷିପ୍ତ ହୋଇ ପର୍ଯ୍ୟଟକଙ୍କୁ ଚାପୁଡ଼ା ମାରିବା ସହିତ ଚେୟାର ଉଠାଇ ଆକ୍ରମଣ କରିଥିଲେ । ପର୍ଯ୍ୟଟକଙ୍କୁ ଚେୟାର ଉଠାଇ ହୋଟେଲ ମାଲିକ ଓ କର୍ମଚାରୀ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସାମାନ୍ୟ କଥାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡିଛି । ଘଟଣାକୁ ନେଇ ସମୁଦ୍ର କୂଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Also Read:- Chandan Yatra: ପବିତ୍ର ଚନ୍ଦନ ଯାତ୍ରା ପ୍ରସ୍ତୁତି : ନରେନ୍ଦ୍ର ସରୋବରରୁ କଢ଼ାଗଲା ଡଙ୍ଗା, ଚାପ ଖେଳିବେ ମହାପ୍ରଭୁ

ସେପଟେ ଯୁବକଙ୍କୁ ପେଚକସ୍‌ରେ ଆକ୍ରମଣ । ପୁରୀ ହସ୍ପିଟାଲ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ପେଚକସ୍ରେ ଯୁବକଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗୁରୁତର ଯୁବକ ଜଣକ ହେଉଛନ୍ତି ନିମାପଡ଼ାର ରିତେଶ ପରିଜା । ଚକିତ୍ସା ପାଇଁ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବୁଧବାର ସନ୍ଧ୍ୟାରେ ସାଇକେଲରେ ଧରି ରିତେଶ ମେଡିକାଲ ଛକ ଦେଇ ଯାଉଥିବା ସମୟରେ ଗଞ୍ଜାମ ବ୍ରହ୍ମପୁରର ସୁଧାକର ଦଳେଇ ତାଙ୍କୁ ଅଟକାଇ ପେଚକସ୍ରେ ଆକ୍ରମଣ କରିଥିଲେ । ଫଳରେ ରିତେଶ ଗୁରୁତର ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଘଟଣାକୁ ନେଇ ମେଡିକାଲ ଛକରେ ଉତ୍ତେଜନାମୂଳକ ପରିସ୍ଥତି ସୃଷ୍ଟି ହୋଇଥିଲା । ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଧାକରକୁ ଥାନାକୁ ନେଇଥିଲା । ତେବେ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ ଜଣେ ମାନସିକ ରୋଗୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।