କେନ୍ଦ୍ରାପଡ଼ା ୧୫।୬: ଘଟଣା ଘଟିବାର ୫ ଦିନ ପରେ ସାମ୍ନାକୁ ଆସିଛନ୍ତି ଚାମେଲି ଓଝା ବିପକ୍ଷବାଦୀ l ମହାକାଳପଡ଼ା ବ୍ଲକର ପ୍ରାୟ ୫୦ ଜଣ ୱାର୍ଡମେମ୍ବର ଓ ସମିତିସଭ୍ୟ ଏକାଠି ହୋଇ ଚାମେଲି ରାଜନୈତିକ ବ୍ୟକ୍ତିଙ୍କ ଦ୍ଵାରା ପରିଚାଳିତ ବୋଲି ଅଭିଯୋଗ କରିଛନ୍ତି l ଅନ୍ୟପକ୍ଷରେ ଚାମେଲିଙ୍କୁ ଜଗିଥିବା ପୋଲିସ ଦେହରେ ବଡି କ୍ୟାମେରା ଲଗାଇବା ଘଟଣାକୁ ବିରୋଧ କରିଛନ୍ତି ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ l

ଚାମେଲିଙ୍କ ଉପରେ ନଜର ରଖିଛି ପୋଲିସର ‘ବଡି କ୍ୟାମେରା’ l ଚାମେଲି ହସ୍ପିଟାଲ ବେଡ୍ରେ ପଡିଥିବା ବେଳେ ତାଙ୍କୁ ଜଗିଥିବା ପୋଲିସ କର୍ମଚାରୀ ନିଜ ଦେହରେ କ୍ୟାମେରା ଲଗାଇ ଜଗି ବସିଛନ୍ତି l ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ l ସୋମବାର ଓଡ଼ିଶା ଜନତା କଂଗ୍ରେସର ଏକ ପ୍ରତିନିଧି ଦଳ ସହିତ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ ପହଞ୍ଚି ଚାମେଲିଙ୍କୁ ଭେଟିବା ଅବସରରେ ସୋଫିଆ ପୋଲିସର ‘ବଡି କ୍ୟାମେରା’କୁ ନେଇ ଅସନ୍ତୋଷ ପ୍ରକାଶ କରିନଥିଲେ l ଏହାଦ୍ୱାରା ଚାମେଲିଙ୍କ ପ୍ରାଇଭେସି ନଷ୍ଟ ହେଉଥିବା ସେ ଅଭିଯୋଗ କରିଛନ୍ତି l ଚାମେଲିଙ୍କ ସହିତ ହୋଇଥିବା ଦୁର୍ବ୍ୟବହାରକୁ କଠୋର ଭାଷାରେ ନିନ୍ଦା କରିବା ସହିତ ପୋଲିସର ଆକ୍ରୋଶମୂଳକ ବ୍ୟବହାରକୁ ସେ ବିରୋଧ କରିଛନ୍ତି l ତେବେ ଘଟଣାରେ ସମ୍ପୃକ୍ତ ବିଡିଓଙ୍କ ନିଲମ୍ବନ ଦାବି କରିଛନ୍ତି ସୋଫିଆ l ଚାମେଲିଙ୍କ ବିରୁଦ୍ଧରେ ଲାଗିଥିବା ଦଫା କୋହଳ କରିବା, ତାଙ୍କୁ ସୁରକ୍ଷା ଯୋଗାଇ ଦେବା, ତାଙ୍କ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ଦାବି କରିଛନ୍ତି l

Also Read:- ଶ୍ରୀମନ୍ଦିରରେ ବଢ଼ି ଚାଲିଛି ଦଲାଲଙ୍କ ପ୍ରାଦୁର୍ଭାବ, ଭିଆଇପି ଦର୍ଶନ କରାଇଦେବା ନାଁରେ ଦାବି କରୁଛନ୍ତି ୫ଶହ ଟଙ୍କା

ଜୁନ୍ ୧୦ ତାରିଖ ଦିନ କେନ୍ଦ୍ରାପଡା ତିଖିରି ସରପଞ୍ଚ ଚାମେଲି ଓଝା ଓ ମହାକାଳପଡା ବ୍ଲକ୍ ପ୍ରଶାସନ ଭିତରେ ସ୍ରୁଷ୍ଟି ହୋଇଥିଲା ବିବାଦ l ବିବାଦକୁ ୟା ଭିତରେ ୫ ଦିନ ବିତିଲାଣି l ୫ ଦିନ ପରେ ଆଜି ସାମ୍ନାକୁ ଆସିଛନ୍ତି ଚାମେଲି ବିପକ୍ଷବାଦୀ l ମହାକାଳପଡ଼ା ବ୍ଲକ୍ର ପ୍ରାୟ ୫୦ ଜଣ ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ସରପଞ୍ଚ ଏକାଠି ହୋଇ ଚାମେଲିଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି l ମହାକାଳପଡ଼ା ବ୍ଲକ୍ ଚେୟାରମ୍ୟାନ ମୀରା ରାଣୀ ମହାନ୍ତିଙ୍କ ନେତୃତ୍ତ୍ଵରେ ପ୍ରାୟ ୫୦ରୁ ଅଧିକ ସମିତିସଭ୍ଯ, ୱାର୍ଡ ସଭ୍ଯ ଓ ସରପଞ୍ଚ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି l ସମଗ୍ର ଘଟଣାରେ ନିରକ୍ଷେପ ତଦନ୍ତ ଦାବି କରିବା ସହିତ ଚାମେଲି ଏକ ରାଜନୈତିକ ମୋହରା ହୋଇଯାଇଥିବା ଅଭିଯୋଗ କରିଛନ୍ତି l କିଛି ରାଜନୈତିକବ୍ୟକ୍ତିଙ୍କ ଇସାରାରେ ସେ ବିଧାୟକଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗ କରିବା ସହ ଏହି ଘଟଣାକୁ ନିନ୍ଦା କରିଛନ୍ତି ସେମାନେ l ଏହି ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ସହିତ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ସମିତି ସଭ୍ୟ ଓ ୱାର୍ଡ ମେମ୍ବର l ଚାମେଲି ତିଖିରି ପଞ୍ଚାୟତ ପାଇଁ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଉନ୍ନତିମୂଳକ କାମ ନେଇଥିବା କହିଛନ୍ତି ମୀରା ରାଣୀ l

ଚାମେଲିଙ୍କ ଅଭିଯୋଗ ଆଧାରରେ ମହାକାଳପଡ଼ା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି l ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣଙ୍କ ଗିରଫଦାରୀ ହୋଇଛି l