ପୁଣେ: ମେ ୨୩, ୨୦୨୫ ଏବଂ ଜୁନ୍ ୧୮, ୨୦୨୬...ଏହା କେବଳ ଦୁଇଟି ତାରିଖ ନୁହେଁ । ଦୁଇଟି ସମାନ ଅପରାଧର ଦିନ । ଇନ୍ଦୋରର ସୋନମ ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କ ସହ ମେଘାଳୟର ଉପତ୍ୟକାରେ ରକ୍ତାକ୍ତ ଖେଳ ଖେଳିଥିଲେ । ଠିକ୍ ସେହିପରି କେହି କାହାଣୀକୁ ପୁଣେର ସିୟାଗୋୟଲ ନିଜ ଭାବୀ ସ୍ୱାମୀ କେତନ ଅଗ୍ରୱାଲଙ୍କ ସହ ଦୋହରାଇଛନ୍ତି । ଏହା କେବଳ ଦୁଇଟି ହତ୍ୟା ନୁହେଁ, ବରଂ ପରିବାର ଚାପରେ ସ୍ଥିର ହୋଇଥିବା ବିବାହର ବନ୍ଧନକୁ ଭାଙ୍ଗିବାକୁ ଚାହୁଁଥିବା ଦୁଇ ଜଣ ନିଷ୍ଠୁର ମହିଳାଙ୍କ ରଚିତ ରକ୍ତାକ୍ତ କାହାଣୀ ।

ଗୋଟିଏ ପଟେ ସାହାନାଇ ବାଜିବା ପାଇଁ ପ୍ରସ୍ତୁତି, ଅନ୍ୟପଟେ ଲେଖାଯାଉଥିଲା ମୃତ୍ୟୁର ସ୍କ୍ରିପ୍ଟ । କେତନ ଅଗ୍ରୱାଲ ସିୟାଙ୍କ ସହ ଜୀବନର ସୁନେଲୀ ସ୍ୱପ୍ନ ଦେଖୁଥିଲେ । କିନ୍ତୁ ପରଦା ପଛରେ ଏଭଳି ଏକ ଷଡ଼ଯନ୍ତ୍ର ଚାଲିଥିଲା ଯାହାର ଅନ୍ତ ୩୫୦ ଫୁଟ ଗଭୀର ଖାଇରେ ହେଲା । ପୁଣେ ଲୋହାଗଡ଼ ଦୁର୍ଗର ଏହି ଘଟଣା କେବଳ ଏକ ହତ୍ୟାକାଣ୍ଡର ନୁହେଁ, ବରଂ ପ୍ରେମ, ବିଶ୍ୱାସଘାତକତା ଏବଂ ପ୍ରତାରଣାର ଏଭଳି ଏକ କାହାଣୀ, ଯାହା ଗତବର୍ଷର ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟାକାଣ୍ଡର ସ୍ମୃତିକୁ ତାଜା କରିଦେଇଛି ।

୧୮ ଜୁନ୍ ୨୦୨୬ର ଏକ କୁହୁଡ଼ିଆ ସଞ୍ଜ । ଲୋହାଗଡ଼ ଦୁର୍ଗର ପାହାଡ଼ ଶିଖରରେ ବୋହୁଥିଲା ମଳୟର ଝଙ୍କାର । ୨୫ ବର୍ଷୀୟ କେତନ ଅଗ୍ରୱାଲଙ୍କ ମନରେ ଥିଲା ଭବିଷ୍ୟତର ସ୍ୱପ୍ନ । ଖୁବ୍ଶୀଘ୍ର ଜୟପୁରର ଏକ ଆଲିସାନ ପ୍ରାସାଦରେ ବାହାଘର ହେବାକୁ ଯାଉଥିଲା । ବିବାହ ପୂର୍ବରୁ ଭାବୀ ସ୍ତ୍ରୀ ସିୟା ଗୋୟଲଙ୍କ ସହ ପ୍ରି-ୱେଡିଂ ଫଟୋସୁଟ୍ ପାଇଁ ପାହାଡ଼ ଶିଖରକୁ ଆସିଥିଲେ । କ୍ୟାମେରା କ୍ଲିକ୍ ହେଉଥିଲା । କେତନ ହସି ହସି ଖାଇ ଆଡ଼କୁ ବଢୁଥିଲେ । ହଠାତ୍ ଏକ ଜୋରଦାର ଧକ୍କା ଲାଗିଲା । ପବନରେ ଏକ ଚିତ୍କାର ଗୁଞ୍ଜରି ଉଠିଲା । କେତନ ନିଜକୁ ସମ୍ଭାଳିବା ପୂର୍ବରୁ ୩୫୦ ଫୁଟ ଗଭୀର ଭୟଙ୍କର ଖାଇର ନିଶବ୍ଦତା ମଧ୍ୟରେ ହଜିଯାଇଥିଲେ ।

ଆରମ୍ଭରୁ ଏହା ଏକ ଦୁଃଖଦ ଦୁର୍ଘଟଣା ଭଳି ମନେହେଉଥିଲା । କିନ୍ତୁ ପୋଲିସ ଯେତେବେଳେ ତଦନ୍ତର ପରସ୍ତ ଖୋଲିଲା, ସେତେବେଳେ ଥଣ୍ଡା ମସ୍ତିଷ୍କରେ ଯୋଜନା କରାଯାଇଥିବା ଏକ ମର୍ଡର ମିଷ୍ଟ୍ରି ସାମ୍ନାକୁ ଆସିଲା । ୨୦ ବର୍ଷୀୟା ସିୟା ଗୋୟଲ ବିବାହରେ ଖୁସି ନଥିଲେ । ନିଜର ୨୨ ବର୍ଷୀୟ ପ୍ରେମିକ ଚେତନ ଚୌଧୁରୀଙ୍କ ପ୍ରେମରେ ଥିଲେ ପାଗଳ । କେତନ ଥିଲେ ତାଙ୍କ ଜୀବନର ସବୁଠାରୁ ବଡ଼ କଣ୍ଟା । ଆଉ ଏହି କଣ୍ଟାକୁ ଦୂର କରିବା ପାଇଁ ଚକ୍ରବ୍ୟୁହ ରଚିଥିଲେ ।

ବିବାହ ପୂର୍ବରୁ ସିୟାଙ୍କ ପାଇଁ ଏକ ରୋମାଣ୍ଟିକ ବାଲି ଟ୍ରିପ୍ ଯୋଜନା କରିଥିଲେ କେତନ । କିନ୍ତୁ ସିୟା ସେଠାକୁ ନୁହେଁ, ବରଂ କେତନଙ୍କୁ ମୃତ୍ୟୁ ମୁଖକୁ ନେବାକୁ ଚାହୁଁଥିଲେ । ରାସ୍ତାରେ ଏକ ହୋଟେଲର ଶୌଚାଳୟରେ ନିଜ ପାସପୋର୍ଟକୁ ଚିରି ଫ୍ଲଶ୍ କରିଦେଇଥିଲେ । ବାହାରକୁ ଆସି ପାସପୋର୍ଟ ହଜିଯାଇଥିବାର ମିଛ ନାଟକ କରିଥିଲେ । ବାଲି ଟ୍ରିପ୍ କ୍ୟାନ୍ସଲ ହେଲା । ଯୋଜନା ମୁତାବକ, କେତନଙ୍କୁ ଲୋହାଗଡ଼ ଦୁର୍ଗକୁ ଅଣାଯାଇଥିଲା ।

ପୁଣେ ଏସଏସପି ସନ୍ଦୀପ ସିଂହ ଗିଲ୍ କହିଛନ୍ତି ଯେ ସିୟା, ଚେତନଙ୍କୁ ଭଲ ପାଉଥିଲେ ଏବଂ ଦୁହେଁ ଏକାଠି କାମ କରୁଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ ଘଟଣା ସ୍ଥଳରେ ଚେତନ ମଧ୍ୟ ଉପସ୍ଥିତ ଥିଲା । ଦୁଇ ଅଭିଯୁକ୍ତ କେତନ ଅଗ୍ରୱାଲଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା କଥା ସ୍ୱୀକାର କରିଛନ୍ତି । ପୋଲିସ ମାମଲା ରୁଜୁ କରି ଆଗକୁ ତଦନ୍ତ ଚଳାଇଛି ଏବଂ ଅଭିଯୁକ୍ତମାନେ ଏବେ ପୋଲିସ ହେପାଜତରେ ଅଛନ୍ତି।

ଏହି ହତ୍ୟାକାଣ୍ଡ ପଛର ସବୁଠାରୁ ବଡ଼ ସସପେନ୍ସ ହେଉଛି ‘ସୋନମ ରଘୁବଂଶୀ କେସ୍’ । ଗତବର୍ଷ ମେଘାଳୟରେ ହନିମୁନ ସମୟରେ ସୋନମ ରଘୁବଂଶୀ ନିଜ ପ୍ରେମିକ ସହ ମିଶି ସ୍ୱାମୀ ରାଜାକୁ ପାହାଡ଼ରୁ ଠେଲି ହତ୍ୟା କରିଥିଲା । ପ୍ରକୃତିର ଆଢ଼ୁଆଳରେ ଅପରାଧ ଲୁଚାଇବାକୁ ଚେଷ୍ଟା କରିଥିଲା । ସିୟା ଗୋୟଲ୍ ଅବିକଳ ସେହି କାହାଣୀକୁ କପି କରିଥିଲା । ପାହାଡ଼ିଆ ଅଞ୍ଚଳ ବାଛିବା, ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ଏବଂ ପୋଲିସ ଆଖିରେ ଧୂଳି ଦେବାର ସବୁ ଆଇଡିଆ ସେ ସେହି କେସ୍ରୁ ହିଁ ଶିଖିଥିଲା ।

କେତନ, ପୁଣେର ଜଣେ ଜଣାଶୁଣା କନ୍ଷ୍ଟ୍ରକସନ ବ୍ୟବସାୟୀ ବିଶାଳ ଅଗ୍ରୱାଲଙ୍କ ପୁଅ । ଆସନ୍ତା ନଭେମ୍ବରରେ ରାଜସ୍ଥାନର ଉଦୟପୁରରେ ତାଙ୍କର ବିବାହ ହେବାର ଥିଲା । ଉଭୟ ପରିବାର ଜୟପୁରରେ ଏକ ପ୍ରାସାଦକୁ ୧୭ କୋଟି ଟଙ୍କାରେ ବୁକ୍ କରିଥିଲେ । ଅତିଥିମାନଙ୍କ ପାଇଁ ଦୁଇଟି ପ୍ରାଇଭେଟ୍ ପ୍ଲେନ୍ର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏବେ ପୂରା ପରିବାର ଭାଙ୍ଗି ପଡ଼ିଛି ।