ନୂଆଦିଲ୍ଲୀ: ଭାରତୀୟ ଟି-୨୦ କ୍ରିକେଟ ଦଳର ନେତୃତ୍ଵକୁ ନେଇ ଏବେ ସସପେନ୍ସ ବଢ଼ିବାରେ ଲାଗିଛି। ବିଶ୍ଵବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ ଆଗାମୀ ଦିନରେ ଦଳର କମାଣ ରହିବ କି ନାହିଁ, ତାହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟେ ଶ୍ରେୟସ ଆୟର ଦମଦାର ପ୍ରଦର୍ଶନ କରି ସୂର୍ଯ୍ୟଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ବେଳେ, ଅନ୍ୟପଟେ ଚୟନ କମିଟି ମଧ୍ୟ ସୂର୍ଯ୍ୟଙ୍କ ବର୍ତ୍ତମାନର ପ୍ରଦର୍ଶନକୁ ନେଇ ଆଦୌ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି। ସୂର୍ଯ୍ୟକୁମାର ବିଗତ କିଛି ସମୟ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି, ଯାହାଫଳରେ ଜଣେ ବ୍ୟାଟ୍ସମ୍ୟାନ ଭାବେ ମଧ୍ୟ ଦଳରେ ତାଙ୍କ ସ୍ଥାନ ସୁରକ୍ଷିତ ନଥିବା ଚର୍ଚ୍ଚା ହେଉଛି।

ଗୌତମ ଗମ୍ଭୀରଙ୍କ ହାତରେ ସୂର୍ଯ୍ୟଙ୍କ ଭବିଷ୍ୟତ!

ନ୍ୟୁଜ୍ ଏଜେନ୍ସି ‘ପିଟିଆଇ’ର ଏକ ରିପୋର୍ଟ ମୁତାବକ, ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଟି-୨୦ ଅଧିନାୟକ ଭାବେ ସୂର୍ଯ୍ୟକୁମାରଙ୍କ ଭବିଷ୍ୟତ ଏବେ ସମ୍ପୂର୍ଣ୍ଣ ଭାବେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଆଇପିଏଲ୍ ଜରିଆରେ ସୂର୍ଯ୍ୟ ନିଜର ପୁରୁଣା ଫର୍ମ ଫେରିପାଇବେ ବୋଲି ଚୟନକର୍ତ୍ତା ଆଶା ରଖିଥିଲେ, ହେଲେ ତାଙ୍କ ବ୍ୟାଟିଂ ଶୈଳୀରେ କୌଣସି ବୈଷୟିକ ସୁଧାର ଦେଖିବାକୁ ମିଳିନାହିଁ। ବିଶେଷ କରି ନୂଆ ପେସରଙ୍କ ସିଧା ହାର୍ଡ ଲେନ୍ଥ ବଲ୍‌ର ସାମ୍ନା କରିବାରେ ସେ ସଂଘର୍ଷ କରୁଛନ୍ତି। ଚୟନକର୍ତ୍ତା୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସୂର୍ଯ୍ୟଙ୍କୁ ବିକଳ୍ପ ଭାବେ ଦେଖୁନାହାନ୍ତି।

ରେସରେ ପଛେଇ ଗଲେ ଶ୍ରେୟସ ଆୟର ଓ ଶୁଭମନ ଗିଲ୍ !

ଅଧିନାୟକ ପଦ ପାଇଁ ଶ୍ରେୟସ ଆୟର ଜଣେ ଦୃଢ଼ ଦାବିଦାର ହୋଇଥିଲେ ମଧ୍ୟ କୋଚ୍ ଗମ୍ଭୀରଙ୍କ ସହ ତାଙ୍କର ସମୀକରଣ ଭଲ ନାହିଁ। ୨୦୨୪ ଆଇପିଏଲ୍ରେ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିୟନ ହେବା ପରେ ସମସ୍ତ ଶ୍ରେୟ ଗମ୍ଭୀରଙ୍କୁ ମିଳିଥିବାରୁ ଆୟର ନିରାଶା ପ୍ରକାଶ କରିଥିଲେ, ଯାହାକୁ କ୍ରିକେଟ ବୋର୍ଡ ଏଯାଏଁ ଭୁଲିନାହିଁ।

ଅନ୍ୟପଟେ, ଗୁଜରାଟକୁ ପ୍ଲେ-ଅଫ୍ରେ ପହଞ୍ଚାଇବା ସହ ବ୍ୟାଟ୍ରେ କମାଲ କରିଥିବା ଶୁଭମନ ଗିଲ୍ଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପୂର୍ବରୁ ଚିଫ୍ ସେଲେକ୍ଟର ଅଜିତ ଅଗରକର ଗିଲ୍ଙ୍କୁ ସବୁ ଫର୍ମାଟ୍ର ଅଧିନାୟକ ଭାବେ ଦେଖୁଥିଲେ, କିନ୍ତୁ ଟି-୨୦ ବିଶ୍ୱକପ୍ ପୂର୍ବରୁ ତାଙ୍କ ଖରାପ ଫର୍ମ ଯୋଗୁଁ ସେହି ପ୍ଲାନ ଫେଲ୍ ମାରିଥିଲା। ଯଦି ସୂର୍ଯ୍ୟ ବାଦ୍ ପଡ଼ନ୍ତି, ତେବେ ଗିଲଙ୍କ ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ ସହଜ ହୋଇପାରେ, ହେଲେ କପ୍ତାନୀ ମିଳିବା ଏତେ ସହଜ ନୁହେଁ। ଗିଲ୍ଙ୍କୁ ଅଧିନାୟକ କରାଗଲେ ସଞ୍ଜୁ ସାମସନ ୩ ନମ୍ବର ଓ ଈଶାନ କିଷନ ୪ ନମ୍ବରରେ ଆସିପାରନ୍ତି। ଏହାସହ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଦ୍ରୁତ ଉତ୍ଥାନ ଚୟନକର୍ତ୍ତାଙ୍କ ପାଇଁ ଏକ ମିଠା ମୁଣ୍ଡବିନ୍ଧାର କାରଣ ସାଜିଛି।

ଏହି ‘MI ଷ୍ଟାର୍’ ଉପରେ ରହିଛି ଚୟନକର୍ତ୍ତାଙ୍କ ନଜର

ସବୁଠାରୁ ଆଶ୍ଚର୍ଯ୍ୟଜନକ ନାଁଟି ହେଉଛି ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍ ବ୍ୟାଟର ତିଲକ ବର୍ମା ରିପୋର୍ଟ ଅନୁଯାୟୀ, ଯଦି ସୂର୍ଯ୍ୟକୁମାର ଯାଦବଙ୍କ ହାତରୁ ଅଧିନାୟକତ୍ଵ ଯାଏ, ତେବେ ତିଲକ ବର୍ମା ସବୁଠାରୁ ଆଗରେ ରହିବେ। ତାଙ୍କୁ ଟ୍ରାଇ-ନେସନ 'ଏ' ସିରିଜ୍ ପାଇଁ ଅଧିନାୟକ କରାଯିବା ପଛରେ ଏକ ବଡ଼ କାରଣ ରହିଛି। ଚୟନକର୍ତ୍ତାମାନେ ତାଙ୍କ ନେତୃତ୍ଵ ଦକ୍ଷତାକୁ ପରଖିବାକୁ ଚାହୁଁଛନ୍ତି।

ଭାରତୀୟ କ୍ରିକେଟ ଏବେ ଏଭଳି ଏକ ମୋଡ଼ରେ ଛିଡ଼ା ହୋଇଛି, ଯେଉଁଠି ଖେଳାଳିଙ୍କ ଫର୍ମ, ଭବିଷ୍ୟତର ଯୋଜନା ଏବଂ ପାୱାର ଡାଇନାମିକ୍ସ ମଧ୍ୟରେ ଲଢ଼େଇ ଚାଲିଛି। ଏସବୁ ଭିତରେ କୋଚ୍ ଗୌତମ ଗମ୍ଭୀର ଏବେ ମଧ୍ୟ ସୂର୍ଯ୍ୟଙ୍କୁ ଆଉ ଏକ ସୁଯୋଗ ଦେବା ସପକ୍ଷରେ ଅଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।