ନୂଆଦିଲ୍ଲୀ: ସାରା ବିଶ୍ୱର ପାଣିପାଗ ବିଜ୍ଞାନୀ ଏକ ଶକ୍ତିଶାଳୀ ଏଲ୍ ନିନୋ ନେଇ ସତର୍କ କରାଇଛନ୍ତି । ପାଣିପାଗ ବୈଜ୍ଞାନିକଙ୍କ ଅନୁସାରେ, ପୂର୍ବରୁ କେବେ ଦେଖାଯାଇ ନଥିବା ସ୍ଥିତି ଏବେ ଆମ ପାଖରେ ଆସି ପହଞ୍ଚିଛି । ମିଳିତ ଜାତିସଂଘର ସୂଚନା ଅନୁସାରେ, ଏଥରର ଜଳବାୟୁ ପରିବର୍ତ୍ତନ ୧୯୫୦ ମସିହା ପରଠାରୁ ଦେଖାଯାଇଥିବା ସବୁଠାରୁ ଭୟଙ୍କର ଏଲ୍ ନିନୋଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇପାରେ।

ୱାର୍ଲଡ ମିଟିଓରୋଲୋଜିକାଲ୍ ଅର୍ଗାନାଇଜେସନ କହିଛି ଯେ, ମଣିଷକୃତ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଏହି ଏଲ୍ ନିନୋ ଅଧିକ ବଡ଼ କରିପାରେ । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଜମି ରହିଥିବା ଉତ୍ତାପ ଏବେ ବାହାରକୁ ଆସିବାରେ ଲାଗିଛି । ଏହି କାରଣରୁ ପୃଥିବୀର ଅଧିକାଂଶ ଭାଗରେ ଅସ୍ୱାଭାବିକ ଭାବେ ଗରମ ଅନୁଭୂତ ହେବ ବୋଲି ବିଶେଷଜ୍ଞ ଅଶଙ୍କା ପ୍ରକାଶ କରିଛନ୍ତି ।

 

ପାଣିପାଗ ବିଜ୍ଞାନୀ ରୟାନ ମାଉ ଏକ୍ସରେ ପୃଥିବୀର କ୍ଲାଇମେଟ୍ ମ୍ୟାପ୍ ସେୟାର କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, ମ୍ୟାପରେ ପୂରା ପୃଥିବୀ ଲାଲ୍ ଦେଖାଯାଉଛି । ଲେ କହିଛନ୍ତି, ଆମେରିକାକୁ ଛାଡ଼ିଦେଲେ ସାରା ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଶୀତ ଦିନ ଯାଏଁ ଏଲ୍ ନିନୋ ନିଜ ଶକ୍ତିଶାଳୀ ହୋଇ ସକ୍ରିୟ ରହିବ । ଡବ୍ଲୁଏମଓର ଆକଳନ ସହ ଏକମତ ହୋଇ ସେ କହିଛନ୍ତି ଯେ ଏଲ୍ ନିନୋର ପ୍ରଭାବ ୨୦୨୭ ଫେବ୍ରୁଆରୀ ପର୍ଯ୍ୟନ୍ତ ରହିବ ।

ଏନଡିଟିଭି ରିପୋର୍ଟ ଅନୁସାରେ, ପାଣିପାଗ ବିଜ୍ଞାନୀ ଲିଓନ୍ ସିମନ୍ସ ପରିସ୍ଥିତିକୁ ସୁପର୍-ଡୁପର୍ ଏଲ୍ ନିନୋ ବୋଲି କହିଛନ୍ତି । ଡବ୍ଲୁଏମଓ ନିଜ ପୂର୍ବାନୁମାନରେ କହିଛି ଯେ ୨୦୨୬ର ଶେଷ ମାସଗୁଡ଼ିକରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକ ଠାରୁ ବହୁ ଅଧିକ ରହିବାର ସମ୍ଭାବନା ଅଛି । ଗବେଷକମାନେ ଗତ ମାସରେ ଆକଳନ କରିଥିଲେ ଯେ, "ସୁପର୍-ଏଲ୍ ନିନୋ" ଯୋଗୁଁ ସାରା ବିଶ୍ୱରେ ପ୍ରାୟ ୪,୫୧,୦୦୦ରୁ ଅଧିକ ଅତିରିକ୍ତ ମୃତ୍ୟୁ ହୋଇପାରେ ।