ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ରେକର୍ଡ। ପଞ୍ଜାବ କିଙ୍ଗସର ବିସ୍ଫୋରକ ଓପନର ପ୍ରଭସିମରନ ସିଂ ଇଣ୍ଡିଆନ ପ୍ରିମିୟର ଲିଗ୍ ଇତିହାସର ନିଜ ନାଁରେ ବଡ଼ ରେକର୍ଡ କରିଛନ୍ତି। ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ପଞ୍ଜାବର ୭ ଓ୍ଵିକେଟ୍ ବିଜୟରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି।

ଧୂଆଁଧାର ବ୍ୟାଟିଂ ସହ ରଚିଲେ ଇତିହାସ

ମ୍ୟାଚ୍ରେ ୧୯୭ ରନର ଏକ ବଡ଼ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ପ୍ରଭସିମରନ ମାତ୍ର ୩୯ ବଲରୁ ୬୯ ରନର ଏକ ଦ୍ରୁତ ଇନିଂସ ଖେଳିଥିଲେ। ଏହି ମ୍ୟାଚ୍ ବିଜେତା ଇନିଂସ ବଳରେ ସେ ଚଳିତ ୨୦୨୬ ସିଜନରେ ୫୦୦ ରନ୍ ଅତିକ୍ରମ କରିଛନ୍ତି। ଏହାପୂର୍ବରୁ ଆଇପିଏଲ୍ ୨୦୨୫ରେ ମଧ୍ୟ ସେ ୫୪୯ ରନ୍ ସଂଗ୍ରହ କରିଥିଲେ।

Also Read: ସୂର୍ଯ୍ୟକୁମାରଙ୍କ ହାତରୁ ଯାଇପାରେ ଟି-୨୦ ଅଧିନାୟକ! ଶ୍ରେୟସ କି ଗିଲ୍ ନୁହଁନ୍ତି, ଏହି ‘MI ଷ୍ଟାର’ ହେବେ ଟିମ୍ ଇଣ୍ଡିଆର ନୂଆ ବସ୍

ଏହି ସଫଳତା ସହ ୨୫ ବର୍ଷୀୟ ପ୍ରଭସିମରନ ଆଇପିଏଲ୍ ଇତିହାସରେ ପ୍ରଥମ ଅନକ୍ୟାପ୍ଡ (Uncapped - ଯିଏ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି) ଭାରତୀୟ ଖେଳାଳି ଭାବେ ଏକାଧିକ ସିଜନରେ ୫୦୦ କିମ୍ବା ତାଠାରୁ ଅଧିକ ରନ୍ କରିବାର ଗୌରବ ଅର୍ଜନ କରିଛନ୍ତି।

ଗତ ଦୁଇ ବର୍ଷରେ ପ୍ରଭସିମରନଙ୍କ ଦମଦାର ପ୍ରଦର୍ଶନ

IPL 2025: ୧୭ଟି ଇନିଂସରେ ୩୨.୨୯ ହାର ଏବଂ ୧୬୦.୫୩ ଷ୍ଟ୍ରାଇକ୍ ରେଟ୍ରେ ୪ଟି ଅର୍ଦ୍ଧଶତକ ସହ ୫୪୯ ରନ୍ କରିଥିଲେ।

IPL 2026: ଚଳିତ ସିଜନର ୧୪ଟି ମ୍ୟାଚ୍ରେ ୪୨.୫୦ ହାର ଏବଂ ୧୬୮.୮୭ ପ୍ରଭାବଶାଳୀ ଷ୍ଟ୍ରାଇକ୍ ରେଟ୍ରେ ୬ଟି ଅର୍ଦ୍ଧଶତକ ସହ ଏପର୍ଯ୍ୟନ୍ତ ୫୧୦ ରନ୍ ସଂଗ୍ରହ କରିସାରିଛନ୍ତି।

Also Read: ପୁଅର ପ୍ରଦର୍ଶନ ଦେଖି ଭାବୁକ ହେଲେ ସଚିନ, ସେୟାର କଲେ ପୋଷ୍ଟ

ଟିମ୍ ଇଣ୍ଡିଆରୁ ମିଳିପାରେ ଡାକରା

ପ୍ରଭସିମ୍ରନ ପଞ୍ଜାବ କିଙ୍ଗସ ବ୍ୟାଟିଂ ଲାଇନଅପ ଏକ ମୁଖ୍ୟ ସ୍ତମ୍ଭ ସାଜିଛନ୍ତି। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଏବଂ ଦଳକୁ ଏକ ବିସ୍ଫୋରକ ଆରମ୍ଭ ଦେବା ପାଇଁ ସେ ବେଶ୍ ଜଣାଶୁଣା। ବଡ଼ ବଡ଼ ଷ୍ଟାର୍ ଖେଳାଳିଙ୍କ ଭିତରେ ସେ ସେତେଟା ଚର୍ଚ୍ଚାକୁ ନଆସିଲେ ମଧ୍ୟ ତାଙ୍କର ଏହି ଲଗାତାର ଚମତ୍କାର ପ୍ରଦର୍ଶନ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯେଉଁଭଳି ଭାବେ ସେ ରନ୍ ବର୍ଷା କରୁଛନ୍ତି, ତାହାକୁ ଦେଖିଲେ ଖୁବ୍ ଶୀଘ୍ର ତାଙ୍କୁ ଭାରତୀୟ ଜାତୀୟ ଦଳରେ ସ୍ଥାନ ମିଳିବା ନେଇ ସମ୍ଭାବନା ରହିଛି।