ନୂଆଦିଲ୍ଲୀ: ବୃନ୍ଦାବନ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରଶିକ ଦୁଲାରି ଶରଣଙ୍କ ଆତ୍ମହତ୍ୟା ଘଟଣା ବର୍ତ୍ତମାନ ସୁଦ୍ଧା ରହସ୍ୟ ଘେରରେ ରହିଛି। ସେ ରହୁଥିବା କକ୍ଷ ଭିତରୁ ଏକ ଗ୍ରାଇଣ୍ଡର ଜବତ ହେବା, ତାଙ୍କ ଗୁପ୍ତାଙ୍ଗରେ ଆଘାତ, ଏବଂ ଆତ୍ମହତ୍ୟା ପୂର୍ବରୁ ରକ୍ତଞ୍ଜିତ ହେବା ଘଟଣା ମାମଲାକୁ ଆହୁରି ସନ୍ଦିହାନ କରିଦେଉଛି। ପୁଲିସ ଏହି ମାମଲାକୁ ଏକ ଆତ୍ମହତ୍ୟା ଭାବି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ପୂର୍ବର ପାର୍ଶ୍ୱ ପରିସ୍ଥିତି ସନ୍ଦେହ ବଢ଼ାଉଛି।

ଦୀପକ ଲୋଧି ବୃନ୍ଦାବନ ଆସି ଦୁଇ ବର୍ଷ ତଳେ ପ୍ରେମାନନ୍ଦ ମହାରାଜାଙ୍କ ଠାରୁ ଦିକ୍ଷା ନେବା ପରେ ତାଙ୍କ ନାଁ ପରିବର୍ତ୍ତନ କରାଯାଇ ହୋଇଥିଲା ରଶିକ ଦୁଲାରୀ ଶରଣ। ସେବେଠାରୁ ସେ ଆଶ୍ରମରେ ରହୁଥିଲେ। ହେଲେ ଶୁକ୍ରବାର ସକାଳ ପ୍ରାୟ ୧୦.୩୦ରେ ସେ ଗୁରୁ କୃପା କୁଞ୍ଜ ଆଶ୍ରମର ଚତୁର୍ଥ ମହଲାରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ସଂସାର ବନ୍ଧନର ମୋହ ଛିଣ୍ଡେଇ ଆସିଥିବା ସୁଧୁଙ୍କୁ ଆଶ୍ରମଣରେ ପୁଣି କି ଭୟ ମାଡ଼ି ବସିଲା ଯେ ଯେଉଁଥିପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଛି ? ବର୍ତ୍ତମାନ ସମସ୍ତଙ୍କ ମନରେ ସେହି ପ୍ରଶ୍ନ।

ଆଶ୍ରମ ଛାତରୁ ଡେଇଁବା ପୂର୍ବରୁ କ’ଣ ଘଟିଥିଲା ?

ଶୁକ୍ରବାର ସକାଳ ୧୦.୩୦ରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ରଶିକ ଶରଣ। ସିସିଟିଭି ଫୁଟେଜ୍ରେ ଦେଖାଯାଉଥିବା ଭିଡିଓ ଅନୁସାରେ, ସେ ୧୦.୨୫ରେ ନିଜ ରୁମ ଭିତରୁ ବାହାରକୁ ବାହିରିଥିଲେ। ସେ ପିନ୍ଧିଥିବା ବସ୍ତ୍ର ରକ୍ତଜୁଡ଼ୁବୁଡ଼ୁ ଥିବା ଦେଖାଯାଉଛି। ରୁମରୁ ବାହାରି ସେ କିଛି ସମୟ ବୁଲିବା ପରେ ତୃତୀୟ ମହଲାରୁ ଚତୁର୍ଥ ମହଲାକୁ ଯାଇଥିଲେ।

ଛାତ ଉପରେ କିଛି ସମୟ ବସିବା ପରେ ୧୦ ସେକେଣ୍ଡ ପାଇଁ ଛାତରେ ଶୋଇଲେ ଓ ୧୦.୩୬ରେ ହଠାତ୍ ଉଠିପଡ଼ି ଡେଇଁପଡ଼ିଲେ। ଛାତରୁ ଡେଇଁପଡ଼ିବା ପରେ ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆୟିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଛାତ ଉପରୁ ପଡ଼ିଯିବାର ଭିଡିଓ ରବିବାର ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା।

Also Read- ଉଜ୍ଜୟିନୀ ହିଂସାକାଣ୍ଡ: ଶାହୀ ମସଜିଦ୍ ଭଙ୍ଗାଯିବାର AI ଭିଡିଓ ଭାଇରାଲ ପରେ ହୋଇଛି ହିଂସା: ପୋଲିସର ବଡ଼ ଖୁଲାସା

ସିସିଟିଭି ଫୁଟେଜ୍ ଦେଖି ପୋଲିସ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ଶରଣ ଆତ୍ମହତ୍ୟା କରିଛନ୍ତି। ତଥାପି, ପୋଲିସ ଏବେ ଡେଇଁବା ପୂର୍ବରୁ ଘଟିଥିବା ଘଟଣାଗୁଡ଼ିକୁ ଗୁରୁ୍ତର ସହ ନେଇ ତଦନ୍ତ କରୁଛି। ତାଙ୍କ ରୁମରୁ ଗ୍ରାଇଣ୍ଡର ମିଳିବା, ଆତ୍ମହତ୍ୟା ପୂର୍ବରୁ ଗୁପ୍ତାଙ୍ଗରେ ଆଘାତ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ୁ ନାହିଁ। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବୃନ୍ଦାବନ ସାରକଲ ଅଫିସର ସନ୍ଦୀପ କୁମାର ସିଂହ କହିଛନ୍ତି।

ପୁଲିସ ସିସିଟିଭି କ୍ୟାମେରା ଜବତ କରିବା ସହିତ ତାଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ଫୋରେନ୍ସିକ ଟିମ୍କୁ ପଠାଇଛି। କେବଳ ସେତିକି ନୁହେଁ ତାଙ୍କ ମୋବାଇଲ ଫୋନ୍କୁ ମଧ୍ୟ ଜବତ କରିଛି ପୁଲିସ। ସେଥିରୁ ଡିଲିଟ୍ ହୋଇଥିବା ଚାଟ୍ ଓ ଭିଡିଓକୁ ରିକଭର କରିବା ପାଇଁ ଲାବୋରୋଟୋରିକୁ ପଠାଯାଇଛି। ଏହି ଡିଲିଟ୍ ହୋଇଥିବା ତଥ୍ୟ ରିକଭରି ହୋଇପାରିଲେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିପାରେ ବୋଲି ପୁଲିସ ସନ୍ଦେହ କରୁଛି।

ଏଥିସହିତ ଆଶ୍ରମରେ ରହୁଥିବା ଲୋକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି। ଏପର୍ଯ୍ୟନ୍ତ ଆତ୍ମହତ୍ୟା କାରଣ ଜଣାପଡ଼ି ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରେ ଅତ୍ୟଧିକ ରକ୍ତଶ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ବାହାରିଛି।

ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସନ୍ଥ, ଲଗାଇଲେ ଗମ୍ଭୀର ଅଭିଯୋଗ

ଏହି ମାମଲମାରେ ବୃନ୍ଦାବନରେ ରହୁଥିବା ସଂସ୍ଥଗଣ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏନେଇ ସନ୍ଥମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ଏହି ଦାବି କରାଯାଇଛି। ସନ୍ଥ ମହନ୍ତ ମୋହିନୀ ଶରଣ ମହାରାଜ ଆଶ୍ରମକୁ ସିଧା ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ କେଳିକୁଞ୍ଜ ଆଶ୍ରମ ପକ୍ଷରୁ କାହିଁକି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଜାରି କରାଯାଇ ନାହିଁ। ଏହାକୁ କାହିଁକି ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ, ସେହି ଅଞ୍ଚଳରେ ସାଧୁ ବେଶରେ ଅନେକ ସାଧୁ ବୁଲୁଛନ୍ତି। ସେମାନେ ପ୍ରକୃତରେ ସାଧୁ ନୁଁହନ୍ତି। ତେଣୁ ସେମାନଙ୍କ ବିରୁଦ୍ଧରେ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ବେଶରେ ବହୁ ସଂଖ୍ୟକ ଅସାମାଜିକ ତତ୍ତ୍ୱ ଉପସ୍ଥିତ ଥାଇପାରନ୍ତି। ସେମାନଙ୍କ ବିଷୟରେ ତଦନ୍ତ କଲେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ମୋହିନୀ ଶରଣ ଅଭିଯୋଗ କରିଛନ୍ତି।

ସେହିପରି ଅନ୍ୟ ଜଣେ ସାଧୁ, ମହନ୍ତ ଗଙ୍ଗାଦାସ ଜୀ ମହାରାଜ ଘଟଣାକୁ "ଅତ୍ୟନ୍ତ ଭୁଲ୍" ବୋଲି କହିବା ସହ କେଳିକୁଞ୍ଜ ଆଶ୍ରମରୁ ସମୟ ସମୟରେ ଏଭଳି ଘଟଣା ଘଟିଆସୁଛି ବୋଲି ଅଭିଯୋଗ କରିଛନ୍ତି। କେଳି କୁଞ୍ଜର କିଛି ଶିଷ୍ୟ ଜମି ହଡ଼ପ ଏବଂ "ମାଫିଆ କାର୍ଯ୍ୟକଳାପ"ରେ ଜଡ଼ିତ ଅଛନ୍ତି। ଏଭଳି କାର୍ଯ୍ୟକଳାପ ସନାତନ ସଂସ୍କୃତିର କ୍ଷତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।