ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ପହଞ୍ଚିବା ପୂର୍ବରୁ ଆକାଶ ମାର୍ଗରେ ତାଙ୍କୁ ଏକ ଅଦ୍ଭୁତପୂର୍ବ ଓ ଭବ୍ୟ ସ୍ୱାଗତ କରାଯାଇଛି। ଇଣ୍ଡୋନେସିଆ ଆକାଶସୀମାରେ ପ୍ରଧାନମନ୍ତ୍ରୀଙ୍କ ବିମାନ ପ୍ରବେଶ କରିବା ମାତ୍ରେ ସେଠାକାର ବାୟୁସେନାର ଦୁଇଟି ଶକ୍ତିଶାଳୀ ଯୁଦ୍ଧବିମାନ ତାଙ୍କୁ ସ୍ୱାଗତ କରିବା ସହ ସୁରକ୍ଷା ବଳୟ  ଯୋଗାଇ ଦେଇଥିଲେ। ନୀଳ ଆକାଶରେ ପ୍ରଧାନମନ୍ତ୍ରୀଙ୍କ ବିମାନ ସହିତ ଏହି ଦୁଇ ଯୁଦ୍ଧବିମାନର ଉଡ଼ାଣର ଏକ ଭିଡିଓ ସାମ୍ନାକୁ ଆସିଛି ।

ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଇଣ୍ଡୋନେସିଆ ବାୟୁସେନା ପକ୍ଷରୁ ଦୁଇଟି ଯୁଦ୍ଧବିମାନ ନିୟୋଜିତ କରାଯାଇଥିଲା । ପ୍ରଥମଟି F-16: ଏହା ଆମେରିକା ନିର୍ମିତ ଏକ ସିଙ୍ଗଲ୍-ଇଞ୍ଜିନ ବିଶିଷ୍ଟ ଫାଇଟର ଜେଟ୍, ଯାହା ବିଶ୍ୱର ଅନେକ ଦେଶର ବାୟୁସେନାର ମୁଖ୍ୟ ଶକ୍ତି । ଦ୍ବିତୀୟଟି ହେଉଛି Sukhoi-30: ଏହା ଋଷିଆ ଦ୍ୱାରା ନିର୍ମିତ ଏକ ବଡ଼, ଟ୍ୱିନ୍-ଇଞ୍ଜିନ ଏବଂ ଦୁଇ ଜଣ ପାଇଲଟ୍ ବିଶିଷ୍ଟ ଶକ୍ତିଶାଳୀ ଯୁଦ୍ଧବିମାନ। ଏହି ଦୁଇ ବିମାନ ଏକାଠି ଉଡ଼ିବା ଏକ ବିରଳ ଦୃଶ୍ୟ।

ଭାରତୀୟ ବାୟୁସେନା ପାଖରେ ମଧ୍ୟ ଭାରତୀୟ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ 'ସୁଖୋଇ-୩୦ MKI' ର ଅନେକ ସ୍କ୍ୱାଡ୍ରନ ରହିଛି। ଜାକର୍ତ୍ତାରେ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କୁ ଏହି ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘୨୦୧୮ ମସିହାରେ ଆମେ ଆମର ସମ୍ପର୍କକୁ ଆହୁରି ମଜଭୁତ କରିଥିଲୁ ।ଏହା ଦ୍ୱାରା ଉଭୟ ଦେଶର ଜନସାଧାରଣ ଉପକୃତ ହୋଇଛନ୍ତି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ ଏବଂ ମୁଁ ବିଭିନ୍ନ କ୍ଷେତ୍ରରେ ଏହି ସହଭାଗିତାକୁ ଆହୁରି ସଦୃଢ଼ କରିବା ପାଇଁ ଆଲୋଚନା କରିବୁ।’ ପ୍ରଧାନମନ୍ତ୍ରୀ ମୋଦୀ ନିଜ ପୋଷ୍ଟରେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏବଂ ରାଷ୍ଟ୍ରପତି ପ୍ରସିଦ୍ଧ 'ପ୍ରାମ୍ବନାନ ମନ୍ଦିର' ପରିଦର୍ଶନ କରିବେ, ଯାହା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ନିବିଡ଼ କରିବ। ଏହା ସହିତ ସେ ସେଠାରେ ରହୁଥିବା ଭାରତୀୟ ସମୁଦାୟ ସହ ମଧ୍ୟ ଆଲୋଚନା କରିବେ।